ନୂଆଦିଲ୍ଲୀ: ଅବିବାହିତ ଯୁବକ ଓ ଯୁବତୀଙ୍କ ଲାଗି ଗୋଲ୍ଡେନ ଅଫର । ବିବାହ କଲେ ୧୨ ଲକ୍ଷ ଟଙ୍କା ମିଳିବ । ଦୁଇ ବର୍ଷ ଭିତରେ ପିଲା ଜନ୍ମ କଲେ ମିଳିବ ଡବଲ୍ ବୋନସ୍, ଅର୍ଥାତ ୨୪ ଲକ୍ଷ ଟଙ୍କା । ଏମିତି ଅଫର କୌଣସି ସରକାର ନୁହେଁ, ବରଂ ଏକ କମ୍ପାନିର ମାଲିକ ଘୋଷଣା କରିଛନ୍ତି । ବିବାହ ଏବଂ ପିଲା ଜନ୍ମକୁ ପ୍ରୋତ୍ସାହନ କରିବାକୁ କୋଟିପତି ମାଲିକଙ୍କ ଏଭଳି ପ୍ରୟାସ ସାରା ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସେପଟେ କମ୍ପାନିରେ ଚାକିରି କରିଥିବା ଯୁବପୀଢ଼ିଙ୍କୁ ବି ଏ ଅଫର ଖୁବ ଆକୃଷ୍ଟ କରିଛି। ଏବେ ସେମାନେ ବିବାହ ଲାଗି ପ୍ଲାନିଂ କରୁଥିବେ ନିଶ୍ଚିତ । ସାଧାରଣତଃ ଆଜିର ସମାଜରେ ଯୁବପୀଢ଼ିଙ୍କ କ୍ଷେତ୍ରରେ ବିବାହକୁ ନେଇ କ୍ରେଜ୍ କମିବାରେ ଲାଗିଛି । ଏହାର ପ୍ରମୁଖ କାରଣ, ସେମାନେ ସ୍ବାବଲମ୍ବୀ ହୋଇପାରୁ ନାହାନ୍ତି କିମ୍ବା ଇଚ୍ଛାଶକ୍ତିର ଅଭାବ । ହେଲେ ସବୁଠାରୁ ବଡ଼ ପ୍ରୋବ୍ଲେମ ଟଙ୍କା । ରୋଜଗାର କରି ବିବାହ କରିବାକୁ ଲକ୍ଷ୍ୟ ରଖିଥିବା ଯୁବକ-ଯୁବତୀଙ୍କ ବୟସ ଗଡ଼ି ଗଡ଼ି ଚାଲିଛି। ଏଭଳି ସମୟରେ କମ୍ପାନିର ମାଲିକଙ୍କ ଏହି ଘୋଷଣା ଚର୍ଚ୍ଚା ବଢ଼ାଇଛି ।

ଦୁବାଇର ବିଲେନିୟର ବ୍ୟବସାୟୀ ଖଲାଫ ମହମ୍ମଦ ଅଲ୍ ହାବତୁର ନିଜ କମ୍ପାନିର କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି । ଏକ୍ସରେ ପୋଷ୍ଟ କରି ସେ ଆହୁରି ଘୋଷଣା କରିଛନ୍ତି, ଯଦି ଦୁଇ ବର୍ଷରେ ଦମ୍ପତି ପିଲା ଜନ୍ମ କରନ୍ତି ତେବେ ତାଙ୍କୁ ଦୁଇଗଣ ସହାୟତା ଦିଆଯିବ । ୟୁଏଇର ଯୁବପୀଢ଼ିଙ୍କୁ ବିବାହ କରିବାକୁ ଏତେ ବଡ଼ ଘୋଷଣା କରିଛନ୍ତି ଖଲାଫ । ସେ କହିଛନ୍ତି, ବିବାହ ଏକ ବ୍ୟକ୍ତିଗତ ବ୍ୟାପାର ନୁହେଁ, ବରଂ ସାମାଜିକ ଏବଂ ଜାତୀୟ ମୂଲ୍ୟବୋଧ ଉପରେ ଆଧାରିତ । ସେମାନଙ୍କ ଦ୍ବାରା ସମାଜ ଏବଂ ଏକ ଦେଶର ସଠିକ୍ ନିର୍ମାଣ ସମ୍ଭବ । ଯଦିଓ ସରକାର ଯୁବପୀଢ଼ିଙ୍କୁ ପରିବାର କରିବାକୁ ପ୍ରୋତ୍ସାହନ କରୁଛନ୍ତି, କିନ୍ତୁ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା ଉପରେ ବିଚାର କରିବା ଜରୁରୀ । ଏଥିଲାଗି କାର୍ଯ୍ୟର ଆରମ୍ଭ ହେବା ଆବଶ୍ୟକ ବୋଲି କହିଛନ୍ତି ବିଜନେସମ୍ୟାନ୍ ।

