ପାଟନା: ବିହାରର ବାଙ୍କା ଜିଲ୍ଲାର ଐତିହାସିକ ମନ୍ଦାର ଗିରିଠାରେ ଜଣେ ଯୁବତୀଙ୍କୁ ନିର୍ଯାତନା ଏବଂ ଅସଦାଚରଣ କରାଯାଇଥିବା ଏକ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିହାରର ଜମୁଇ ଏବଂ ସମସ୍ତିପୁର ଜିଲ୍ଲାରେ ସମାନ ଘଟଣା ସାମ୍ନାକୁ ଆସିବା ପରେ ଏହା ସପ୍ତାହ ମଧ୍ୟରେ ତୃତୀୟ ନିର୍ଯାତନା ।  ଏହି ଭିଡିଓଟି ଗତ ଦୁଇ ଦିନ ଧରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ହେଉଥିଲା, ଯାହାକୁ ସୋସିଆଲ ମିଡିଆ ସେଲ୍ ହ୍ୱାଟସଆପ୍ ମାଧ୍ୟମରେ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବଉଁସୀ ଥାନା ପ୍ରଭାରୀ ପଙ୍କଜ କୁମାର ଝା ପୋଲିସ ଟିମ୍ ସହ ମନ୍ଦାର ଗିରି ଗସ୍ତ କରି ଘଟଣାସ୍ଥଳର ଯାଞ୍ଚ କରିଥିଲେ। ପ୍ରାଥମିକ ତଦନ୍ତରୁ ଏହି ଭିଡିଓଟି ମନ୍ଦାର ଗିରିରେ ହିଁ ସୁଟିଂ କରାଯାଇଥିବା ସ୍ପଷ୍ଟ ହୋଇଛି, ମାତ୍ର ଏହା ବର୍ତ୍ତମାନର ନୁହେଁ ବରଂ ଏପ୍ରିଲ ମାସର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଭିଡିଓରେ ୬ ରୁ ୭ ଜଣ ଅଜଣା ଯୁବକ ଜଣେ ଯୁବତୀଙ୍କ ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଭିଡିଓରେ ଥିବା ବ୍ୟକ୍ତିମାନଙ୍କର ପରିଚୟ ମିଳିପାରି ନାହିଁ। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସ୍ଥାନୀୟ ଗ୍ରାମବାସୀ ଏବଂ ଦୋକାନୀମାନଙ୍କୁ ପଚରାଉଚରା କରୁଛି।

ଏହି ଘଟଣାରେ ବଉଁସୀ ଥାନା ପ୍ରଭାରୀଙ୍କ ଲିଖିତ ଅଭିଯୋଗ ଆଧାରରେ ୬ ରୁ ୭ ଜଣ ଅଜଣା ଯୁବକଙ୍କ ବିରୋଧରେ ଏଫଆଇଆର (FIR) ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୭୪, ୭୫, ୭୬, ୩(୫) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (IT) ଆଇନର ୬୬E ଓ ୬୭A ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ପୋଲିସ ଭିଡିଓଟିକୁ ପ୍ରମାଣ ଭାବରେ ଜବତ କରି ଏହାର ଉତ୍ପତ୍ତି ଏବଂ ପ୍ରସାର ସଂପର୍କରେ ତଦନ୍ତ କରୁଛି। ଏହାସହ ଯୁବତୀଙ୍କ ପରିଚୟ ପ୍ରକାଶ ପାଇବା ଭଳି କୌଣସି ଭିଡିଓ କିମ୍ବା ତଥ୍ୟ ସୋସିଆଲ ମିଡିଆରେ ସେୟାର ନକରିବାକୁ ପୋଲିସ ପ୍ରଶାସନ ସାଧାରଣ ଜନତାଙ୍କୁ ନିବେଦନ କରିଛି।