ଭୁବନେଶ୍ୱର : ସମସ୍ତେ ନିଜ ସୁବିଧା ଓ ସୌକ ପାଇଁ କିଣନ୍ତି ଗାଡ଼ି। କିନ୍ତୁ ଏବେ ଗାଡ଼ି କିଣିବା ଏସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ। ନହେଲେ ହଇରାଣରେ ପଡ଼ି ପାରନ୍ତି। ସେଥିପାଇଁ ଗାଡ଼ି କିଣିବା ବେଳେ ପାର୍କିଂ ସୁବିଧା ଅଛି କି ନାହିଁ , ତାର ପ୍ରମାଣ ଆବଶ୍ୟକ ପଡ଼ିବ । ଗାଡ଼ି ପଞ୍ଜିକରଣ ସମୟରେ ପାର୍କିଂ ସାର୍ଟିଫିକେଟ ଦେବାକୁ ହେବ । ପାର୍କିଂ ସୁବିଧା ନ ଥିଲେ ବେସରକାରୀ ଗାଡ଼ି କିଣିବାକୁ ଅନୁମତି ମିଳିବନି । ସରକାର ସବୁ ସହରାଞ୍ଚଳ ପାଇଁ ଜାରି କରିଥିବା ଚିଠା ପାର୍କିଂ ନୀତିରେ ଏଭଳି କଡ଼ା ବ୍ୟବସ୍ଥା ରଖିଛନ୍ତି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଚିଠା ପାର୍କିଂ ନୀତି(Urban parking policy) ଅଣାଯାଇଛି । ଆସନ୍ତା ୨୮ ତାରିଖ ଭିତରେ ଏହି ଚିଠା ନୀତି ଉପରେ ନିଜ ଅଭିଯୋଗ ବା ପ୍ରସ୍ତାବ ଦେବାକୁ କୁହାଯାଇଛି । ୨୦୧୭-୧୮ ମସିହାରେ ରାଜ୍ୟରେ ୯୧ ଲକ୍ଷ ଗାଡ଼ି ଥିଲା । ୨୦୨୩-୨୪ ସୁଦ୍ଧା ଏହା ଦେଢ଼ କୋଟିରେ ପହଞ୍ଚିଲାଣି । ଗତ ୬ ବର୍ଷରେ ରାଜ୍ୟରେ ଗାଡ଼ି ସଂଖ୍ୟା ୬୫% ବଢ଼ିଗଲାଣି । ଗାଡ଼ି ସଂଖ୍ୟା ଅନିୟନ୍ତ୍ରିତ ଭାବେ ବଢୁଥିବାରୁ ସହରାଞ୍ଚଳରେ ପାର୍କିଂ ସମସ୍ୟା ଗୁରୁତର ହେଲାଣି । ଏପରିକି ଟ୍ରାଫିକ ସମସ୍ୟା ପଛରେ ଏହା ଦାୟୀ । ୩୦% ଟ୍ରାଫିକ ଭିଡ଼ର କାରଣ ହେଉଛି, ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ ଓ ପାର୍କିଂ ପାଇଁ ରାସ୍ତାରେ ଜାଗା ଖୋଜିବା । ସହରରେ ବଢ଼ି ଚାଲିଥିବା ଗାଡ଼ି ସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା, ଟ୍ରାଫିକ ଭିଡ଼ କମାଇବା, ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବହାର ବଢ଼ାଇବା ଓ ବ୍ୟବସ୍ଥିତ ପାର୍କିଂ ଲାଗୁ କରିବାକୁ ସରକାର ଏହି ନୀତି ଆଣିଛନ୍ତି ।

ଏହି ନୀତିରେ ଥିବା ବ୍ୟବସ୍ଥା ଅନୁସାରେ, ଏଣିକି ଅନ୍ ଷ୍ଟ୍ରିଟ୍ (ରାସ୍ତା କଡ଼ରେ ପାର୍କିଂ) ଓ ଅଫ ଷ୍ଟ୍ରିଟ୍(ରାସ୍ତା ବାହାରେ ବା ଦୂରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ) ପାର୍କିଂ ପାଇଁ ଗଣିବାକୁ ପଡ଼ିବ ପାର୍କିଂ ଫି । ତେବେ କେବଳ ମୁଖ୍ୟ ରାସ୍ତା ନୁହେଁ, ସହରର ଗଳି ରାସ୍ତା କଡ଼ରେ ବା ଆବାସିକ ଅଞ୍ଚଳରେ ମନଇଚ୍ଛା ଗାଡ଼ି ପାର୍କିଂ କରିହେବନି । ଏଭଳି କଲେ ଜରିମାନା ଗଣିବାକୁ ପଡ଼ିବ । ଯେଉଁ ଆବାସିକ ଅଞ୍ଚଳରେ ୧୨ ମିଟରରୁ କମ୍ ଚଉଡ଼ାର ରାସ୍ତା ଥିବ, ସେଠାରେ ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିହେବନି । ଏହା ଉପରେ କଟକଣା ଲାଗୁ କରାଯାଇଛି ।

