ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ପୁରୁଷ ମାରାଥନରେ ଭାରତୀୟ ଧାବକ ସାୱନ ବରୱାଲ ରୌପ୍ୟ ପଦକ ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସେ ୪୨.୧୯୫ କିଲୋମିଟର ଦୂରତାକୁ ମାତ୍ର ୨ ଘଣ୍ଟା ୧୧ ମିନିଟ୍ ୩୭ ସେକେଣ୍ଡରେ ଶେଷ କରି ଏହି ସଫଳତା ହାସଲ କରିଛନ୍ତି।

ହିମାଚଳରୁ ଆସୁଥିବା ୨୮ ବର୍ଷୀୟ ସାୱନ ବରୱାଲ ଭାରତୀୟ ସେନାରେ କାର୍ଯ୍ୟରତ। ତାଙ୍କର ଏହି ପ୍ରଦର୍ଶନ ଭାରତୀୟ ମାରାଥନ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ମାରାଥନରେ ଜାତୀୟ ରେକର୍ଡ ସମୟ ସହ ସେ ଦୌଡ଼ ଶେଷ କରି ଦେଶ ପାଇଁ ଗୌରବ ଆଣିଛନ୍ତି।

ସାୱନଙ୍କ ଏହି ଐତିହାସିକ ପ୍ରଦର୍ଶନ ପରେ ଭାରତୀୟ ଆଥଲେଟିକ୍ସ ଜଗତରେ ଉତ୍ସାହ ବଢ଼ିଛି। ବିଶେଷକରି ଦୂରତାର ରେସ୍‌ରେ ଭାରତର ପ୍ରଦର୍ଶନକୁ ଏହି ପଦକ ଆହୁରି ମଜବୁତ କରିଛି।

ଏହି ପ୍ରତିଯୋଗିତାରେ ଜାପାନର ଇଚିତାକା ୟାମାଶିତା ୨ ଘଣ୍ଟା ୧୦ ମିନିଟ୍ ୪୯ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚୀନର ପେୟିଉ ଫେଙ୍ଗ୍ ୨ ଘଣ୍ଟା ୧୨ ମିନିଟ୍ ୧୩ ସେକେଣ୍ଡ ସହ କାଂସ୍ୟ ପଦକ ହାସଲ କରିଛନ୍ତି।

ଭାରତ ପାଇଁ ସବୁଠାରୁ ବଡ଼ କଥା ହେଲା ଏସିଆନ ଗେମ୍ସରେ ଦୀର୍ଘ ୪୪ ବର୍ଷ ଧରି ପୁରୁଷ ମାନାଥନରେ କୌଣସି ପଦକ ଆସି ନଥିଲା। ସାୱନଙ୍କ ଏହି ରୌପ୍ୟ ପଦକ ଏହାର ୪୪ ବର୍ଷର ଏହି ପ୍ରତିକ୍ଷା ଶେଷ କରିଛି। ୧୯୮୨ ମସିହାରେ ନୂଆଦିଲ୍ଲୀରେ ଆୟୋଜିତ ଏସିଆନ୍ ଗେମ୍ସରେ ହୋସୁର କୁକ୍କାପ୍ପା ସୀଥାରନ୍ କାଂସ୍ୟ ପଦକ ଜିତିଥିଲେ। ଏହା ପରେ ପ୍ରଥମ ଥର ପାଇଁ ଭାରତ ଏହି ଇଭେଣ୍ଟରେ ପଦକ ଜିତିଛି।

ଏସିଆନ୍ ଗେମ୍ସ ଇତିହାସରେ ମାରାଥନରେ ପଦକ ଜିତିଥିବା ଭାରତୀୟଙ୍କ ତାଲିକାରେ ସାୱନ ଚତୁର୍ଥ ଧାବକ ହୋଇଛନ୍ତି। ୧୯୫୧ରେ ଦିଲ୍ଲୀରେ ହୋଇଥିବା ପ୍ରଥମ ଏସିଆନ୍ ଗେମ୍ସରେ ଛୋଟା ସିଂହ ସ୍ୱର୍ଣ୍ଣ ଏବଂ ସୁରତ ସିଂହ ମାଥୁର କାଂସ୍ୟ ପଦକ ଜିତିଥିଲେ।

