ଭୁବନେଶ୍ୱର: ଗାଡ଼ି ପଞ୍ଜିକରଣ ସମୟରେ ପାର୍କିଂ ସାର୍ଟିଫିକେଟ ଦେବାକୁ ହେବ । ପାର୍କିଂ ସୁବିଧା ନ ଥିଲେ ବେସରକାରୀ ଗାଡ଼ି କିଣିବାକୁ ଅନୁମତି ମିଳିବନି । ସରକାର ସବୁ ସହରାଞ୍ଚଳ ପାଇଁ ଜାରି କରିଥିବା ଚିଠା ପାର୍କିଂ ନୀତିରେ ଏଭଳି କଡ଼ା ବ୍ୟବସ୍ଥା ରଖିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଚିଠା ପାର୍କିଂ ନୀତି(Urban parking policy) ଅଣାଯାଇଛି ।

ଆସନ୍ତା ୨୮ ତାରିଖ ଭିତରେ ଏହି ଚିଠା ନୀତି ଉପରେ ନିଜ ଅଭିଯୋଗ ବା ପ୍ରସ୍ତାବ ଦେବାକୁ କୁହାଯାଇଛି । ସହରରେ ବଢ଼ି ଚାଲିଥିବା ଗାଡ଼ି ସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା, ଟ୍ରାଫିକ ଭିଡ଼ କମାଇବା, ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବହାର ବଢ଼ାଇବା ଓ ବ୍ୟବସ୍ଥିତ ପାର୍କିଂ ଲାଗୁ କରିବାକୁ ସରକାର ଏହି ନୀତି ଆଣିଛନ୍ତି ।ଏ ପ୍ରସଙ୍ଗରେ ମତ ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ବେଆଇନ ପାର୍କିଂ ଯୋଗୁ ଲୋକମାନେ ହିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଆମେ ଲୋକମାନଙ୍କ ମତାମତ ଲୋଡିଛୁ ।

Also read...Parking Rule : ସହରାଞ୍ଚଳରେ ପାର୍କିଂ ନୀତି: ଏଣିକି ରାସ୍ତା କଡ଼ରେ ଗାଡ଼ି ରଖୁଥିଲେ ସାବଧାନ୍ !

ରାସ୍ତା କଡରେ କାର୍ ପାର୍କିଂ କରିବା, ଅଣ ଓସରିଆ ଜାଗାରେ କାର୍ ପାର୍କିଂ କରିବା, ଜାଗା ନଥିବା ସ୍ଥାନରେ ପାର୍କିଂ କରିବା ଦ୍ବାରା ଟ୍ରାଇକ୍ ଜାମ୍ ହେଉଛି, ଲୋକେ ବହୁତ ହଇରାଣ ହେଉଛନ୍ତି । ଦିନକୁ ଦିନ ଗାଡି ସଂଖ୍ୟା ବଢୁଛି । ତେଣୁ ଏବେ ଯିଏ ନୂଆ ଗାଡି ନେବ, ସେ ପାର୍କିଂ ବ୍ୟବସ୍ଥା କରିକି ରେଜିଷ୍ଟ୍ରେସନ କରିବେ । ବେଆଇନ ପାର୍କିଂ ଯୋଗୁ ଯାହା ଫାଇନ ଆଦାୟ ହେବ ସେସବୁ ପାର୍କିଂ କାମରେ ହିଁ ଲାଗିବ ।