ନୂଆଦିଲ୍ଲୀ: ଶତତ ବିକାଶ ଲକ୍ଷ୍ୟ (ଏସଡିଜି) ୨୦୩୦ ହାସଲ ଉଦ୍ଦେଶ୍ୟରେ ମିଳିତ ଜାତି ସଂଘ (ୟୁଏନ) ନଭେମ୍ବର ୨୭ ତାରିଖକୁ ‘ବାଲ୍ୟବିବାହ ନିରାକରଣ ଦିବସ’ ଘୋଷଣା କରିଛନ୍ତି। ସିୟେରାଲିୟୋନ ଦ୍ୱାରା ଅଣାଯାଇଥିବା ଏହି ପ୍ରସ୍ତାବକୁ ଭାରତ ସମର୍ଥନ କରିଥିଲା। ତେବେ ନଭେମ୍ବର ୨୭ ତାରିଖ ଭାରତ ପାଇଁ ଖାସ ଗୁରୁତ୍ୱପୂର୍ଣ୍ଣ, କାରଣ ୨୦୨୪ ମସିହାର ଏହି ଦିନରେ ଭାରତ ସରକାର ଜାତୀୟ ସ୍ତରରେ ‘ବାଲ୍ୟବିବାହ ମୁକ୍ତ ଭାରତ’ ଅଭିଯାନ ହାତକୁ ନେଇଥିଲେ। ଏଣୁ ଦେଶରେ ବାଲ୍ୟବିବାହ ହାର ୨୦୨୬ ଶେଷ ସୁଦ୍ଧା ୧୫% ତଳକୁ ହ୍ରାସ ଓ ୨୦୩୦ ବେଳକୁ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ଲକ୍ଷ୍ୟ ରଖା ଯାଇଛି।

ଭାରତରେ ଗତ କିଛି ଦଶନ୍ଧୀ ହେଲା ବାଲ୍ୟବିବାହ ମାମଲାରେ ହ୍ରାସ ଦେଖାଯାଇଛି। ହେଲେ ଏହି ସାମାଜିକ କୁସଂସ୍କାରକୁ ସମ୍ପୂର୍ଣ୍ଣ ସମାପ୍ତ କରିବା ଲାଗି ଏବେବି କଡ଼ା ଓ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି। ୨୦୧୯-୨୧ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ (ଏନଏଫଏଚଏସ-୫) ଅନୁସାରେ ୨୦-୨୪ ବର୍ଷ ଆୟୁବର୍ଗର୨୩.୩% ମହିଳାଙ୍କ ବିବାହ ୧୮ ବର୍ଷରୁ ବି କମ ବୟସରେ ହୋଇଥିଲା। ତେବେ ଆଶ୍ୱସ୍ତିର କଥା ହେଉଛି ଏନଏଫଏଚଏସ-୬(୨୦୨୩-୩୪)ରେଏହି ହାର ହ୍ରାସ ହୋଇ ୨୦.୧%କୁ ପହଞ୍ଚିଛି।

‘ଜଷ୍ଟ ରାଇଟସ୍ ଫର ଚିଲ୍ଡ୍ରେନ’ ସଂସ୍ଥାପକ ଭୁବନ ରିଭୁ ଏଥି ପାଇଁ ଚିଠାପ୍ରସ୍ତାବ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ରିଭୁ ୟୁଏନଙ୍କ ଏହି ଘୋଷଣାକୁ ଏବେ ସ୍ୱାଗତ କରିଛନ୍ତି। ସେ ଏହାକୁ ଏକ ଐତିହାସିକ ମୋଡ ବୋଲି କହି ଏହି ଘୋଷଣା ଭାରତକୁ ବିଶ୍ୱବକ୍ଷରେ ଏକ ଉଦାହରଣ କହିଛନ୍ତି। ରିଭୁଙ୍କ ଅନୁସାରେ ଭାରତ ସରକାର ୨୦୨୬ ସୁଦ୍ଧା ବାଲ୍ୟବିବାହ ହାରକୁ ୧୦% ପର୍ଯ୍ୟନ୍ତ ଆଣିବାକୁ ମହତ୍ୱାକାଙକ୍ଷୀ ଲକ୍ଷ୍ୟ ରଖିଛନ୍ତି। ଜାତୀୟ ଓ ରାଜ୍ୟସ୍ତରରେ ଜାରି ଅଭିଯାନରେ ୨୦୨୬ ଶେଷ ସୁଦ୍ଧା ଏହି ହାରକୁ ୧୫%ରୁ ହ୍ରାସ କରିବାର ପ୍ରବଳ ସମ୍ଭାବନା ରହିଛି।