ନୂଆଦିଲ୍ଲୀ: ୟୁକ୍ରେନ ପକ୍ଷରୁ ରୁଷିଆର ରାଜଧାନୀ ମସ୍କୋ (Moscow) ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଡ୍ରୋନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ଯୋଗୁଁ ମସ୍କୋରେ ଥିବା ଏକ ପ୍ରମୁଖ ତେଲ ବିଶୋଧନାଗାର (Oil Refinery) ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଇଛି ଏବଂ ସାରା ଆକାଶ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଛି।

ମସ୍କୋ ତୈଳ ବିଶୋଧନାଗାର ଉପରେ ଆକ୍ରମଣ

ୟୁକ୍ରେନ ପକ୍ଷରୁ ମସ୍କୋର ଏକ ଅତି ଗୁରୁତ୍ୱପୂର୍ଣ୍ଣ ତୈଳ ବିଶୋଧନାଗାରକୁ ଟାର୍ଗେଟ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ବିଶୋଧନାଗାର ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଡ୍ରୋନ ମାଡ଼ ହେବା ମାତ୍ରେ ବିଶୋଧନାଗାରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । କ୍ରେମଲିନ (Kremlin) ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ଲାଣ୍ଟରୁ ବାହାରୁଥିବା କଳା ଧୂଆଁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

୪ ବର୍ଷ ଭିତରେ ସବୁଠାରୁ ବଡ଼ ଆକ୍ରମଣ

ରୁଷିଆ ସରକାରଙ୍କ ସୂଚନା ଅନୁଯାୟୀ, ଗତ ଚାରି ବର୍ଷର ଯୁଦ୍ଧ ମଧ୍ୟରେ ଏହା ରୁଷିଆ ମାଟି ଉପରେ ୟୁକ୍ରେନର ସବୁଠାରୁ ବଡ଼ ଏବଂ ବିଧ୍ୱଂସକାରୀ ଡ୍ରୋନ ହାମଲା ମଧ୍ୟରୁ ଗୋଟିଏ । ମସ୍କୋର ଏହି ରିଫାଇନାରୀ ରୁଷିଆର ଅର୍ଥନୀତି ଏବଂ ସାଧାରଣ ଜୀବନଯାତ୍ରା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତଥ୍ୟ ଅନୁସାରେ, ଏହି ବିଶୋଧନାଗାର ସମଗ୍ର ମସ୍କୋ ଅଞ୍ଚଳର ଇନ୍ଧନ (Fuel) ଚାହିଦାର ଏକ-ତୃତୀୟାଂଶରୁ ଅଧିକ ଭାଗ ପୂରଣ କରିଥାଏ। ଏହା ପୂର୍ବରୁ ଜୁନ୍ ୧୬ ରେ ମଧ୍ୟ ୟୁକ୍ରେନ ସେଠାରେ ଡ୍ରୋନ ଆକ୍ରମଣ କରିଥିଲା। ସେତେବେଳେ ନିଆଁକୁ ଶୀଘ୍ର ଆୟତ୍ତ କରାଯାଇଥିଲେ ସୁଦ୍ଧା, ଏଥର ଆକ୍ରମଣ ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ବିମାନ ସେବା ବାଧାପ୍ରାପ୍ତ

ଏହି ବଡ଼ ଧରଣର ଆକ୍ରମଣ ଯୋଗୁଁ ରୁଷିଆର ପରିବହନ ଏବଂ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ମସ୍କୋର ୪ଟି ପ୍ରମୁଖ ବିମାନବନ୍ଦର (Airports) ରୁ ବିମାନ ଉଡ଼ାଣକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। ଏହାଦ୍ୱାରା ହଜାର ହଜାର ଯାତ୍ରୀ ଅସୁବିଧାରେ ପଡ଼ିଥିଲେ । ୟୁକ୍ରେନ ବର୍ତ୍ତମାନ ସିଧାସଳଖ ରୁଷିଆର ତେଲ ଏବଂ ଗ୍ୟାସ ଭିତ୍ତିଭୂମିକୁ ଟାର୍ଗେଟ କରୁଛି। ରୁଷିଆର ଅର୍ଥନୀତିକୁ ପଙ୍ଗୁ କରିବା ଲକ୍ଷ୍ୟରେ ଏହି ଆକ୍ରମଣ କରୁଛି କିଭ୍‌। ତେଲ ରପ୍ତାନିରୁ ରୁଷିଆ ଯେଉଁ ବିପୁଳ ପରିମାଣର ଅର୍ଥ ରୋଜଗାର କରୁଛି, ତାହାକୁ ରୋକିବା ସହ ରୁଷିଆର ସାଧାରଣ ନାଗରିକମାନଙ୍କୁ ଯୁଦ୍ଧର ଭୟାବହତା ଅନୁଭବ କରାଇବା ପାଇଁ ୟୁକ୍ରେନ ଏହି ନୂତନ ରଣନୀତି ଆପଣାଇଛି । ଏହି ଆକ୍ରମଣ ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ରୁଷିଆ ଏହାର କଡ଼ା ଜବାବ ଦେଇପାରେ ବୋଲି ଆଶଙ୍କା କରାଯାଉଛି।