ନୂଆଦିଲ୍ଲୀ: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବଡ଼ ଖବର। ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI ମାଧ୍ୟମରେ କରାଯାଉଥିବା ପେମେଣ୍ଟ ଉପରେ କୌଣସି ଚାର୍ଜ ଲାଗିବ ନାହିଁ। ସେହିପରି RuPay ଡେବିଟ୍ କାର୍ଡ ମାଧ୍ୟମରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ କରାଯାଉଥିବା ପେମେଣ୍ଟ ପାଇଁ ମଧ୍ୟ କୌଣସି ଶୁଳ୍କ ନିଆଯିବ ନାହିଁ। କେନ୍ଦ୍ର ସରକାର ଏନେଇ ସ୍ପଷ୍ଟ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଗଜେଟ୍ ବିଜ୍ଞପ୍ତିରେ RuPay ଡେବିଟ୍ କାର୍ଡ ଏବଂ ₹୨,୦୦୦ ପର୍ଯ୍ୟନ୍ତ UPI ନେଣଦେଣକୁ ଇଲେକ୍ଟ୍ରୋନିକ୍ ପେମେଣ୍ଟ ମାଧ୍ୟମ ଭାବେ ଅଧିସୂଚିତ କରାଯାଇଛି।

ବିଜ୍ଞପ୍ତି ଅନୁସାରେ, ଏହି ମାଧ୍ୟମରେ ପେମେଣ୍ଟ କରୁଥିବା କିମ୍ବା ପେମେଣ୍ଟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କଠାରୁ ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ୍ ଅପରେଟର୍ ସିଧାସଳଖ କିମ୍ବା ପରୋକ୍ଷ ଭାବେ କୌଣସି ଶୁଳ୍କ ଆଦାୟ କରିପାରିବେ ନାହିଁ। ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭ ଅଧୀନରେ ଥିବା ଅଧିକାର ବ୍ୟବହାର କରି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।

ସମ୍ପ୍ରତି ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟରେ ପରିବର୍ତ୍ତନ ପରେ UPI ନେଣଦେଣ ଉପରେ ଶୁଳ୍କ ଲାଗିବ କି ନାହିଁ, ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏବେ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI ପେମେଣ୍ଟ ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ପାଇଁ ଗ୍ରାହକଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ।

also read- ଚର୍ଚ୍ଚିତ IAS ଅଧିକାରୀ ଦିବ୍ୟା ମିତ୍ତଲଙ୍କ ଇସ୍ତଫା ଗ୍ରହଣ: ସମସ୍ତ ପ୍ରଶାସନିକ ଦାୟିତ୍ୱରୁ ହେଲେ ମୁକ୍ତ

ସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ବ୍ୟକ୍ତିରୁ ବ୍ୟକ୍ତି (P2P) UPI ପେମେଣ୍ଟ ମଧ୍ୟ ମାଗଣା ରହିବ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ବ୍ୟବସାୟୀଙ୍କଠାରୁ ନିଆଯାଉଥିବା Merchant Discount Rate ବା MDR ନେଇ ମଧ୍ୟ ସରକାର କହିଛନ୍ତି ଯେ ବ୍ୟାପକ ଭାବରେ ସବୁ ବ୍ୟବସାୟୀଙ୍କ ଉପରେ MDR ଲାଗୁ କରାଯିବ ନାହିଁ।

ଭବିଷ୍ୟତରେ ଯଦି କିଛି ବିଶେଷ ଶ୍ରେଣୀର ବ୍ୟବସାୟୀ ନେଣଦେଣ ଉପରେ MDR ଲାଗୁ ହୁଏ, ତେବେ ଏହା ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଟଙ୍କାର ପେମେଣ୍ଟ ପାଇଁ ଏବଂ ଅତ୍ୟନ୍ତ କମ୍ ହାରରେ ଲାଗୁ ହେବ ବୋଲି ସରକାର କହିଛନ୍ତି। ଅର୍ଥାତ୍ ସାଧାରଣ ଲୋକଙ୍କ ପାଇଁ ୨,୦୦୦ ଯାଏଁ UPI ପେମେଣ୍ଟରେ ଚାର୍ଜକୁ ନେଇ ଏବେ ଆଉ କୌଣସି ଦ୍ୱନ୍ଦ୍ୱ ନାହିଁ।