ନୂଆଦିଲ୍ଲୀ ୨୬।୦୯; ଭିକାରୀ ହୋଇଗଲା କି ଏଆଇ? ରାସ୍ତାକଡ଼ରେ ବସି ଭିକ ମାଗୁଛି ରୋବଟ୍! ଲୋକଙ୍କୁ ହାତଯୋଡ଼ି ଟଙ୍କା ପାଇଁ କରୁଛି ନେହୁରା। ଆଉ ନଗଦ ଟଙ୍କା ନଥିଲେ... ବଢ଼ାଇ ଦେଉଛି QR କୋଡ୍ ସ୍କାନର! ସବୁଠୁ ଆଶ୍ଚର୍ଯ୍ୟର କଥା, ରୋବଟ୍ର ଏଭଳି ଅବସ୍ଥା ଦେଖି ଲୋକେ ବି ଦୟା ଦେଖାଉଛନ୍ତି । ଭିକ ଦେଉଛନ୍ତି । ଆଉ ଟଙ୍କା ପାଇବା ପରେ ରୋବଟ୍ ବି ଖୁସିରେ ମୁଣ୍ଡିଆ ମାରୁଛି! କିନ୍ତୁ ପ୍ରଶ୍ନ ଉଠୁଛି ରୋବଟ୍କୁ କାହିଁକି ଭିକ ମାଗିବାକୁ ପଡ଼ିଲା?

ଚୀନର ରାସ୍ତାରେ ରୋବଟ୍ର ଏଭଳି ଭିକ ମାଗିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ । ଭିଡିଓରେ ରୋବଟ୍ଟି ଆଣ୍ଠେଇ ବସି ହାତଯୋଡ଼ି ଲୋକଙ୍କୁ ଟଙ୍କା ମାଗୁଥିବା ଦେଖିବାକୁ ମିଳୁଛି । ରୋବଟ୍ ସାମ୍ନାରେ ରହିଛି ଏକ ପାତ୍ର । ଆଉ ପାଖରେ ରହିଛି QR କୋଡ୍ ସ୍କାନର । ଅର୍ଥାତ୍ ନଗଦ ନାହିଁ ତ କିଛି ଅସୁବିଧା ନାହିଁ ଡିଜିଟାଲ୍ ଭିକ ଦେଇପାରିବେ! ଆଉ ରୋବଟ୍ ଯାହା କହୁଛି, ତାହା ଶୁଣିଲେ ଆପଣ ବି ଚକିତ ହୋଇଯିବେ ।

ରୋବଟ୍ କହୁଛି—“ରିଚାର୍ଜ କରିବାକୁ ମୋ ପାଖରେ ଟଙ୍କା ନାହିଁ... ଦୟାକରି ବିଜୁଳି ବିଲ୍ ଭରିବାକୁ ମୋତେ ସାହାଯ୍ୟ କରନ୍ତୁ ।”ବାସ୍... ଏତିକି ଶୁଣିବା ପରେ କିଛି ଲୋକଙ୍କ ମନ ବି ତରଳିଗଲା । ରୋବଟ୍କୁ ଟଙ୍କା ଦେଲେ । ଆଉ ଟଙ୍କା ପାଇବା ପରେ ରୋବଟ୍ ମୁଣ୍ଡ ନୁଆଁଇ କୃତଜ୍ଞତା ଜଣାଇଲା ।ତେବେ ଏହି ରୋବଟ୍ କୌଣସି ସାଧାରଣ ରୋବଟ୍ ନୁହେଁ । ଏହା ଚୀନର ରୋବୋଟିକ୍ସ କମ୍ପାନୀ ୟୁନିଟିର ରୋବଟ୍ ବୋଲି କୁହାଯାଉଛି ।

ନିକଟରେ ଏହି କମ୍ପାନୀର ଆଉ ଏକ ରୋବଟ୍ ଇକ୍ୱାଡୋରର ଚିମ୍ବୋରାଜୋ ଆଗ୍ନେୟଗିରି ଚଢ଼ି ଚର୍ଚ୍ଚାକୁ ଆସିଥିଲା । ଆଉ ଏବେ ରାସ୍ତାକଡ଼ରେ ଭିକ ମାଗୁଥିବା ରୋବଟ୍ର ଭିଡିଓକୁ ନେଇ ପୁଣି ଚର୍ଚ୍ଚାରେ କମ୍ପାନୀ । ତେବେ ଏହି ରୋବଟ୍ର ଭିକ ମାଗିବା ପଛରେ ପ୍ରକୃତ କାରଣ ଏହା ରୋବଟ୍ର ଆର୍ଥିକ ସଙ୍କଟ ନୁହେଁ । ଏହା ଏକ ମାର୍କେଟିଂ ଷ୍ଟଣ୍ଟ୍ ବୋଲି କୁହାଯାଉଛି । ରୋବଟ୍କୁ ମଣିଷଙ୍କ ଭଳି ଭିକ ମାଗୁଥିବା ଦେଖାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଏହା ପଛର ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଛି ।

ଭିଡିଓଟି ‘@theOGalv’ ନାମକ ଏକ X ଆକାଉଣ୍ଟରେ ସେୟାର ହୋଇଥିବା କୁହାଯାଉଛି । ଆଉ ଏହା ପରେ ଭିଡିଓଟି ଜୋରଦାର ଭାବେ ଭାଇରାଲ୍ ହେଉଛି । ତେବେ ଏହି ଘଟଣା ଗୋଟିଏ କଥା ନିଶ୍ଚୟ ଦେଖାଇଦେଇଛି ଦିନେ ରୋବଟ୍ ପାହାଡ଼ ଚଢିଥିଲା, ଆଜି ରାସ୍ତାକଡ଼ରେ ଭିକ ମାଗୁଛି... ଆଗକୁ ମଣିଷ ଯାହା କରୁଛି, ରୋବଟ୍ ସେସବୁ କରିବ ।

Also read: ଶକ୍ତିଶାଳୀ ହେଉଛି AI, ଖରାପ ହାତରେ ଲାଗିଲେ ୧୦୦ କୋଟି ଲୋକଙ୍କୁ ମାରିଦେବ: ବିଲ୍ ଗେଟ୍ସଙ୍କ ଚେତାବନୀ