ଦୁଇଟି ରେସ୍, ଦୁଇଟି ଜାତୀୟ ରେକର୍ଡ

ସାୱନଙ୍କ ପାଇଁ ଏହି ସଫଳତା ତାଙ୍କ ପାଇଁ ଆହୁରି ଖାସ ରହିଛି। କାରଣ ମାରାଥନ କ୍ୟାରିୟରର ଦୁଇଟି ରେସ୍ରେ ସେ ଦୁଇଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ଚଳିତ ବର୍ଷ ହିଁ ସେ ମାରାଥନ ଦୌଡ଼କୁ ଆସିଥିଲେ। ଏହା ପୂର୍ବରୁ ସେ ୫,୦୦୦ ମିଟର, ୧୦,୦୦୦ ମିଟର ଓ ହାଫ୍ ମାରାଥନରେ ପ୍ରତିଯୋଗିତା କରୁଥିଲେ।

ଏପ୍ରିଲରେ ରୋଟରଡାମରେ ଆୟୋଜିତ ଏନ୍ଏନ୍ ମାରାଥନରେ ସେ ୨ ଘଣ୍ଟା ୧୧ ମିନିଟ୍ ୫୮ ସେକେଣ୍ଡ ସମୟ ସହ ଶିବନାଥ ସିଂହଙ୍କ ୪୮ ବର୍ଷ ପୁରୁଣା ଜାତୀୟ ରେକର୍ଡ ଭାଙ୍ଗିଥିଲେ। ଆଉ ଏଥର ଏସିଆନ୍ ଗେମ୍ସରେ ନିଜ ରେକର୍ଡକୁ ନିଜେ ଭାଙ୍ଗି ସେ ଏହି ସଫଳତା ହାସଲ କରିଛନ୍ତି।

ରେସ୍ ସରିବା ପରେ ପିଟିଆଇକୁ ପ୍ରତିକ୍ରିୟା ଦେଇ ସାୱନ କହିଛନ୍ତି ଯେ, ତାଙ୍କ ଟ୍ରେନିଂର ଲକ୍ଷ୍ୟ ଜାତୀୟ ରେକର୍ଡ ଭାଙ୍ଗିବା ନୁହେଁ, ବରଂ ପଦକ ଜିତିବା ଥିଲା। ତେବେ ରେକର୍ଡ ସହ ଦେଶ ପାଇଁ ପଦକ ଜିତିଥିବାରୁ ସେ ଖୁସି ବୋଲି କହିଛନ୍ତି।

୧୪ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ଦୌଡ଼

ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାର ଜୋଗିନ୍ଦର ନଗରରୁ ଆସିଥିବା ସାୱନଙ୍କ ବାପା କୁଲଦୀପ ନୂଆଦିଲ୍ଲୀରେ ଡ୍ରାଇଭର ଭାବେ କାମ କରୁଥିଲେ। ତାଙ୍କ ମା’ ସୁଭଦ୍ରା ଦେବୀ ଜଣେ ଗୃହିଣୀ। ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସାୱନ ଦୌଡ଼କୁ ନିଜ କ୍ୟାରିୟର କରିଛନ୍ତି।

୧୪ ବର୍ଷ ବୟସରେ ତାଙ୍କ ଦୌଡ଼ ଯାତ୍ରା ଆରମ୍ଭ ହୋଇଥିଲା। ବଡ଼ ଭାଇ ସ୍କୁଲର ଟ୍ରାକ୍ ଟିମରେ ଥିବା ବେଳେ ତାଙ୍କୁ ଦେଖି ଦୌଡ଼ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ପରେ ସେ ୧୫୦୦ ମିଟର ଦୌଡ଼ ପାଇଁ ଟ୍ରେନିଂ ନେବା ଆରମ୍ଭ କରିଥିଲେ।

୨୦୧୫ରେ ଅଣ୍ଡର-୧୮ ବର୍ଗର ୩,୦୦୦ ମିଟର ଦୌଡ଼ରେ ସାୱନ ପ୍ରଥମ ଥର ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇଥିଲେ। ୨୦୨୧ରେ ଫେଡେରେସନ୍ କପ୍ର ୫,୦୦୦ ମିଟର ଦୌଡ଼ରୁ ତାଙ୍କ ସିନିୟର କ୍ୟାରିୟର ଆରମ୍ଭ ହୋଇଥିଲା।

୨୦୨୫ ଜାତୀୟ କ୍ରୀଡ଼ାରେ ସାୱନ ୫,୦୦୦ ମିଟର ଓ ୧୦,୦୦୦ ମିଟର ଉଭୟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୯ରେ ସେ କ୍ରୀଡ଼ା କୋଟାରେ ନିଜ ବଡ଼ ଭାଇଙ୍କ ସହ ଭାରତୀୟ ସେନାରେ ଯୋଗ ଦେଇଥିଲେ।