ତେହେରାନ,୨୯ /୦୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ଉପସାଗରୀୟ ଦେଶ ସିଧାସଳଖ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ୟୁଏଇକୁ ଇରାନ ଅଧିକ ଟାର୍ଗେଟ୍ କରିଛି । ଗତ ୩ ସପ୍ତାହରେ ଇରାନ ୟୁଏଇ ବିରୋଧରେ ୨୨୦୦ରୁ ଅଧିକ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି । ଅବଶ୍ୟ ୟୁଏଇର ମଜଭୁତ ଏୟାରଡିଫେନ୍ସ ସିଷ୍ଟମ ୯୫ ପ୍ରତିଶତରୁ ଅଧିକ ଆକ୍ରମଣକୁ ବିଫଳ କରିଦେଇଛି । ତେବେ ଏହା ୟୁଏଇର ଧୈର୍ଯ୍ୟଚ୍ୟୁତି ଘଟାଇଛି । ଇରାନର ଏହି ପଦକ୍ଷେପକୁ ବିରୋଧ କରି ଏବେ ୟୁଏଇ ଆମେରିକା-ଇସ୍ରାଏଲ ସହ ଯୁଦ୍ଧକୁ ଓହ୍ଲାଇପାରେ ।

Also Read :-Iran War : ଧ୍ୱଂସ ହେବ ଇରାନ ! ଆମେରିକା ପଠାଇଲା ୩୫୦୦ କମାଣ୍ଡୋ, ପହଁଚିଲା USS ତ୍ରିପୋଲି

ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୋର୍ମୁଜ ପ୍ରଣାଳୀକୁ ପୁଣି ଖୋଲିବାକୁ ଇରାନକୁ ବାଧ୍ୟ କରିବା ଲାଗି ସ୍ଥଳ ଆକ୍ରମଣ ଯୋଜନା କରୁଛନ୍ତି । ଏହି ଚର୍ଚ୍ଚା ମଧ୍ୟରେ ୟୁଏଇ ଯୁଦ୍ଧରେ ସାମିଲ ହେବାର ଅଟକଳକୁ ବଳ ମିଳିଛି । ଏହି ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ବନ୍ଦ ହେବା ଯୋଗୁ ବିଶ୍ୱରେ ତେଲ ଦାମ୍ ବଢ଼ିଯାଇଛି । ଯଦିଓ ଟ୍ରମ୍ପ ଏପ୍ରିଲ ୬ ତାରିଖ ଯାଏ ଇରାନର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି ତେବେ ସେ ହୋର୍ମୁଜ ନିକଟରେ ଥିବା ରଣନୈତିକ ଦ୍ୱୀପକୁ କବ୍ଜା ଲାଗି ଉଦ୍ୟମ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ୟୁଏଇକୁ ଟାର୍ଗେଟ୍

ଇରାନୀ ଅଧିକାରୀମାନେ ମଧ୍ୟ ୟୁଏଇରୁ ତାଙ୍କ ଦେଶ ଉପରେ ସ୍ଥଳ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରୁଛନ୍ତି । ସେମାନଙ୍କ ଅନୁସାରେ, ୟୁଏଇ ସ୍ଥଳ ଆକ୍ରମଣର ଆରମ୍ଭ କରିବ ଏବଂ ପରେ ୟୁଏଇ ଦେଇ ଆମେରିକୀୟ ସୈନିକ ଇରାନରେ ପ୍ରବେଶ କରିବେ । ଅନ୍ୟପଟେ ଇରାନ ପୂର୍ବରୁ ସ୍ପଷ୍ଟ କରିଦେଇଛି ଯେ ଯଦି ଏଭଳି ହୁଏ ତେବେ ୟୁଏଇର ବିଦ୍ୟୁତ୍ ପ୍ଲାଣ୍ଟ, ଆଣବିକସ୍ଥଳ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମରିକ ଠିକଣା ଉପରେ ଆକ୍ରମଣ କରିବ । ଆଞ୍ଚଳିକ ବିବାଦ ଯୋଗୁ ଦୀର୍ଘ ସମୟ ଧରି ଦୁଇ ଦେଶ ମଧ୍ୟରେ ସଂପର୍କ ଉତ୍ତେଜନାପ୍ରବଣ ରହିଛି । ୨୦୨୦ରେ ଆବ୍ରାହମ୍ ବୁଝାମଣା ପରେ ୟୁଏଇ ଇସ୍ରାଏଲର ନିକଟତର ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି ।