ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାରେ ବଢ଼ୁଥିବା ଅତିରିକ୍ତ ଲିକ୍ୟୁଡିଟି ଏବଂ ମହଙ୍ଗାଇ ଚାପକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପୁଣିଥରେ ରେପୋ ରେଟ୍ ବଢ଼ାଇପାରେ। ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (UBI)ର ଏକ ରିପୋର୍ଟ ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ରେପୋ ରେଟ୍ ବୃଦ୍ଧିର ସମ୍ଭାବନା ରହିଛି।

ବର୍ତ୍ତମାନ RBIର ରେପୋ ରେଟ୍ ୫.୨୫% ରହିଛି। ୟୁବିଆଇର ବେସ୍-କେସ୍ ଆକଳନ ଅନୁସାରେ, ଏଥିରେ ୨ରୁ ୩ ଥର ୨୫ ବେସିସ୍ ପଏଣ୍ଟ୍ ବୃଦ୍ଧି ହୋଇପାରେ। ଫଳରେ ରେପୋ ରେଟ୍ ୫.୭୫%ରୁ ୬% ପର୍ଯ୍ୟନ୍ତ ଯାଇପାରେ। ଏହି ରେଟ୍ ହାଇକ୍ ସାଇକେଲ୍‌ରେ ସମ୍ଭାବ୍ୟ ଆରମ୍ଭ ଡିସେମ୍ବରରୁ ହୋଇପାରେ ବୋଲି ରିପୋର୍ଟ କହିଛି।

ଏପଟେ ଆରବିଆଇର ସ୍ପେଶାଲ୍ ସ୍ୱାପ୍ ସୁବିଧା ଅଧୀନରେ ବିଦେଶୀ ମୁଦ୍ରା ଆଗମନ ଅଗଷ୍ଟ ୩୧ ସୁଦ୍ଧା ପ୍ରାୟ ୧୩୬ ବିଲିୟନ୍ ଡଲାରରେ ପହଞ୍ଚିଛି। ଏଥିରୁ ୧୨୭.୨୩ ବିଲିୟନ୍ ଡଲାର FCNR(B) ଡିପୋଜିଟ୍ ମାଧ୍ୟମରେ ଆସିଛି। ଏହି ବିପୁଳ ଧନପ୍ରବାହ ଯୋଗୁ ବ୍ୟାଙ୍କିଂ ସିଷ୍ଟମର କୋର୍ ଲିକ୍ୱିଡିଟି ଜୁନ୍ ମଧ୍ୟଭାଗର ₹୪.୮୨ ଲକ୍ଷ କୋଟିରୁ ଅଗଷ୍ଟ ମଧ୍ୟଭାଗରେ ₹୮.୦୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ଏକ ଆକଳନ ଅନୁସାରେ, ସେପ୍ଟେମ୍ବର ୧୧ ସୁଦ୍ଧା ଏହା ₹୧୪.୧୭ ଲକ୍ଷ କୋଟି ପର୍ଯ୍ୟନ୍ତ ଯାଇପାରେ।

ଅତିରିକ୍ତ ଲିକ୍ୟୁଡିଟି କମାଇବାକୁ RBI VRRR, I-CRR, ବଣ୍ଡ ବିକ୍ରି ଏବଂ ଫରେନ୍ ଏକ୍ସଚେଞ୍ଜ୍ ସ୍ୱାପ୍ ଭଳି ପଦକ୍ଷେପ ନେଇପାରେ। ତେବେ ଯଦି ସେପ୍ଟେମ୍ବରରେ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ବଢ଼ାଏ, ତେବେ ଅକ୍ଟୋବରରେ ମଧ୍ୟ ଆରିବିଆଇ ରେପୋ ରେଟ୍ ବଢ଼ାଇବାର ସମ୍ଭାବନାକୁ ଏଡ଼ାଯାଇପାରିବ ନାହିଁ।