ବ୍ରହ୍ମପୁର : ପ୍ରବେଶ ପଥରେ ଆବର୍ଜନାର ପାହାଡ଼ । ଭିତରକୁ ପଶିଲେ ପାଣି, କାଦୁଅରେ ଗୋଡ଼ ଖସେ । ଅପରିଷ୍କାର ପରିବେଶ ଯୋଗୁଁ ଦୁର୍ଗନ୍ଧ । ପାର୍ଶ୍ଵରେ ମୁକ୍ତାକାଶ ପରିଶ୍ରାଗାର । ଏପରି ପରିବେଶରେ ରହିଛି ଗରିବ ଲୋକଙ୍କୁ ସୁଷମ ଆହାର ଯୋଗାଇବାକୁ ଆହାର କେନ୍ଦ୍ର । ଏହାର ସଫେଇ ପାଇଁ ରେଳ ଷ୍ଟେସନ କର୍ତ୍ତୃପକ୍ଷ, ଆହାର କେନ୍ଦ୍ର ପରିଚାଳନା ପାଇଁ ନିଯୁକ୍ତ ସଂସ୍ଥା ଓ ବ୍ରହ୍ମପୁର ମହାନଗର ନିଗମର ଦୃଷ୍ଟି ନାହିଁ ।

ସହରର ପ୍ରବେଶ ପଥ ବ୍ରହ୍ମପୁର ରେଳ ଷ୍ଟେସନ୍ ଆଗରେ ଥିବା ଆହାର କେନ୍ଦ୍ରର ଦୂରବସ୍ଥା ଏବେ ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । କେନ୍ଦ୍ର ସମ୍ମୁଖରେ ଖୋଲାଖୋଲି ପରିଶ୍ରା କରୁଛନ୍ତି । ମାସ ମାସ ଧରି ଆବର୍ଜନା ପଡ଼ି ରହୁଛି । ମଶା, ମାଛି ଭଣ ଭଣ । ଦୁର୍ଗନ୍ଧ ସହ ରୋଗ ସଂକ୍ରମଣର ଆଶଙ୍କା ବଢୁଛି । ଦୃଶ୍ୟ ଦେଖୁଲେ ଲାଗିବ, ଲୋକେ ଏଠାକୁ ଖାଇବାକୁ ନୁହେଁ, ରୋଗକୁ ନିମନ୍ତ୍ରଣ କରିବାକୁ ଆସୁଛନ୍ତି । ଆହାର କେନ୍ଦ୍ରରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ବ୍ୟବହାରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଦୀର୍ଘ ଦିନ ଧରି ଏପରି ସ୍ଥିତି ରହିଥିଲେ ମଧ୍ୟ ବିଇଏମସି କିମ୍ବା ଆହାର କେନ୍ଦ୍ର ପରିଚାଳନା ଦାୟିତ୍ଵରେ ଥିବା ସଂସ୍ଥା ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ୫ ଟଙ୍କାରେ ଆହର ଖାଇ ଲୋକେ ହଜାରେ ଟଙ୍କାର ରୋଗ ନେଇ ଘରକୁ ଫେରୁଥିବା ଅଭିଯୋଗ ହେଉଛି ।

Also Read:ଅଜଗରକୁ ଗିଳିଦେଲା ୧୨ ଫୁଟର ଅହିରାଜ, ବଗିଚାରେ ଉଦ୍ଧାର ବେଳେ ଘଟିଲା...

ଖାଇବାକୁ ଆସିଥିବା ନିରଞ୍ଜନ ରଇତ କହିଛନ୍ତି, ଗରିବ ବୋଲି ଏଠାରେ ଖାଇବାକୁ ବାଧ୍ୟ ହେଉଛୁ । ଶୌଚାଳୟ ଠାରୁ ଏହାର ପରିସର ଅଧିକ ଦୁର୍ଗନ୍ଧ ହେଉଛି । କର୍ମଚାରୀ ପାଞ୍ଚ ଟଙ୍କା ନେଇ ଟିକଟ, ଭାତ ଓ ଡାଲି ଦେଇ ମୁହଁ ବୁଲାଇ ଦେଉଛନ୍ତି । ମିଲନ ସାହୁ କହିଛନ୍ତି, ଗେଟ୍ ପାଖରେ ସିକ୍ୟୁରିଟି ଗାର୍ଡ ଗୋଡ଼ ଲମ୍ବାଇ ବସିଥାନ୍ତି । ଗ୍ରାହକଙ୍କୁ ଠିକ୍ ବ୍ୟବହାର କରନ୍ତିନି । ଗେଟ୍ ନିକଟରେ ଜମୁଥିବା ପାଣିରେ ଗୋଡ଼ ଖସି ଲୋକେ ଆହତ ମଧ୍ୟ ହେଉଛନ୍ତି । ସରକାର ଏହାର ସଫେଇ ଓ ସୁସ୍ଥ ପରିବେଶରେ ପରିମଳ ଦାୟିତ୍ଵରେ ଥିବା ବିଇଏମ୍ସି ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା କହିଛନ୍ତି, ରେଳ ସ୍ୱାଗତ ତୋରଣଠୁ ବିଇଏମ୍ସିର ସୀମା ସରୁଛି । ତେଣୁ ସେଠାକାର ସଫେଇ ଦାୟିତ୍ଵରେ ରେଳ ଷ୍ଟେସନ କର୍ତ୍ତୃପକ୍ଷଙ୍କର । ଆହାର କେନ୍ଦ୍ର ପରିଚାଳନା ଦାୟିତ୍ଵରେ ରହିଥିବା ସଂଘର ସଭାନେତ୍ରୀ ଉଷାରାଣୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିବା ବେଳେ କୌଣସି ପ୍ରତିକ୍ରିୟା ମିଳି ନାହିଁ ।