ନୂଆଦିଲ୍ଲୀ: ବ୍ରିଟେନର ଏକ ଜଣାଶୁଣା ରେଡିଓ ଷ୍ଟେସନ ‘ରେଡିଓ କାରୋଲିନ’ରୁ ଏକ ବଡ଼ ଧରଣର ଭୁଲ୍ ସୂଚନା ପ୍ରସାରିତ ହୋଇଛି । ଷ୍ଟେସନ ପକ୍ଷରୁ ଭୁଲବଶତଃ ବ୍ରିଟେନର ରାଜା କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ମୃତ୍ୟୁ ହୋଇଯାଇଥିବା ଘୋଷଣା କରାଯାଇଥିଲା । ଏହି ଖବର ପ୍ରସାରିତ ହେବା ପରେ ଶ୍ରୋତାମାନଙ୍କ ମଧ୍ୟରେ ଶୋକ ଖେଳିଯାଇଥିଲା । ତେବେ ଏହା ଏକ ବୈଷୟିକ ତ୍ରୁଟି ଯୋଗୁଁ ଘଟିଥିବା ସ୍ପଷ୍ଟ କରି ଷ୍ଟେସନ କର୍ତ୍ତୃପକ୍ଷ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଏସେକ୍ସ (Essex) ସ୍ଥିତ ରେଡିଓ କାରୋଲିନର ମୁଖ୍ୟ ଷ୍ଟୁଡିଓରେ କମ୍ପ୍ୟୁଟର ଜନିତ ତ୍ରୁଟି ହେତୁ ହଠାତ୍ ‘ଡେଥ୍ ଅଫ୍ ଏ ମୋନାର୍କ’ (ରାଜାଙ୍କ ନିଧନ ସମୟର ନିୟମାବଳୀ) ପ୍ରୋଟୋକଲ୍ ସକ୍ରିୟ ହୋଇଯାଇଥିଲା । ଏହି ଜରୁରୀକାଳୀନ ବ୍ୟବସ୍ଥାଟି ବ୍ରିଟେନର ସମସ୍ତ ଗଣମାଧ୍ୟମ ପ୍ରସ୍ତୁତ କରି ରଖିଥାନ୍ତି । ଏହାକୁ କେବଳ ରାଜା କିମ୍ବା ରାଣୀଙ୍କ ମୃତ୍ୟୁ ସମୟରେ ହିଁ ବ୍ୟବହାର କରାଯାଏ ।

ଏହି ଅଟୋମେଟେଡ୍ ସିଷ୍ଟମ୍ ଭୁଲ୍ରେ ଅନ୍ ହୋଇଯିବା ଯୋଗୁଁ ରେଡିଓରେ "ରାଜାଙ୍କ ନିଧନ ହୋଇଛି" ବୋଲି ବାର୍ତ୍ତା ଚାଲିଯାଇଥିଲା । ପ୍ରୋଟୋକଲ୍ ଅନୁଯାୟୀ ଷ୍ଟେସନ ପ୍ରାୟ ୧୫ ମିନିଟ୍ ପାଇଁ ସମ୍ପୂର୍ଣ୍ଣ ନୀରବ ହୋଇଯାଇଥିଲା । ଏହା ଦେଖି କର୍ମଚାରୀମାନେ ତୁରନ୍ତ ସିଷ୍ଟମକୁ ସୁଧାରି ପ୍ରସାରଣ ଆରମ୍ଭ କରିଥିଲେ । ଷ୍ଟେସନ ମ୍ୟାନେଜର ପିଟର ମୁର ଏକ ବୟାନରେ କହିଛନ୍ତି, "ଆମ ଷ୍ଟୁଡିଓର ଏକ କମ୍ପ୍ୟୁଟର ତ୍ରୁଟି ଯୋଗୁଁ ଏହି ଜରୁରୀକାଳୀନ ପ୍ରୋଟୋକଲ୍ ସିଷ୍ଟମଟି ଭୁଲବଶତଃ ସକ୍ରିୟ ହୋଇଯାଇଥିଲା । ଏହାଦ୍ୱାରା ଯେଉଁ ମିଥ୍ୟା ସୂଚନା ପ୍ରସାରିତ ହେଲା, ସେଥିପାଇଁ ଆମେ ମହାରାଜା ଏବଂ ଆମର ସମସ୍ତ ଶ୍ରୋତାମାନଙ୍କୁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛୁ ।"