ନୂଆଦିଲ୍ଲୀ: ବିହାରରେ ପୁଣି ଏକ ବଡ଼ ଧରଣର ଦୁର୍ଘଟଣା । ଭାରତମାଳା ପ୍ରକଳ୍ପ ଅଧୀନରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବଡ଼ କଥା ହେଲା ଆହତଙ୍କ ମଧ୍ୟରେ ଜଣେ ଓଡ଼ିଆ ଶ୍ରମିକ ମଧ୍ୟ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ, ବିହାରର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ଲାଲଗଞ୍ଜର ଜଲାଲପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଭାରତମାଳା ପ୍ରକଳ୍ପ ଅଧୀନରେ ସୋନପୁରରୁ କେସରିଆ ମଧ୍ୟରେ ‘ବୁଦ୍ଧ ସର୍କିଟ୍’ ୬ ଲେନ୍ ବିଶିଷ୍ଟ ହାଇୱେ ପାଇଁ ଏହି ପୋଲ ନିର୍ମାଣ କରାଯାଉଥିଲା। ହେଲେ ଗୁରୁବାର ନିର୍ମାଣାଧୀନ ବ୍ରିଜ୍‌ର ଲଞ୍ଚର୍ ସ୍ଥାନାନ୍ତର କରାଯାଉଥିବା ସମୟରେ ହଠାତ୍ ଏହି ଢାଞ୍ଚାଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ତଳେ ଚାପି ହୋଇ ସେଠାରେ କାମ କରୁଥିବା ୭ ଜଣ ଶ୍ରମିକ ରକ୍ତାକ୍ତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା।

ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୫ ଜଣ ବିହାରର ହୋଇଥିବା ବେଳେ ଜଣେ ପଞ୍ଜାବ ଏବଂ ଜଣେ ଓଡ଼ିଶାର ବୋଲି ଚିହ୍ନଟ କରାଯାଇଛି। ଓଡ଼ିଶାର ଆହତ ଶ୍ରମିକଙ୍କ ପରିଚୟ ସଞ୍ଜୀବ କୁମାର ବୋଲି ଜଣାପନିଛି। ସମସ୍ତ ଆହତଙ୍କୁ ପ୍ରଥମେ ସ୍ଥାନୀୟ ଲାଲଗଞ୍ଜ ଓ ପରେ ଅନ୍ୟତ୍ର ଭର୍ତ୍ତି କରାଯାଇଛି । ତେବେ ପାଟନାର ରାମ ଭରୋସେ ଶାହ ଏବଂ ପ୍ରମୋଦ ଚୌଧୁରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ହାଜିପୁର ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Also Read: ବିହାରରେ ବନ୍ୟା ବିଭୀଷିକା ; ୧୪ ଜିଲ୍ଲାରେ ୩୫ ଲକ୍ଷରୁ ଅଧିକ ପ୍ରଭାବିତ​​​​​​​

ସେପଟେ ଖବର ପାଇ ବୈଶାଳୀ ଜିଲ୍ଲାପାଳ (ଡିଏମ୍) ବର୍ଷା ସିଂହ ତୁରନ୍ତ ଘଟଣାସ୍ଥଳ ଓ ପରେ ହସ୍ପିଟାଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ନିର୍ମାଣ କାର୍ଯ୍ୟରେ ସୁରକ୍ଷା ମାନଦଣ୍ଡର ଉଚିତ ପାଳନ ହୋଇଛି କି ନାହିଁ ? ଯାଞ୍ଚ କରାଯିବ ଏବଂ ତ୍ରୁଟି ଥିଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ତେବେ ଏସବୁ ଭିତରେ ବିହାରରେ ବାରମ୍ବାର ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଏବେ ରାଜନୀତି ପୁଣି ସରଗରମ ହୋଇଛି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏହାକୁ ନେଇ ନୀତୀଶ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ନିମ୍ନମାନର ସାମଗ୍ରୀର ବ୍ୟବହାର ଏବଂ ଏନଡିଏ ନେତାଙ୍କ ଦୁର୍ନୀତି ଯୋଗୁଁ ରାଜ୍ୟରେ ଏଭଳି ପୋଲ ଦୁର୍ଘଟଣା ସିରିଜ୍ ଚାଲିଛି। ସରକାର ପୁଣିଥରେ ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରିବେ ବୋଲି ସେ କଟାକ୍ଷ କରିଛନ୍ତି।