ନୂଆଦିଲ୍ଲୀ ୧୩।୦୯; ସ୍ୱପ୍ନ ଥିଲା ପାଠ ପଢ଼ିବାର... କିନ୍ତୁ ଟଙ୍କା ଅଭାବରୁ ସ୍କୁଲ୍ରୁ ବାହାର କରିଦେଇଥିଲେ।ଦିନେ ଗଛମୂଳେ ବସି ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଆଉ ଆଜି ନିଜେ ଏକ ସ୍କୁଲ୍ର ପ୍ରତିଷ୍ଠାତା। ଯେଉଁଠି ୪୦୦ରୁ ଅଧିକ ଅଭାବୀ ପିଲା ମାଗଣାରେ ପାଠ ପଢ଼ୁଛନ୍ତି। ଏହା କୌଣସି ଫିଲ୍ମର କାହାଣୀ ନୁହେଁ... ଏହା ହେଉଛି କାନପୁରର ୨୭ ବର୍ଷୀୟ ଉଦ୍ଦେଶ୍ୟ ସଚାନଙ୍କ ସଂଘର୍ଷ ଓ ସଫଳତାର କାହାଣୀ।

KBC 18ର ହଟସିଟରେ ଯେତେବେଳେ ଉଦ୍ଦେଶ୍ୟ ସଂଘର୍ଷର କାହାଣୀ କହିଲେ, ଭାବବିହ୍ୱଳ ହୋଇଗଲେ ଅମିତାଭ । ଆଉ ତାଙ୍କ କଥାଶୁଣି ଆଗକୁ ଆସିଥିଲେ ଅଭିନେତା ଆର୍. ମାଧବନ୍ । ଯେଉଁ ପିଲା ଦିନେ ଟଙ୍କା ଅଭାବରୁ ସ୍କୁଲରୁ ବାହାରିଥିଲେ, ଆଜି ସେହି ପିଲା ଶହ ଶହ ଗରିବ ପିଲାଙ୍କ ପାଇଁ ପାଲଟିଛନ୍ତି ଶିକ୍ଷାର ଆଶା। କାନପୁରର ଉଦ୍ଦେଶ୍ୟ ସଚାନ। ପରିବାରର ଆର୍ଥିକ ସ୍ଥିତି ଥିଲା ଦୁର୍ବଳ। ବାପା ଥିଲେ ଜଣେ ଦରଜି। ଦିନକୁ ମାତ୍ର ୪ରୁ ୫ ଟଙ୍କା ରୋଜଗାରରେ ଚଳୁଥିଲା ପରିବାର।

ଏହାରି ଭିତରେ ମାଆ ମଧ୍ୟ ବିଦ୍ୟୁତ୍ ଝଟକାର ଶିକାର ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଘରର ଆର୍ଥିକ ସ୍ଥିତି ଏତେ ଖରାପ ଥିଲା ଯେ ସ୍କୁଲ୍ ଫି’ ଦେବା ସମ୍ଭବ ନଥିଲା। ଫଳ ଦୁଇଥର ସ୍କୁଲରୁ ବାହାର କରିଦିଆଯାଇଥିଲା ଉଦ୍ଦେଶ୍ୟଙ୍କୁ। କିନ୍ତୁ ଏହି ଅପମାନ ତାଙ୍କୁ ଭାଙ୍ଗିଦେଇନଥିଲା। ବରଂ ମନକୁ ଆସିଥିଲା ପ୍ରଶ୍ନ—ଯଦି ଟଙ୍କା ଅଭାବରୁ ମୋ ପାଠପଢ଼ା ଅଟକିପାରେ, ତେବେ ମୋ ଭଳି ଆଉ କେତେ ପିଲାଙ୍କ ସ୍ୱପ୍ନ ଅଟକି ରହିଛି? ଏହି ପ୍ରଶ୍ନ ହିଁ ବଦଳାଇଦେଲା ଉଦ୍ଦେଶ୍ୟଙ୍କ ଜୀବନର ଦିଗ।

ପ୍ରାୟ ୮ ବର୍ଷ ତଳେ ମାଆଙ୍କଠାରୁ ୨୫୦ ଟଙ୍କା ଧାର ନେଇ କିଛି ପାମ୍ଫଲେଟ୍ ଛପାଇଥିଲେ। ଲକ୍ଷ୍ୟ ଥିଲା ଅଭାବୀ ପିଲାଙ୍କୁ ପାଠ ପଢ଼ାଇବା। ଧୀରେ ଧୀରେ ଲୋକଙ୍କ ଭରସା ବଢ଼ିଲା। ଛୋଟ ପ୍ରୟାସ ଏକ ବଡ଼ ଅଭିଯାନର ରୂପ ନେଲା। ଆଉ ଆଜି ଏହି ପ୍ରୟାସରେ ନିଜସ୍ୱ ସ୍କୁଲ୍ ରହିଛି। ୪୦୦ରୁ ଅଧିକ ଅଭାବୀ ପିଲା ଏଠାରେ ମାଗଣାରେ ଶିକ୍ଷା ଲାଭ କରୁଛନ୍ତି। ବସ୍ତି ଅଞ୍ଚଳରୁ ଆସୁଥିବା ଏହି ପିଲାମାନେ ଏଠାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାର ସୁଯୋଗ ପାଉଛନ୍ତି।

ନିଜେ ଅଭାବ ଦେଖିଥିବା ଉଦ୍ଦେଶ୍ୟ ଏହି ସ୍କୁଲରୁ ରୋଜଗାର କରନ୍ତି ନାହିଁ। ନିଜ ମୌଳିକ ଆବଶ୍ୟକତା ବଡ଼ ଭାଇଙ୍କ ସହଯୋଗରେ ପୂରଣ କରି ସେ ଅନ୍ୟମାନଙ୍କ ଭବିଷ୍ୟତ ଗଢ଼ିବାରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ତାଙ୍କ ଏହି କାହାଣୀ ସୋସିଆଲ୍ ମିଡିଆରେ ଆସିବା ପରେ ଆର୍. ମାଧବନ୍ ମଧ୍ୟ ଉଦ୍ଦେଶ୍ୟଙ୍କ ସ୍କୁଲ୍ ବିଷୟରେ ପୋଷ୍ଟ କରି ଲୋକଙ୍କ ନଜରକୁ ଆଣିଥିଲେ। ଆଉ KBCର ମଞ୍ଚରେ ଉଦ୍ଦେଶ୍ୟଙ୍କ କାହାଣୀ ଶୁଣି ଅମିତାଭ ବଚ୍ଚନ ମଧ୍ୟ ହୋଇଥିଲେ ଭାବବିହ୍ୱଳ। କହିବାକୁ ଗଲେ KBCରେ ୧୨.୫ ଲକ୍ଷ ଟଙ୍କା ଜିତି ଫେରିଛନ୍ତି ଉଦ୍ଦେଶ୍ୟ। କିନ୍ତୁ ତାଙ୍କର ସବୁଠୁ ବଡ଼ ବିଜୟ ନିଜେ ଯେଉଁ ଶିକ୍ଷା ପାଇଁ ସଂଘର୍ଷ କରିଥିଲେ, ଆଜି ସେହି ଶିକ୍ଷାକୁ ଶହ ଶହ ଅଭାବୀ ପିଲାଙ୍କ ଘରଦ୍ୱାରରେ ପହଞ୍ଚାଇବା।