ସେ ଆହୁରି ଲେଖିଛନ୍ତି, ପରିବାର ଦେଶ ଗଠନରେ ଏବଂ ପିଲା ଦେଶର ଭବିଷ୍ୟତ ପାଇଁ ଅତି ଜରୁରୀ । ପରିବାର ଗଢ଼ିବା ଏକ ଗୁରୁ ଦାୟିତ୍ବ । ଦେଶ ନିର୍ମାଣ ଲାଗି ଛୋଟ ହେଉ କି ବଡ଼ ଫ୍ୟାମିଲି ଆବଶ୍ୟକ । ଏହା ଜଣେ ବ୍ୟକ୍ତିର ସାମାଜିକ ଦାୟିତ୍ବବୋଧକୁ ପ୍ରୋତ୍ସାହିତ କରେ । ଖଲାଫ ମହମ୍ମଦ ଅଲ୍ ହାବତୁର ୟୁଏଇର ଜଣେ ଜଣାଶୁଣା ବ୍ୟବସାୟୀ । ସେ ଏଆଇ ହାବତୁର ଗ୍ରୁପ ଅଧ୍ୟକ୍ଷ । ସେ ପୂର୍ବରୁ ଦୁବାଇ କମର୍ସିଆଲ ବ୍ୟାଙ୍କରେ ଅଧ୍ୟକ୍ଷ ଏବଂ ଏଆଇ ଜଲିଲା ଫାଉଣ୍ଡେସନର ଉପସଭାପତି ଥିଲେ । ଆରବ ନ୍ୟୁଜ ଅନୁସାରେ, ଖଲାଫ ମହମ୍ମଦ ଅଲ୍ ହାବତୁର ୟୁଏଇ ଫେଡରାଲ୍ ନ୍ୟାସନାଲ୍ କାଉନସିଲର ସଦସ୍ୟ ମଧ୍ୟ ଥିଲେ ।

ଗତବର୍ଷ ଅକ୍ଟୋବରରେ ଖଲାଫ ମହମ୍ମଦ ଅଲ୍ ହାବତୁର ଚର୍ଚ୍ଚାକୁ ଆସିଥିଲେ । ୟୁଇଏର ଯୁବପୀଢ଼ିଙ୍କୁ ବିବାହ ଲାଗି ପ୍ରୋତ୍ସାହନ କରିବାକୁ ଆଇନ ଆସୁ ବୋଲି ସେ ଦାବି କରିଥିଲେ । ସେ କହିଥିଲେ, ନିୟମ ଏମିତି ହେଉ, ୩୦ ବର୍ଷ ପୂର୍ବରୁ ଯୁବକ-ଯୁବତୀ ବିବାହ କରନ୍ତୁ । କୌଣସି ନ୍ୟାର୍ଯ୍ୟ କାରଣ ନଥାଇ, ଯେଉଁ ଯୁବକ କିମ୍ବା ଯୁବତୀ ବିବାହ କରିବାକୁ ମନା କରୁଛନ୍ତି, ସେମାନଙ୍କୁ ସମାଜର ଅବନତୀ ପାଇଁ ଦାୟୀ କରିବା କଥା ବୋଲି ସେ କହିଥିଲେ । କାରଣ ସେ ବିଚାର କରନ୍ତି, ବିବାହ ହେଉଛି ବଞ୍ଚିରହିବା ଏବଂ ସମାଜର ଏକତା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ।