ମୁମ୍ବାଇ: ସଚ୍ଚିନ ତେନ୍ଦୁଲକରଙ୍କ ପିଲା ଦିନର ସାଙ୍ଗ ତଥା ଭାରତୀୟ କ୍ରିକେଟର ବିନୋଦ କାମ୍ବଲୀ ଏବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣି ଥରେ ଚର୍ଚ୍ଚାରେ। ସେ କେୟାର ସେଣ୍ଟରରୁ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଓଲ୍ଡ ଏଜ ହୋମରେ ନିଜ ପ୍ରିୟ କ୍ରିକେଟ ତାରକାଙ୍କୁ ଦେଖି ଫ୍ୟାନ୍ସ ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ କ୍ରିକେଟର ସେ ରହୁଥିବା ସେଣ୍ଟରରେ ମିଳୁଥିବା ସୁବିଧା ସୁଯୋଗକୁ ତାରିଫ କରୁଥିବା ଦେଖା ଯାଉଛନ୍ତି। ହେଲେ କହିବା ବେଳେ ଥଙ୍ଗେଇବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଫ୍ୟାନସଙ୍କ ଚିନ୍ତା ବଢେଇ ଦେଇଛି।

ଭାଇରାଲ ଭିଡିଓର ବିନୋଦ କାମ୍ବଲୀ ନିଜର ପରିଚୟ ଦେଉଛନ୍ତି ଓ ସେ କେଉଁଠି ଓ କିପରି ଅଛନ୍ତି କହୁଛନ୍ତି। ସେ ନିଦାନରେ ରହୁଥିବାର ଜଣାଇଛନ୍ତି। ସେ କହିଛନ୍ତି ଯେ ନିଦାନରେ ତାଙ୍କୁ ବହୁତ ଭଲ ସୁବିଧା ସବୁ ମିଳିଛି। ସେ ସେଠାକାର ହାଇଜିନକୁ ଏକଦମ ଫାଷ୍ଟକ୍ଲାସ୍ ବୋଲି କହୁଛନ୍ତି। ହେଲେ ସେ ଏହା କହିବା ବେଳେ ଥଙ୍ଗଉଥିବାର ଦେଖା ଯାଉଛି। ଏଣୁ ଫ୍ୟାନସ୍ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣି ଥରେ ଚିନ୍ତିତ ହୋଇ ପଡିଛନ୍ତି।

କାମ୍ବଲୀ କହୁଛନ୍ତି ଯେ ମୁଁ ଘରେ ନାହିଁ ଏଠାରେ ଏହା ଅନୁଭବ ହେଉ ନାହିଁ। ଏଠାରେ ଯେଉଁମାନେ ରହୁଛନ୍ତି ସେମାନେ ମୋତେ ଖୁବ୍ ଭଲ ପାଉଛନ୍ତି। ଏଠାରେ ତାଙ୍କୁ ବହୁତ ଭଲ ପାଇବା ମିଳୁଥିବାରୁ ସେ ଘର ବାହାରେ ହସ୍ପିଟାଲରେ ଥିବା ପରି ମନେ କରୁନଥିବା କହିଛନ୍ତି। ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ କାମ୍ବଲୀ ଏବେ ରିହାବିଲେସନ ସେଣ୍ଟରରେ ଅବସ୍ଥାନ କରୁଛନ୍ତି। ଭିଡିଓ ଶେଷରେ ସେ ଫ୍ୟାନସ୍ ଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ଫ୍ୟାନସ ମଧ୍ୟ ତାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି।

୧୯୯୧ ମସିହାରେ ପାକିସ୍ତାନ ବିପକ୍ଷରେ ଖେଳି ନିଜ କ୍ରିକେଟର କ୍ୟାରିୟର ଡେବ୍ୟୁ କରିଥିବା କାମ୍ବଲୀ ତାଙ୍କ କ୍ୟାରିୟରରେ ସେ ମୋଟ ୧୨୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୧୭ଟି ଟେଷ୍ଟ ମ୍ୟାଚ୍ ରେ ୫୪.୨୦ ଆଭରେଜରେ ୧୦୮୪ ରନ ସଂଗ୍ରହ କରିଛନ୍ତି। ଟେଷ୍ଟ ମ୍ୟାଚ୍ ରେ ସେ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ କରିଛନ୍ତି। ଟେଷ୍ଟ ମ୍ୟାଚ୍ ରେ ତାଙ୍କର ସର୍ବାଧିକ ସ୍କୋର ୨୨୭ ରନ୍ ଥିଲା। ବିନୋଦ କାମ୍ବଲୀ ୧୦୪ଟି ୱାନଡେ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି। ଏଥିରେ ୩୨.୫୯ ଆଭରେଜରେ ମୋଟ ୨୪୭୭ ରନ କରିଛନ୍ତି। ୱାନଡେରେ ସେ ୨ଟି ଶତକ ଓ ୧୪ଟି ଅର୍ଦ୍ଧଶତକ କରିଛନ୍ତି।