ନୂଆଦିଲ୍ଲୀ ୭।୨: ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନ ଦୃଷ୍ଟିରୁ ୨୦୨୬ ମସିହା ଏକ ଖାସ ବର୍ଷ ହେବାକୁ ଯାଉଛି। ବର୍ଷ ତମାମ କେତେକ ପ୍ରମୁଖ ଗ୍ରହ ସେମାନଙ୍କ ଚାଲ ବଦଳେଇବେ। ଏଥିରେ କିଛି ଏପରି ସଂଯୋଗ ସୃଷ୍ଟି ହେବ ଯାହା ଅତ୍ୟନ୍ତ ଦୁର୍ଲଭ ଓ ଏପରି ଦୃଶ୍ୟ ଖୁବ୍ ବିରଳ। ଏହିପରି ଏକ ବିରଳ ସଂଯୋଗ ୨୮ ଫେବୃଆରୀ ସନ୍ଧ୍ୟାରେ ଦେଖିବାକୁ ମିଳିବ ଯେତେବେଳେ ସାନ୍ଧ୍ୟ ଆକାଶରେ ଗୋଟିଏ କି ଦୁଇଟି ନୁହେଁ ଏକକାଳୀନ ୬ଟି ଗ୍ରହ ଗୋଟିଏ ଧାଡିରେ ଦେଖାଯିବେ।

୨୮ ଫେବୃଆରୀ ୨୦୨୬ ସନ୍ଧ୍ୟାରେ ସୂର୍ଯ୍ୟାସ୍ତର ୩୦ ମିନିଟ୍ ପରେ ପଶ୍ଚିମ ଦିଗବଳୟରେ ୬ ଗ୍ରହଙ୍କୁ ଗୋଟିଏ ଧାଡିରେ ଦେଖା ଯାଇ ପାରିବ। ଏହି ଗ୍ରହଙ୍କ ମଧ୍ୟରେ ବୁଧ, ଶୁକ୍ର, ଶନି, ନେପଚୁନ, ୟୁରାନ୍ସ ଓ ବୃହସ୍ପତି ଦେଖା ଯିବେ। ଏଥିରେ ଶୁକ୍ର ଅଧିକ ଉଜ୍ୱଳ ଦେଖାଯିବାକୁ ଥିବା ବେଳେ ବୃହସ୍ପତି ଟିକେ ଉଚ୍ଚାରେ ଦେଖାଯିବେ। ଏଥିରୁ ୪ଟି ଗ୍ରହଙ୍କୁ ଖାଲି ଆଖିରେ ଦେଖା ଯାଇ ପାରିବ। ତେବେ ନେପଚୁନ ଓ ୟୁରାନ୍ସ ଗ୍ରହଙ୍କୁ ଦେଖିବା ପାଇଁ ଦୂରବିକ୍ଷଣର ଆବଶ୍ୟକତା ପଡିବ। ହେଲେ ଗ୍ରହଙ୍କ ଏପରି ସ୍ଥିତିରୁ କଣ ହେବ ଆସନ୍ତୁ ଜାଣିବା।

ଖଗୋଳିୟ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ନିମନ୍ତେ ୨୮ ଫେବୃଆରୀ ସନ୍ଧ୍ୟା ଖାସ ହେବାକୁ ଯାଉଛି। ଏହି ଦିନ ସୂର୍ଯ୍ୟାସ୍ତ ହେବାର କିଛି ସମୟ ପରେ ଆକାଶରେ ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ନାସା ଓ ଖଗୋଳ ବିଶେଷଜ୍ଞଙ୍କ ଅନୁସାରେ ଏହି ବିରଳ ପ୍ଲାନେଟରୀ ଆଲାଇନମେଣ୍ଟ ଫେବୃଆରୀ ମାସ ଶେଷ ଦିନରୁ ମାର୍ଚ୍ଚ ପ୍ରାରମ୍ଭ ପର୍ଯ୍ୟନ୍ତ ଦେଖାଯିବ। ଏଥିରେ ଫେବୃଆରୀ ୨୮ ତାରିଖ ଦିନ ଏହି ଦୃଶ୍ୟ ଅତ୍ୟନ୍ତ ସ୍ପଷ୍ଟ ଦେଖାଯିବ। ଏହା ଏକ ଖାସ ସୁଯୋଗ, କାରଣ ଏପରି ନୈସର୍ଗିକ ଦୃଶ୍ୟ ଖୁବ୍ କ୍ୱଚିତ ଦେଖାଯାଏ।

