ନୂଆଦିଲ୍ଲୀ ୧୮।୦୭; ପୂର୍ବ ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଯେଉଁଥିରେ ପ୍ରାୟ ୨୦ ଜଣ ପ୍ରାଥମିକ ସ୍କୁଲ ଶିଶୁ ଓ ଜଣେ ବସ୍ କର୍ମୀଙ୍କ ସମେତ ସମୁଦାୟ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଉଗାଣ୍ଡା ପୋଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦିଆଯାଇଛି ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ପୂର୍ବ ଉଗାଣ୍ଡାର କାପଚୋରୱା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି।

ରାଜଧାନୀ କମ୍ପାଲାରେ ଥିବା ‘କିଙ୍ଗ୍ ଡେଭିଡ୍ ଜୁନିୟର ସ୍କୁଲ୍’ ର ଛାତ୍ରଛାତ୍ରୀମାନେ ଏକ ଶିକ୍ଷାମୂଳକ ଭ୍ରମଣରେ ସିପି ଫଲ୍ସ ଜଳପ୍ରପାତକୁ ଯାଇଥିଲେ ଏବଂ ସେଠାରୁ ଫେରିବା ସମୟରେ ଏହି ଅଘଟଣ ଘଟିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବସ୍ ଚାଳକ ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ରାସ୍ତା କଡ଼କୁ ଚାଲିଯାଇ ଏକ ବଡ଼ ପଥର ସହ ପିଟି ହୋଇ ଓଲଟି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ ବସର ସମ୍ପୂର୍ଣ୍ଣ ଛାତ ଉଡ଼ିଯାଇ ସିଟଗୁଡ଼ିକ ବାହାରକୁ ଦୃଶ୍ୟମାନ ହେଉଥିଲା।

ଏହି ଦୁର୍ଘଟଣାରେ ଅନେକ ଶିଶୁ ଓ ୩ ଜଣ ବୟସ୍କ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ଅଳ୍ପକେ ବଞ୍ଚି ଯାଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗାଡ଼ିଗୁଡ଼ିକର ସମୁଚିତ ରକ୍ଷଣାବେକ୍ଷଣର ଅଭାବ, ଦ୍ରୁତ ଗତି ଏବଂ ଖରାପ ରାସ୍ତା ଯୋଗୁଁ ଉଗାଣ୍ଡାରେ ପ୍ରାୟତଃ ଏଭଳି ସଡ଼କ ଦୁର୍ଘଟଣା ଘଟିଥାଏ ବୋଲି ପୋଲିସ ପ୍ରକାଶ କରିଛି।