କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଉଷ୍ମତା ମଧ୍ୟରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ନାତି (ପ୍ରପୌତ୍ର) ତଥା ପୂର୍ବତନ ବିଜେପି ନେତା ଚନ୍ଦ୍ର କୁମାର ବୋଷ ରବିବାର ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଛନ୍ତି। କୋଲକାତା ତୃଣମୂଳ ଭବନରେ ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରାତ୍ୟବସୁ ଓ ସାଂସଦ କିର୍ତ୍ତି ଆଜାଦଙ୍କ ଉପସ୍ଥିତିରେ ସେ ପାର୍ଟିର ପତାକା ଧରିଛନ୍ତି। ୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ଚନ୍ଦ୍ର କୁମାର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ବିପକ୍ଷରେ ଭବାନୀପୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରାର୍ଥୀ ହୋଇଥିଲେ। ତେବେ ଟିଏମସିରେ ଯୋଗଦେବା ଅବସରରେ ବିଜେପି ନେତାଜୀ ଓ ସମ୍ବିଧାନ ବିରୋଧୀ ବୋଲି ଚନ୍ଦ୍ରକୁମାର କହିଛନ୍ତି।

୨୦୨୩ ମସିହାରୁ ବିଜେପି ଛାଡିସାରିଥିବା ଚନ୍ଦ୍ର କୁମାର କହିଛନ୍ତି ଯେ ବିଜେପିରେ ଯୋଗ ଦେଇ ମୁଁ ଭୁଲ କରିଥିଲି। ଏବେ ଟିଏମସିରେ ଯୋଗ ଦେଇ ଏହି ଭୁଲ ସୁଧାର କରିଛି। ଚନ୍ଦ୍ରକୁମାର କହିଛନ୍ତି ଯେ ବିଜେପି ନେତାଜୀଙ୍କ ସିଦ୍ଧାନ୍ତ ଉପରେ ବିଶ୍ୱାସ କରେନି। ସେହି ପାର୍ଟିରେ ରହି ନେତାଜୀଙ୍କ ବିଚାର ଓ ଆଦର୍ଶ ଅନୁସାରେ କାମ କରିବା ସମ୍ଭବ ନଥିଲା। କାରଣ ବିଜେପି ଏଥିପାଇଁ ଅନୁମତି ଦେଇନଥିଲା। ଚନ୍ଦ୍ରକୁମାର କହିଛନ୍ତି ଯେ ବଙ୍ଗଳା ଇତିହାସ ଓ ସଂସ୍କୃତି ସହିତ ବିଜେପିର ବିଚାର ମେଳ ହେଉ ନାହିଁ। ୨୦୧୬ରେ ବିଜେପିରେ ସାମିଲ ହେବା ପରେ ଜାଣି ଯାଇଥିଲି ଯେ ଦଳ ସମ୍ବିଧାନର ଘୋର ବିରୋଧୀ।

ଚନ୍ଦ୍ରକୁମାର କହିଛନ୍ତି ଯେ ସର୍ବଧର୍ମ ସମନ୍ୱୟ ଭାରତର ଐତିହ୍ୟ। କିନ୍ତୁ ବିଜେପିରେ ଧର୍ମ, ସମ୍ପ୍ରଦାୟ, ଘୃଣା ଓ ବିଭାଜନର ରାଜନୀତି କରୁଛି। ସେହିପରି ଭବାନୀପୁର ସିଟ୍ କୁ ନେଇ ଚନ୍ଦ୍ର କୁମାର କହିଛନ୍ତି ଯେ ୨୦୧୬ ମସିହାରେ ମୁଁ ସେହି ଆସନରୁ ଲଢିଥିଲି। ସେତେବେଳେ ମମତା ବାନାର୍ଜୀଙ୍କ ଠାରୁ ପରାସ୍ତ ହୋଇଥିଲି। ଏହି ଆସନରେ ଏବେବି ମମତା ବାନାର୍ଜୀଙ୍କୁ ଛାଡିଦେଲେ ଆଉ କେହି ଜିତି ପାରିବେ ନାହିଁ। ମମତା ହିଁ ଜିତିବେ। ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ର କୁମାର ୨୦୧୬ରେ ବିଜେପିରେ ଯୋଗ ଦେଇ ଭବାନୀପୁର ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ଏହା ପରେ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପି ଟିକେଟରେ ଦକ୍ଷିଣ ଲୋକସଭା ନିର୍ବାଚନମଣ୍ଡଳିରୁ ଲଢିଥିଲେ। ତେବେ ୨୦୨୩ରେ ପାର୍ଟିରୁ ଇସ୍ତଫା ଦେଇଥିଲେ।