ନୂଆଦିଲ୍ଲୀ,୦୪/୦୮ : ଗିରଫ ହେଲେ ଉଦୟନିଧି ଷ୍ଟାଲିନ୍ । ତାମିଲନାଡୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ତାଙ୍କୁ ଗିରଫ କରାଯାଇଛି ।

ରିପୋର୍ଟ ଅନୁସାରେ, କାବେରୀ ନଦୀ ପ୍ରସଙ୍ଗକୁ ନେଇ ଏକ ସଭାରେ ଭାଷଣ ଦେବା ବେଳେ ଉଦୟନୀଧି ମୁଖ୍ୟମନ୍ତ୍ରୀ ସି.ଜୋସେଫ୍ ବିଜୟଙ୍କୁ ଘେରିବାକୁ ଚେଷ୍ଟା କରୁଥିଲେ । ସଭା ମଧ୍ୟରୁ "ତ୍ରିଷା-ତ୍ରିଷା" ନାରା ଶୁଣାଯାଇଥିଲା । ଉଦୟନିଧି କିଛି ସମୟ ଚୁପ ରହିବା ପରେ ହସିଥିଲେ । ପରେ ଏକ ଦ୍ୱିଅର୍ଥବୋଧକ କଟାକ୍ଷ କରିଥିଲେ, ଯାହାକୁ ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଇଙ୍ଗିତ ବୋଲି ଧରାଯାଇଥିଲା ।

Also Read :- 'ତ୍ରିଷା'ଙ୍କୁ ନେଇ ଦ୍ୱିଅର୍ଥବୋଧକ କଟାକ୍ଷ, ଉଦୟନିଧିଙ୍କ ବୟାନକୁ ଭର୍ତ୍ସନା କଲା ବିଜୟଙ୍କ TVK, ଗିରଫ ଦାବି କଲା ବିଜେପି

ଉଲ୍ଲେଖଯୋଗ୍ୟ ଯେ ଅଭିନେତ୍ରୀ ତ୍ରିଷା ହେଉଛନ୍ତି ମୁଖ୍ୟମନ୍ତ୍ରୀ ବିଜୟଙ୍କ ଘନିଷ୍ଠ ବନ୍ଧୁ । ସୋସିଆଲ ମିଡିଆରେ ଅନେକ ଲୋକ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଆଲୋଚନା କରନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶାସକ ଟିଭିକେ ଏବଂ ବିରୋଧୀ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଟିଭିକେର ନିନ୍ଦା

ଶାସକ ଦଳ ଟିଭିକେ ଏହି ମନ୍ତବ୍ୟକୁ "ଲଜ୍ଜାଜନକ" ବୋଲି କହିଥିଲା । ଟିଭିକେ ବିଧାୟକ ରେବନ୍ତ ଚରଣ ଏକ୍ସରେ ଲେଖିଥିଲେ ଯେ, "ସମ୍ପୂର୍ଣ୍ଣ ଘୃଣ୍ୟ । କୌଣସି ବ୍ୟକ୍ତିଙ୍କ ପ୍ରତି ଏପରି ଲଜ୍ଜାଜନକ ମନ୍ତବ୍ୟ ଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଏହା ଅରିଭାଲାୟମ୍ ପରିବାରର ମାନସିକତା, ରାଜନୈତିକ ସଂସ୍କୃତି ଏବଂ ନିମ୍ନଗାମୀ ଷ୍ଟାଣ୍ଡାର୍ଡକୁ ପଦାରେ ପକାଉଥିବା ସେ କହିଥିଲେ ।

ଅପରପକ୍ଷେ ବିଜେପିମୁଖପାତ୍ର ନାରାୟଣନ୍ ତିରୁପାଥି ଡିଏମକେ ନେତାଙ୍କୁ ଗିରଫ କରି ଜେଲ ପଠାଯିବା ଦରକାର ବୋଲି କହିଥିଲେ । ସେ କହିଥିଲେ,"ତଞ୍ଜାବୁରରେ ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତ୍ରିଷାଙ୍କ ବିଷୟରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଦ୍ୱିଅର୍ଥବୋଧକ ଭାଷଣ ଅତ୍ୟନ୍ତ ଘୃଣ୍ୟ, ଅଶ୍ଳୀଳ ଏବଂ ଲଜ୍ଜାଜନକ । ସତ କହିବାକୁ ଗଲେ, ଜଣେ ଦୁର୍ବୃତ୍ତ କିମ୍ବା ଚୋର, ଯାହାର ମା’, ସ୍ତ୍ରୀ କିମ୍ବା ଝିଅ ଅଛନ୍ତି, ସେ ମଧ୍ୟ ଏପରି ଅଶ୍ଳୀଳ ଭାଷାରେ କଥା ହେବନାହିଁ । ଏପରି କହୁଥିବା ଲୋକଙ୍କୁ କୌଣସି ମା’, ସ୍ତ୍ରୀ କିମ୍ବା ଝିଅ କ୍ଷମା ଦେବେ ନାହିଁ ।