ନୂଆଦିଲ୍ଲୀ: ଦୈନନ୍ଦିନ କାରବାର ପାଇଁ ଅନଲାଇନ୍ କିମ୍ବା UPI ପେମେଣ୍ଟ ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କୁ ଆସନ୍ତା ୧୫ ସେପ୍ଟେମ୍ବର ପରେ ବଡ଼ ଝଟ୍‌କା ଲାଗିପାରେ। କାରଣ ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀଙ୍କ ରି-କେୱାଇସି (Re-KYC) ପ୍ରକ୍ରିୟା ଶେଷ ହୋଇପାରିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅନଲାଇନ୍ ପେମେଣ୍ଟ କମ୍ପାନୀଗୁଡ଼ିକ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)କୁ ଏହି ସମୟସୀମା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।

ରିପୋର୍ଟ ଅନୁସାରେ, ନିର୍ଦ୍ଧାରିତ ସମୟ ମଧ୍ୟରେ Re-KYC ନହେଲେ ଦୋକାନୀଙ୍କ ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯିବ । ଏହାଦ୍ବାରା QR କୋଡ୍ ବ୍ୟବହାର କରୁଥିବା ପ୍ରାୟ ୩୦%ରୁ ୩୫% କ୍ଷୁଦ୍ର ଏବଂ  ଉଠାଦୋକାନୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରାୟ ୧୦ ଲକ୍ଷ ଛୋଟ ଅନଲାଇନ୍ ବ୍ୟବସାୟର ପେମେଣ୍ଟ ସିଷ୍ଟମ୍ ଠପ୍ ହୋଇଯାଇପାରେ।

କାହିଁକି ଅଟକିଛି ପ୍ରକ୍ରିୟା?

ପେଟିଏମ୍ ଏବଂ ଫୋନ୍‌ପେ ଭଳି ପେମେଣ୍ଟ ଆଗ୍ରିଗେଟର କମ୍ପାନୀଗୁଡ଼ିକର କହିବା ଅନୁଯାୟୀ, ଗ୍ରାମାଞ୍ଚଳ ଓ ଛୋଟ ସହରରେ ଲକ୍ଷ ଲକ୍ଷ ସାଉଣ୍ଡ ବକ୍ସ ଓ QR ଷ୍ଟାଣ୍ଡିଂ ରହିଛି। କିନ୍ତୁ ଏମାନଙ୍କ ମଧ୍ୟରୁ ଅନେକ ଗରିବ ଉଠାଦୋକାନୀ ଅଟନ୍ତି, ଯେଉଁମାନଙ୍କ ପାଖରେ ସଠିକ୍ ପରିଚୟ ପତ୍ର କିମ୍ବା ବ୍ୟବସାୟିକ ଦଲିଲ୍ ନାହିଁ। ଏହା ସହିତ RBIର କଠୋର ନିୟମ ଅନୁଯାୟୀ, କମ୍ପାନୀର ନିଜସ୍ୱ କର୍ମଚାରୀ ହିଁ ଦୋକାନକୁ ଯାଇ ଫିଜିକାଲ୍ ଭେରିଫିକେସନ୍ କରିବା ବାଧ୍ୟତାମୂଳକ। କୌଣସି ପ୍ରାଇଭେଟ୍ ଏଜେନ୍ସିକୁ ଏହି କାମ ଦିଆଯାଇପାରିବ ନାହିଁ, ଯାହାଫଳରେ କର୍ମଚାରୀଙ୍କ ଅଭାବ ଦେଖାଦେଇଛି।

ବର୍ଷେ ପୂର୍ବରୁ ଆସିଥିଲା ନିୟମ

ରିଜର୍ଭ ବ୍ୟାଙ୍କ ଏହି କଠୋର ନିୟମ ଗତ ବର୍ଷ ଅର୍ଥାତ୍ ସେପ୍ଟେମ୍ବରରେ ହିଁ ଲାଗୁ କରିଥିଲା। କମ୍ପାନୀ ଏବଂ ଦୋକାନୀଙ୍କ ପାଖରେ ପୂରା ୧ ବର୍ଷ ସମୟ ଥିଲା। କିନ୍ତୁ ଶେଷ ସମୟ ପର୍ଯ୍ୟନ୍ତ ନକରିବାରୁ ଏବେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। କମ୍ପାନୀଗୁଡ଼ିକର ଆକଳନ ଅନୁଯାୟୀ, ସେପ୍ଟେମ୍ବର ୧୫ ସୁଦ୍ଧା ସେମାନେ ମାତ୍ର ୮୦ ପ୍ରତିଶତ କାମ ହିଁ ଶେଷ କରିପାରିବେ।

Also Read: ରେପୋ ରେଟ୍ ବଢ଼ାଇପାରେ ଆର୍‌ବିଆଇ, ୬% ଛୁଇଁପାରେ ସୁଧ ହାର; ଡିସେମ୍ବରରୁ ବୃଦ୍ଧି !

ସାଧାରଣ ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?

ଯଦି RBI ସମୟସୀମା ନ ବଢ଼ାଏ, ତେବେ ଆପଣ ପନିପରିବା, ଚା' ଦୋକାନ କିମ୍ବା ରାସନ ସାମଗ୍ରୀ କିଣିବା ସମୟରେ UPI କିମ୍ବା କାର୍ଡ ମାଧ୍ୟମରେ ଟଙ୍କା ପଠାଇବାରେ ସମସ୍ୟା ଭୋଗିପାରନ୍ତି। ଅବଶ୍ୟ ଏହାଦ୍ୱାରା ଦେଶର ସାମଗ୍ରିକ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଉପରେ କୌଣସି ବଡ଼ ଫରକ ପଡ଼ିବ ନାହିଁ, କାରଣ କ୍ଷୁଦ୍ର ବ୍ୟବସାୟୀଙ୍କ ଆର୍ଥିକ କାରବାରର ଅଂଶ ବହୁତ କମ୍। କିନ୍ତୁ ସାଧାରଣ ଲୋକଙ୍କ ଦୈନନ୍ଦିନ କିଣାବିକା ଏବଂ ଗରିବ ବ୍ୟବସାୟୀଙ୍କ ରୋଜଗାର ନିଶ୍ଚିତ ଭାବେ ବାଧାପ୍ରାପ୍ତ ହେବ। ତେବେ ପେମେଣ୍ଟ ଇଣ୍ଡଷ୍ଟ୍ରି ପକ୍ଷରୁ ଆଶା ରଖାଯାଇଛି ଯେ, ବାସ୍ତବିକ ସମସ୍ୟାକୁ ବୁଝି RBI ଖୁବଶୀଘ୍ର ଡେଡ୍‌ଲାଇନ୍ ବଢ଼ାଇବା ନେଇ ଘୋଷଣା କରିପାରେ।