ହସ୍ପିଟାଲ, ସ୍କୁଲ ଓ ବଜାର ଅଞ୍ଚଳରେ ପାର୍କିଂ ପାଇଁ ସ୍ୱତନ୍ତ୍ର ନିୟମ ଲାଗୁ ହେବ । ଅଧିକ ସମୟ ଗାଡ଼ି ରଖିଲେ ଅଧିକ ଟଙ୍କା ଦେବାକୁ ହେବ । ସହରର ପ୍ରମୁଖ ଅଞ୍ଚଳରେ ପାର୍କିଂ ଫି ଅନ୍ୟ ସ୍ଥାନଠାରୁ ଅଧିକ ରହିବ । ଅନଷ୍ଟ୍ରିଟ୍ ପାର୍କିଂ ତୁଳନାରେ ଅଫ ଷ୍ଟ୍ରିଟ୍ ପାର୍କିଂ ଫି’ ୨୫% ଶସ୍ତା ରଖିବାକୁ ବୋଲି ଚିଠା ନୀତିରେ ପ୍ରସ୍ତାବ ଦିଆଯାଇଛି । ପିକ୍ ଆୱାର ବା ଭିଡ଼ ସମୟରେ ପାର୍କିଂ ଚାର୍ଜ ଅନ୍ୟ ସମୟ ତୁଳନାରେ ଅଧିକ ରହିବ । ସେହିଭଳି ଫୁଟପାଥ୍ ଉପରେ ଗାଡ଼ି ପାର୍କିଂ କଲେ ଜରିମାନା ଗଣିବାକୁ ପଡ଼ିବ । ଏହା ଲୋକଙ୍କ ଅଧିକାରର ଉଲଙ୍ଘନ ବୋଲି ଚିଠା ନୀତିରେ ଉଲ୍ଲେଖ କରାଯାଇଛି । ସନ୍ଧ୍ୟା ସମୟରେ ଅନଷ୍ଟ୍ରିଟ୍ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ ହେବ । ତେବେ ପାର୍କିଂ ସ୍ଲଟ୍ ବୁକିଂ ପାଇଁ ସବୁ ସହରରେ ସ୍ୱତନ୍ତ୍ର ମୋବାଇଲ ଆପସ୍ ବିକାଶ କରାଯିବ । ଅନଲାଇନ୍ ମାଧ୍ୟମରେ ପାର୍କିଂ ଫି ଦେଇହେବ ।

Also Read- School Summer Vacation: ଆଗୁଆ ହେବ କି ଗ୍ରୀଷ୍ମ ଅବକାଶ ? ମନ୍ତ୍ରୀ ଦେଲେ ସଂକେତ..

ସବୁ ସହରାଞ୍ଚଳର ସ୍ଥାନୀୟ ପୌରପାଳିକା ବା ମହାନଗର ନିଗମ ଏକ ପାର୍କିଂ ଅଥରିଟି ଗଠନ କରିବେ । ଏହି ଅଥରିଟି ପାର୍କିଂ ନୀତିକୁ ଲାଗୁ କରିବ । ଏଥିପାଇଁ ରାଜ୍ୟସ୍ତରରେ ପିଏସଡିଏମସି କମିଟି ରହିବ । ପାର୍କିଂ ଫି ଆଦାୟଠାରୁ ନେଇ ଜରିମାନା ଆଦାୟ ଓ ଗାଡ଼ି ଟୋଇଂ ବା ନିୟମ ଉଲଙ୍ଘନ କଲେ ଉଠାଇ ନେବା ପାଇଁ ପଦକ୍ଷେପ ନେବ । ଭିଡ଼ ସମୟରେ ଭାରୀ ଯାନ ସହର ଭିତରକୁ ପଶିବା ଉପରେ କଟକଣା ଲାଗୁ ହେବ । ସଂକୀର୍ଣ୍ଣ ରାସ୍ତାରେ ପାର୍କିଂକୁ ନିଷେଧ କରାଯିବା ଭଳି କଟକଣା ଲାଗିବ ।