ନୂଆଦିଲ୍ଲୀ: ଏୟାର ଇଣ୍ଡିଆାର ଆଉ ଜଣେ ପାଇଲଟ୍‌ ମଦ୍ୟପାନ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ଏହା ପୂର୍ବରୁ ଫୁକେଟ-ଦିଲ୍ଲୀ ବିମାନର ପାଇଲଟ ଗଞ୍ଜେଇ ସେବନ କରିଥିବା ନେଇ ପ୍ରମାଣିତ ହୋଇଥିଲା ଏବଂ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ମିଳିଥିବା ସୂଚନା ଅନୁସା ସ୍ୱିଜରଲ୍ୟାଣ୍ଡର ଜୁରିକ୍ ବିମାନବନ୍ଦରରେ ନିର୍ଦ୍ଧାରିତ ଉଡ଼ାଣ ପୂର୍ବରୁ ଆଲକହଲ୍ ପରୀକ୍ଷାରେ ବିଫଳ ହେବା ପରେ ଏୟାର ଇଣ୍ଡିଆର ଜଣେ ସହ-ପାଇଲଟଙ୍କୁ ନିଲମ୍ବିତ କରାଯାଇଛି। 

ସେପ୍ଟେମ୍ବର ୬ ତାରିଖରେ ଜୁରିକରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଥିବା 'ଏଆଇ ୧୫୧' ବିମାନର ପାଇଲଟ୍‌ ମଦ୍ୟପାନ କରିଥିବା ସନ୍ଦେହରେ ଟେକ୍-ଅଫ୍‌ର କିଛି ସମୟ ପୂର୍ବରୁ ତାଙ୍କୁ ଉଡ଼ାଣ ଲାଗି ବାରଣ କରାଯାଇଥିଲା । ପ୍ରାଥମିକ ପରୀକ୍ଷାରେ ସେ ବିଫଳ ହୋଇଥିବା ବେଳେ ଦ୍ୱିତୀୟ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ଯାତ୍ରୀ ଭାବରେ ଭାରତ ଫେରାଇ ଅଣାଯାଇଥିଲା। ଏହି ଘଟଣା ଯୋଗୁଁ ନିର୍ଦ୍ଧାରିତ ସମୟରେ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା ଏବଂ ପରଦିନ ବିମାନଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।

ଏହି ଘଟଣାର କିଛି ସପ୍ତାହ ପୂର୍ବରୁ ଫୁକେଟରୁ ଦିଲ୍ଲୀ ଆସୁଥିବା ଆଉ ଜଣେ ଏୟାର ଇଣ୍ଡିଆ ପାଇଲଟ୍ ମାରିଜୁଆନା (ଗଞ୍ଜେଇ) ସେବନ କରିଥିବା ଡ୍ରଗ୍ସ ପରୀକ୍ଷାରୁ ଜଣାପଡ଼ିଥିଲା। ଅଗଷ୍ଟ ୪ ତାରିଖରେ ଏହି ବିମାନଟି ଓଡ଼ିଶା ଆକାଶମାର୍ଗରେ ଗତି କରୁଥିବା ସମୟରେ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଆସିଥିଲା, ଯାହାଫଳରେ ୨୦ ରୁ ଅଧିକ ଯାତ୍ରୀ ଏବଂ ୪ ଜଣ କ୍ରିୟୁ ସଦସ୍ୟ ଆହାତ ହୋଇଥିଲେ। ବିମାନଟି ପରବର୍ତ୍ତୀ ସମୟରେ ଦିଲ୍ଲୀରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ପାଇଲଟ୍ ସୁଦୀପ ବଶିଷ୍ଠ କହିଥିଲେ ଯେ, ସେ ନିଦ୍ରାହୀନତା ସମସ୍ୟା ପାଇଁ ଡାକ୍ତରୀ ଔଷଧ ସେବନ କରୁଥିଲେ।

ଏହି ସମସ୍ତ ସୁରକ୍ଷା ଉଲ୍ଲଂଘନ ଘଟଣା ପରେ ଏୟାର ଇଣ୍ଡିଆ ନିଜର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ନିଶାଦ୍ରବ୍ୟ ପରୀକ୍ଷା (Dope Test) ନିର୍ଦ୍ଦେଶ ଦେଇଛି। ଏୟାରଲାଇନ୍ସ ସ୍ପଷ୍ଟ କରିଛି ଯେ, ସୁରକ୍ଷା ଏବଂ ନିୟମାବଳୀର ଉଲ୍ଲଂଘନ ପ୍ରତି 'ଜିରୋ ଟଲେରାନ୍ସ' ନୀତି ଆପଣାଯାଉଛି। କର୍ମଚାରୀମାନଙ୍କ ମଧ୍ୟରେ ଅନୁଶାସନ, ସୁରକ୍ଷା ଏବଂ ନିୟମ ପାଳନକୁ ସୁନିଶ୍ଚିତ କରିବା ପାଇଁ ଏୟାରଲାଇନ୍ସ ନିୟମିତ ସଚେତନତା କାର୍ଯ୍ୟକ୍ରମ ସହ ନିଶାଦ୍ରବ୍ୟ ପରୀକ୍ଷାକୁ କଡ଼ାକଡ଼ି ଭାବରେ ଲାଗୁ କରୁଛି।