Fujairah Petroleum Industries Under Attack: ବାରମ୍ବାର ଇରାନ ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ ହେଉଛି, କେତେବେଳେ ଜାହାଜ ଉପରେ ଭାରତୀୟ ନାବିକଙ୍କ ମୃତ୍ୟୁ ହେଉଛି ତ ଆଉ କେତେବେଳେ ଆରବ ଦେଶରେ ଥିବା ଭାରତୀୟ, ଇରାନ ମିସାଇ ଆକ୍ରମଣର ଶିକାର ହେଉଛନ୍ତି।

ଗତକାଲି ୟୁଏଇର ଫୁଜୈରାହ ପେଟ୍ରୋଲିୟମ୍ ଶିଳ୍ପ ଜୋନ୍ ଉପରେ ଇରାନର ଯେଉଁ ମିସାଇଲ ଆକ୍ରମଣ କରିଛି, ଏଥିରେ ୩ ଭାରତୀୟ ଆହତ ହୋଇଛନ୍ତି। ଆଉ ମଙ୍ଗଳବାର ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଭାରତ ସରକାର। ଇରାନର ଏଭଳି ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିବା ସହିତ ଜନବସତି ଏରିଆ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଭାରତ ଦାବି କରିଛି।

ଆମେରିକା ସହିତ ଉତ୍ତେଜନା ମଧ୍ୟରେ, ଇରାନ ୟୁଏଇକୁ ଟାର୍ଗେଟ କରି ପୁଣିଥରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ଆରମ୍ଭ କରିଛି। ସୋମବାର ଫୁଜୈରାହ ତୈଳ ଶିଳ୍ପ ଜୋନରେ ଗୋଟିଏ ଆକ୍ରମଣରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଭାରତୀୟମାନେ ଆହତ ହୋଇଥିଲେ।

ଏନେଇ ବୈଦେଶିକ ମୁଖପାତ୍ର ରଣଧୀର ଜୟସୱାଲ ଏକ୍ସ ପୋଷ୍ଟ ଲେଖିଛନ୍ତି "ଫୁଜୈରାହ ଉପରେ ହୋଇଥିବା ଆକ୍ରମଣରେ ତିନି ଭାରତୀୟ ନାଗରିକ ଆହତ ହୋଇଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ଆମେ ଏହି ଶତ୍ରୁତାକୁ ତୁରନ୍ତ ବନ୍ଦ କରିବା ଏବଂ ନାଗରିକ ଭିତ୍ତିଭୂମି ଏବଂ ନିରୀହ ନାଗରିକଙ୍କୁ ଟାର୍ଗେଟ ବନ୍ଦ କରିବା ପାଇଁ ଆହ୍ୱାନ କରୁଛୁ। ଭାରତ ପରିସ୍ଥିତିର ମୁକାବିଲା ପାଇଁ ଆଲୋଚନା ଏବଂ କୂଟନୀତି ପାଇଁ ଠିଆ ହୋଇଛି, ଯାହା ଦ୍ୱାରା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ପୁନଃସ୍ଥାପିତ ହୋଇପାରିବ।"

ରଣଧୀର ଜୈୟସ୍ୱାଲ୍ କହିଛନ୍ତି “"ଆମେ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ହର୍ମୁଜ୍ ପ୍ରଣାଳୀ ଦେଇ ମୁକ୍ତ ଏବଂ ଅବାଧ ନୌଚାଳନା ଏବଂ ବାଣିଜ୍ୟ ପାଇଁ ମଧ୍ୟ ଆହ୍ୱାନ କରୁଛୁ। ଭାରତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସମସ୍ତ ପ୍ରୟାସକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି।”

ଆକ୍ରମଣ ପରେ ୟୁଏଇର ପ୍ରତିକ୍ରିୟା

ଏହି ଆକ୍ରମଣ ପରେ ୟୁଏଇ କହିଛି ଯେ ଇରାନ ପକ୍ଷରୁ ଆସିଥିବା ଏକାଧିକ ମିସାଇଲ୍କୁ ଇଣ୍ଟରସେପ୍ଟ କରାଯାଇଛି। ଇରାନ ୩ଟି କ୍ରୁଜ ମିସାଇଲ ଆକ୍ରମଣ କରିଥିଲା। ଯେଉଁଥିରେୁ ୩ଟିକୁ ଇଣ୍ଟରସେପ୍ଟ କରାଯାଇଥିବା ବେଳେ ଗୋଟିଏ ସମୁଦ୍ରରେ ପଡ଼ିଥିଲା। ତେବେ ଇରାନର ଏହି ଆକ୍ରମଣକୁ ଅବୁଧାବି ପକ୍ଷରୁ କଡା ନିନ୍ଦା କରାଯାଇଛି। ଇରାନ ଯୁଦ୍ଧ ବଢ଼ାଇବାକୁ ଚାହୁଁଛି ବୋଲି ୟୁଏଇ କହିଛି। ଏହା ଆମ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ତେଣୁ ଏହାକୁ ବିରୋଧ କରିବାର ଆମର ପୂରା ଅଧିକାର ଅଛି ବୋଲି ୟୁଏଇ କହିଛି।

Also Read- 'ସବୁ କିଛି ଫେକ୍, ମୋ ବିରୋଧରେ ଅପପ୍ରଚାର' : ସର୍ଭେରେ ଯୁଦ୍ଧକୁ ବିରୋଧ କଲେ ଆମେରିକୀୟ, କିନ୍ତୁ ମିଛ ବୋଲି କହିଲେ ଟ୍ରମ୍ପ୍