ମୁମ୍ବାଇ, ୦୫/୦୫: ସୋମବାର ଆଇପିଏଲରେ ଖେଳାଯାଇଥିବା ମୁକାବିଲାରେ ଜବରଦସ୍ତ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦେଇଥିବା ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି । ମୁମ୍ବାଇ ବିଜୟର ହିରୋ ଥିଲେ ରୋହିତ ଶର୍ମା ଏବଂ ରିୟାନ୍ ରିକେଲଟନ୍ ।

ରିପୋର୍ଟ ଅନୁସାରେ, ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ଦଳ ଦମଦାର୍ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ମିଚେଲ୍ ମାର୍ଶ, ନିକୋଲାସ ପୁରନଙ୍କ ବ୍ୟାଟିଂ ବଳରେ ଦଳ ନିର୍ଧାରିତ ୨୦ ଓଭରରେ ୨୨୮ ରନ୍ ସଂଗ୍ରହ କରିଥିଲା । ଯାହାକୁ ଚେଜ୍ କରିବା ସହଜ ନୁହେଁ ।

କିନ୍ତୁ ମୁମ୍ବାଇ ବ୍ୟାଟର ରୋହିତ ଶର୍ମା ଏବଂ ରିକେଲଟନ୍ ବିସ୍ଫୋରକ ପାଳି ଖେଳିଥିଲେ । ଉଭୟ ଛକା ଏବଂ ଚଉକା ବର୍ଷା କରିଥିଲେ । ଏହାସହ ଅର୍ଧଶତକ ମଧ୍ୟ ହାସଲ କରିଥିଲେ । ରିକେଲଟନ୍ ୮୩ ରନ୍ କରି ଆଉଟ୍ ହୋଇଥିବା ବେଳେ ରୋହିତ ୮୪ ରନ୍ କରିଥିଲେ । ଫଳରେ ଦଳର ବିଜୟ ସହଜ ହୋଇଥିଲା । ୧୮.୪ ଓଭରରେ ୪ ଓ୍ୱିକେଟ୍ ହରାଇ ଏମଆଇ ଟାର୍ଗେଟ୍ ହାସଲ କରିନେଇଥିଲା ।

ତେବେ ଏହି ବିଜୟ ସହ ମୁମ୍ବାଇର ପଏଣ୍ଟ ଟେବୁଲରେ ଅଙ୍କ ବୃଦ୍ଧି ପାଇଛି । ମୁମ୍ବାଇ ୧୦ଟି ମ୍ୟାଚରୁ ୩ଟିରେ ଜିତିବା ସହ ୭ଟିରେ ପରାସ୍ତ ହୋଇଛି । ଫଳରେ ଦଳକୁ ୬ ପଏଣ୍ଟ ମିଳିଛି । ଲକ୍ଷ୍ନୌକୁ ହରାଇଲା ପରେ ବି ଟିମ୍ ୯ ନମ୍ବରରେ ରହିଛି । ମୁମ୍ବାଇ ତଳକୁ ଲକ୍ଷ୍ନୌ ରହିଛି । ଦଳ ୯ଟି ମ୍ୟାଚରୁ ୨ଟିରେ ଜିତିଥିବା ବେଳେ ୭ଟି ମୁକାବିଲା ହାରିଛି ।ଅନ୍ୟ ଦିଗରେ ଏକ ନମ୍ବରରେ ପଞ୍ଜାବ କିଙ୍ଗସ୍ ଥିବା ବେଳେ ଦୁଇ ନମ୍ବରରେ ଆରସିବି, ତିନିରେ ସନ୍ ରାଇଜର୍ସ ହାଇଦ୍ରାବାଦ ରହିଛନ୍ତି । ସେହିପରି ୪ ନମ୍ବରରେ ରାଜସ୍ଥାନ ରୟାଲ୍ସ ରହିଛି ।