ନୂଆଦିଲ୍ଲୀ ୧୦।୦୯; ଲଗାଣ ବର୍ଷା ପରେ ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଗଙ୍ଗା ସମେତ ୮ଟି ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ସ୍ଥାନରେ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟର ୧୪ଟି ଜିଲ୍ଲାର ୮୪ଟି ବ୍ଲକ୍ ଓ ୫୧୪ଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହୋଇଛି। ପ୍ରାୟ ୩୫.୮୯ ଲକ୍ଷ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ଗଙ୍ଗା, କୋଶୀ, ଗଣ୍ଡକ, ବୁଢ଼ୀ ଗଣ୍ଡକ, ପୁନପୁନ, ବାଗମତୀ ଓ ଘାଘରା ନଦୀରେ ଜଳସ୍ତର ବଢ଼ିଚାଲିଛି। ସାରଣ ଜିଲ୍ଲାରେ ମାହି ନଦୀ ଉପରେ ନିର୍ମିତ ବନ୍ଧ ଭାଙ୍ଗିଯିବା ପରେ ସ୍ଥିତି ଆହୁରି ଚିନ୍ତାଜନକ ହୋଇଛି। ପାଟନା, ଭୋଜପୁର, ସାରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ, ବକ୍ସର, ସମସ୍ତିପୁର, ମୁଙ୍ଗେର, କାଟିହାର, ଲଖିସରାଇ, ଖଗରିଆ, ପୂର୍ଣ୍ଣିଆ ଓ ଅରୱାଲ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ସେପ୍ଟେମ୍ବରରେ ଏପର୍ଯ୍ୟନ୍ତ ୭୯.୬ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୩୧ ପ୍ରତିଶତ ଅଧିକ।

ଏପଟେ ଉତ୍ତର ପ୍ରଦେଶରେ ମଧ୍ୟ ବର୍ଷାର ପ୍ରଭାବ ଦେଖାଦେଇଛି। ଲଖିମପୁର ଓ ବରେଲିରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି। ବାରାଣସୀରେ ପ୍ରି-ପ୍ରାଥମିକରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖାଯାଇଛି। ଉତ୍ତରାଖଣ୍ଡର ପୌଡ଼ିରେ ଭୂସ୍ଖଳନ ଯୋଗୁଁ ଘର ଓ ଦୋକାନରେ ଫାଟ ସୃଷ୍ଟି ହୋଇଛି। ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କାରେ ୟେଲୋ ଆଲର୍ଟ ଜାରି ହୋଇଛି। ପଶ୍ଚିମବଙ୍ଗର ମାଲଦାରେ ମଧ୍ୟ ଗଙ୍ଗାର ଜଳସ୍ତର ବଢ଼ୁଥିବା ବେଳେ ମଧ୍ୟପ୍ରଦେଶରେ ଆଗାମୀ ତିନି ଦିନ ବର୍ଷାରୁ ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି।