ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ଜୋରଦାର ହୋଇଛି ନିର୍ବାଚନୀ ପ୍ରଚାର। ଦୁଇ ପ୍ରମୁଖ ଦଳ ଟିଏମସି ଏବଂ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ସୋମବାର କେନ୍ଦ୍ରମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ପ୍ରଚାର କରିଛନ୍ତି। ବଡ଼ କଥା ହେଲା ଏହି ପ୍ରଚାର ସମୟରେ ସେ ଟିଏମସି ଉପରେ ବର୍ଷିଛନ୍ତି।

ବୀରଭୂମି ଜିଲ୍ଲାର ମୟୂରେଶ୍ବରରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଇ ଶାହ, ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ବିଜେପିର ପ୍ରତିଶ୍ରୁତିକୁ ଦୋହରାଇଛନ୍ତି। ଅମିତ ଶାହ କହିଛନ୍ତି ପଶ୍ଚିମବଙ୍ଗରେ କିଛି ଲୋକଙ୍କୁ ଚାରିଥର ବିବାହ କରିବାର ଅନୁମତି ଅଛି। ହେଲେ ଯଦି ବିଜେପି କ୍ଷମତାକୁ ଆସେ, ତେବେ ୟୁସିସି ଲାଗୁ କରି ଏହା ଉପରେ ରୋକ ଲଗାଇବ। 

Also Read: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, TMC ରେ ଯୋଗଦେଲେ ନେତାଜୀଙ୍କ ନାତି ଚନ୍ଦ୍ର କୁମାର

ମହିଳାଙ୍କୁ ଆଶ୍ବସନା

ଏହି ସମୟରେ ଅମିତ ଶାହ ବିଜେପି ଦ୍ବାରା ଦିଆଯାଇଥିବା ଅନ୍ୟ ପ୍ରତିଶ୍ରୁତି ବିଷୟରେ ମଧ୍ୟ କହିଥିଲେ। ସେ ରାଜ୍ୟର ମହିଳାମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଯଦି ବିଜେପି କ୍ଷମତାକୁ ଆସେ ତେବେ ସେମାନେ ଦିନରାତି ସ୍ବାଧୀନ ଭାବରେ କାମ କରିପାରିବେ। ଶାହ ଆହୁରି ଅଭିଯାଗ କରିଛନ୍ତି ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଯୋଗୁ ରାଜ୍ୟବାସୀ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ସମ୍ପୂର୍ଣ୍ଣ ଲାଭ ପାଇପାରୁନାହାଁନ୍ତି। କିନ୍ତୁ ବିଜେପି ସରକାର ଏହି ସମସ୍ୟାର ସମାଧାନ କରିବ।

ବୋମାର ଜବାବ ଭୋଟରେ ଦେବେ ଜନତା: ଅମିତ ଶାହ

ଅମିତ ଶାହ କହିଛନ୍ତି ପଶ୍ଚିମବଙ୍ଗ ଜନତା ବୋମାର ଜବାବ ଭୋଟରେ ଦେବେ, ଆଉ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାନସଭା ନିର୍ବାଚନରେ "ଡବଲ ଇଞ୍ଜିନ" ସରକାର ଗଠନ କରିବ। ଶାହ କହିଛନ୍ତି, ଗତ ୧୫ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗକୁ ବୋମା ଏବଂ ଗୁଳିର ଗୋଦାମରେ ପରିଣତ କରିଛି। ସେ କହିଛନ୍ତି, ‘‘ପଶ୍ଚିମବଙ୍ଗର ଲୋକମାନେ ମମତା ବାନାର୍ଜୀ ବୋମା ଏବଂ ଗୁଳିର ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ମନ ସ୍ଥିର କରିଛନ୍ତି ଏବଂ ବୋମା ଏବଂ ଗୁଳିର ଜବାବ ଭୋଟରେ ଦେବେ।’’

Also Read: ପଶ୍ଚିମବଙ୍ଗରେ ବିଜେପି ଜିତିଲେ ମହିଳାଙ୍କୁ ୩୦୦୦ ସହାୟତା, ୬ ମାସରେ ଲାଗୁ ହେବ ୟୁସିସି: ଅମିତ ଶାହ

‘ସଂଖ୍ୟାଗରିଷ୍ଠଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି’

ଅମିତ ଶାହ ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ରାଜ୍ୟର ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଏହି ନିର୍ବାଚନ ରାଜ୍ୟ ଏବଂ ଦେଶରୁ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ। ଶାହ ପ୍ରଶ୍ନ କରିଛନ୍ତି ଯେ, ‘‘ଦିଦି ଆମେ ଶତାବ୍ଦୀ ଧରି ଏଠାରେ ରହୁଛୁ । ଆମକୁ ଧମକ ଦେବା ପାଇଁ ତୁମେ କିଏ? ତୃଣମୂଳ କଂଗ୍ରେସର ଶାସନ ସମୟରେ ମୁର୍ଶିଦାବାଦରେ ଦଙ୍ଗା ହୋଇଥିଲା, ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଥିଲା ଏବଂ କିଛି ସ୍ଥାନରେ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇନଥିଲା। ହେଲେ ବିଜେପି ଆସିବା ପରେ ଏସବୁ ବନ୍ଦ ହେବ ବୋଲି କହିଛନ୍ତି ଅମିତ ଶାହ।