ଏହି ୬ ଗ୍ରହ ସୂର୍ଯ୍ୟଙ୍କ ପରିକ୍ରମା ପଥ (ଏକ୍ଲିପ୍ଟିକ୍)ରେ ଏକ ଧାଡିରେ ରହିବେ। ଏହି ଦୃଶ୍ୟ ଦେଖିବା ପାଇଁ ଫେବୃଆରୀ ୨୮ ତାରିଖ ସୂର୍ଯ୍ୟାସ୍ତର ୩୦ରୁ ୪୫ ମିନିଟ୍ ପରେ ପଶ୍ଚିମ ଦିଗବଳୟ ଉପରେ ନଜର ପକାଇବାକୁ ହେବ। ଏଥିରେ ଶୁକ୍ର ଦିଗବଳୟର ଖୁବ୍ ତଳେ ଉଜ୍ୱଳ ଭାବେ ଦେଖାଯିବେ। ଶୁକ୍ରଙ୍କୁ ସନ୍ଧ୍ୟା ତାରା ମଧ୍ୟ କୁହାଯାଏ। ଶୁକ୍ରଙ୍କ ପାଖକୁ ଟିକେ ଉପରକୁ ପଶ୍ଚିମ ଦିଗବଳୟରେ ବୁଧ ଗ୍ରହ ମଧ୍ୟ ଦେଖାଯିବେ, ତେବେ ଏହାର ଚମକ୍ କମ୍ ରହିବ। ବୁଧ ଗ୍ରହ ଉପରକୁ ଶନି ଗ୍ରହ ରହିବେ ଓ ଏହାର ସ୍ଥିର ଚମକ୍ ଦେଖାଯିବ। ଏହା ଉପରକୁ ବୃହସ୍ପତି ଦେଖାଯିବେ। ଏହା ବେଶ୍ ଉଚ୍ଚାରେ ଝଟକୁଥିବାର ଦେଖାଯିବେ। ୟୁରାନ୍ସ ନେପଚୁନ ଟିକେ ଉପରେ ରହୁଥିବା ବେଳେ ଝାପସା ଦେଖାଯିବେ। ଏହି ଦୃଶ୍ୟ ସାରା ଭାରତରେ ଦେଖିବାକୁ ମିଳିବ।

ଫେବୃଆରୀ ୨୮ ତାରିଖ ବେଳକୁ ଚନ୍ଦ୍ର ପୂର୍ଣ୍ଣିମା ପାଖାପାଖି ହୋଇଥିବେ। ଚନ୍ଦ୍ର ଏହି ସମୟରେ ବୃହସ୍ପତିଙ୍କ ନିକଟରେ ଥିବ। ଚନ୍ଦ୍ରଙ୍କ ଜ୍ୟୋତିରେ ୟୁରାନ୍ସ ଓ ନେପଚୁନ ଫିକା ଦେଖାଯିବେ। ଏହା ବାସ୍ତବରେ ଅପ୍ଟିକାଲ ଇଲ୍ୟୁଜନ, କାରଣ ଗ୍ରହମାନେ ନିଜନିଜ କକ୍ଷପଥରେ ସୂର୍ଯ୍ୟଙ୍କୁ ପ୍ରଦିକ୍ଷଣ କରିଥାନ୍ତି। ହେଲେ ପୃଥିବୀରୁ ଦେଖିଲେ ସେଗୁଡିକ ଧାଡିରେ ଦେଖା ଯାଆନ୍ତି। ତେବେ ବାସ୍ତବରେ ଗ୍ରହମାନେ ସିଧା ଲାଇନରେ ନଥାନ୍ତି ବରଂ ଆକାଶରେ ବିକ୍ଷିପ୍ତ ଗତି କରିଥାନ୍ତି। ଏପରି ଦୃଶ୍ୟ କେବେ କେବେ ଦେଖାଯାଏ।

ଏହା ବି ପଢନ୍ତୁ :-କ'ଣ ମହାକାଶରେ ଶୀଘ୍ର ବୁଢା ହୁଏ ଶରୀର ? ବୈଜ୍ଞାନିକମାନେ ବୟସକୁ ନେଇ କଲେ ଖୁଲାସା