ନୂଆଦିଲ୍ଲୀ ୦୪।୦୮:ଦେଶର ଡିଜିଟାଲ ଅର୍ଥନୀତି ବିକାଶରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ(ୟୁପିଆଇ) ବିପ୍ଳବ ଆଣିଛି। ହାତରେ ନଗଦ ନ ଥିଲେ ମଧ୍ୟ ମାତ୍ର କିଛି ସେକେଣ୍ଡରେ ଯେକୌଣସି ସ୍ଥାନରେ ଅର୍ଥ ପ୍ରଦାନ କରିବା ଏହାଦ୍ୱାରା ସହଜ ହୋଇଛି । ଛୋଟ ଦୋକାନଠାରୁ ବଡ଼ ଶପିଂ ମଲ୍ ପର୍ଯ୍ୟନ୍ତ ସବୁଠାରେ ୟୁପିଆଇର ଆଦୃତି ବଢ଼ିଛି । କିନ୍ତୁ ଏହି ସୁବିଧା ମଧ୍ୟବିତ୍ତ ପରିବାରଙ୍କ ଆର୍ଥିକ ଶୃଙ୍ଖଳା ଉପରେ ନକରାତ୍ମକ ପ୍ରଭାବ ମଧ୍ୟ ପକାଉଛି । ୟୁପିଆଇ ମଧ୍ୟବିତ୍ତଙ୍କ ପକେଟ କଣା କରୁଥିବା କହିଛନ୍ତି ଅର୍ଥ ବିଶେଷଜ୍ଞ ।

ଇଣ୍ଟରନ୍ୟାଶନାଲ ଜର୍ଣ୍ଣାଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ମ୍ୟାନେଜମେଣ୍ଟ ରିସର୍ଚ୍ଚ ପକ୍ଷରୁ ୟୁପିଆଇ, ପେଟିଏମ୍, ଆପଲ୍ ପେ ଭଳି ଡିଜିଟାଲ ପେମେଣ୍ଟ ଆପ୍ଲିକେସନ ଗୁଡିକର ଖାଉଟିଙ୍କ ଖର୍ଚ୍ଚ ବ୍ୟବହାରକୁ ନେଇ ନିକଟରେ ଏକ ଅଧ୍ୟୟନ ପ୍ରକାଶିତ ହୋଇଛି । ଏଥି ସର୍ଭେ ମୁତାବକ, ଡିଜିଟାଲ ପେମେଣ୍ଟ ଯୋଗୁ ଖର୍ଚ୍ଚ ଅଧିକ ସୁଗମ ଓ ସରଳ ହୋଇଛି । ନଗଦ ନେଣଦେଣ ତୁଳନାରେ ଲୋକେ ଡିଜିଟାଲ ପ୍ଲାଟଫର୍ମ ଗୁଡିକରେ ଅଧିକ ତ୍ୱରିତ ଭାବେ ଖର୍ଚ୍ଚ କରୁଛନ୍ତି । କ୍ୟୁଆର୍ କୋଡ୍ ଏବଂ ୱାନ୍ କ୍ଲିକ ପେମେଣ୍ଟ ଯୋଗୁ ପ୍ରଲୋଭନ ଜନିତ କ୍ରୟ ଏବଂ ଖର୍ଚ୍ଚ ବଢ଼ିଛି ।

୪୩% ୟୁଜର ଏଭଳି କ୍ରୟ କେବେ କେବେ କରୁଥିବା ବେଳେ ୩୧%ରୁ ଉଦ୍ଧ୍ୱର୍ ୟୁଜର ନିୟମିତ ଭାବେ ଏବଂ ୭୦% ୟୁଜର ବିନା ଯୋଜନାରେ ଖର୍ଚ୍ଚ କରୁଛନ୍ତି । କପେ ଚା ହେଉକି ଅଟୋ ରିକ୍ସାରେ ଯାତ୍ରା ଡିଜିଟାଲ ପେମେଣ୍ଟ କରୁଛନ୍ତି ଲୋକେ । ଡିଜିଟାଲ ପେମେଣ୍ଟ ଯୋଗୁ ଇ-କମର୍ସ କ୍ଷେତ୍ର ଏବଂ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଗୁଡିକରେ ଅଭୂତପୂର୍ବ ଅଭିବୃଦ୍ଧି ହୋଇଛି । ନଗଦ ତୁଳନାରେ ଡିଜିଟାଲ ପେମେଣ୍ଟ ୟୁଜରମାନେ ୪୦ରୁ ୪୮% ଯାଏ ଅଧିକ ଖର୍ଚ୍ଚ କରୁଛନ୍ତି । ଡିଜିଟାଲ ୱାଲେଟ ୟୁଜରଙ୍କ କ୍ଷେତ୍ରରେ ପ୍ରଲୋଭିତ ହୋଇ କ୍ରୟ କରିବା ୪୦% ଯାଏ ବଢ଼ିଛି ।

ହୋମ୍ କ୍ରେଡିଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ୮୦% ନିମ୍ନ ମଧ୍ୟବିତ୍ତ ପରିବାର ୟୁପିଆଇ ବ୍ୟବହାର କରୁଛନ୍ତି । ୫୦% ଲୋକ ଅନ୍ଲାଇନ ଲୋନ ଆପ୍ଲିକେଶନ ଗୁଡିକୁ ପସନ୍ଦ କରୁଛନ୍ତି । ପ୍ରତି ୫ରୁ ୪ ଜଣ ନିମ୍ନ ମଧ୍ୟବିତ୍ତଙ୍କ ନିକଟରେ ଏବେ ରହିଛି ୟୁପିଆଇ । ଏହା ୟୁପିଆଇର ବ୍ୟାପକ ପହଞ୍ଚକୁ ଦର୍ଶାଉଛି । ଏନ୍ପିସିଆଇ ରିପୋର୍ଟ ଅନୁସାରେ, ଜୁଲାଇ ମାସରେ ପ୍ରାୟ ୨୯.୮୮ ଲକ୍ଷ କୋଟିର ୟୁପିଆଇ ନେଣଦେଣ ହୋଇଛି । ଟିୟର-୨, ଟିୟର-୩ ଏବଂ ଗ୍ରାମାଞ୍ଚଳ ବଜାରରେ ୟୁପିଆଇ ଦୈନଦିନ ନେଣଦେଣରେ ଏକ ପ୍ରମୁଖ ସ୍ଥାନରେ ରହିଛି । ଖାଉଟିମାନେ ସ୍ଥାନୀୟ ବଜାରରେ କିଣାକିଣି, ରିଚାର୍ଜ, ବିଲ୍ ପେମେଣ୍ଟସ, ଟଙ୍କା ପଠାଇବା ଲାଗି ୟୁପିଆଇର ଜୋରଦାର ବ୍ୟବହାର କରୁଛନ୍ତି ।

ପୂର୍ବରୁ ନଗଦ ଟଙ୍କା ଖର୍ଚ୍ଚ କରିବା ବେଳେ ଲୋକମାନେ ଅଧିକ ସଚେତନ ରହୁଥିଲେ । ମାତ୍ର ୟୁପିଆଇ ଜରିଆରେ ମାତ୍ର ଗୋଟିଏ କ୍ଲିକରେ ପେମେଣ୍ଟ ହେଉଥିବାରୁ ଛୋଟଛୋଟ ଖର୍ଚ୍ଚ ଉପରୁ ଧ୍ୟାନ ହଟିଯାଉଛି । ଅତି ସହଜ ପେମେଣ୍ଟ ହେଉଥିବାରୁ ଲୋକେ ଅନ୍ଲାଇନରୁ ଖାଦ୍ୟ ମଗାଇବା, ଶପିଂ ଏବଂ ବିଭିନ୍ନ ସବ୍ସ୍କ୍ରିପଶନ କରୁଛନ୍ତି । ଦିନକୁ ୫୦, ୧୦୦ କିମ୍ବା ୨୦୦ ଟଙ୍କାର ଅନେକ ନେଣଦେଣ ମାସ ଶେଷ ବେଳକୁ ମୋଟା ଅଙ୍କ ଖର୍ଚ୍ଚରେ ପରିଣତ ହେଉଛି । ଫଳରେ ସଞ୍ଚୟ କମିବା ସହ ପରିବାର ଗୁଡିକର ମାସିକ ବଜେଟ ଗଣିତ ବିଗୁଡୁଛି । ଅନ୍ୟପଟେ ୟୁପିଆଇ ଆପ୍ ଗୁଡିକରେ କ୍ୟାସ୍ବ୍ୟାକ, ଆକର୍ଷଣୀୟ ରିହାତି, ବାଏ ନାଓଁ ପେ ଲ୍ୟାଟର ଏବଂ ତ୍ୱରିତ ଋଣ ଭଳି ଅନେକ ସୁବିଧା ରହୁଥିବାରୁ ଏହାକୁ ନେବାକୁ ଲୋକେ ପ୍ରଲୋଭିତ ହେଉଛନ୍ତି । ଏହା ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାକୁ ପ୍ରେରିତ କରୁଛି । ବିଶେଷ କରି ଯୁବକର୍ମଜୀବି ଏବଂ ମଧ୍ୟବିତ୍ତ ପରିବାର ଗୁଡିକ ଉପରେ ଏହାର ପ୍ରଭାବରେ ଅଧିକ ଋଣ ଭାର ବହନ କରୁଥିବା ଦେଖାଯାଉଛି ।