ବଡ଼ବିଲ ୨୩।୩: କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ ସମେତ ୩ ପାସେଞ୍ଜର ଟ୍ରେନ୍ । ୪ ଘଣ୍ଟା ଧରି ରାସ୍ତାରେ ଅଟକି ରହିଛି ଟ୍ରେନ୍ । ୱାଗନ ଗୁଡ଼ିକୁ ଉଠାଇ ମରାମତି ପାଇଁ ଜୋରସୋରରେ ଉଦ୍ୟମ ଚଳାଇଛି ରେଳବାଇ ।

ଦୁଇଟି ୱାଗନ ଲାଇନଚ୍ୟୁତ

ସୂଚନାଯୋଗ୍ୟ ଯେ, ମୁର୍ଗା ମହାଦେବ ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଦୁଇଟି ୱାଗନ ଲାଇନଚ୍ୟୁତ ହୋଇଥିଲା । ଫଳରେ ଦିନ ପ୍ରାୟ ୧୨ଟା ୨୦ରୁ ବାଂଶପାଣି ଷ୍ଟେସନରେ ବ୍ରହ୍ମପୁର-ଟାଟା ନଗର ବନ୍ଦେ ଭାରତ ଏକ୍ସପ୍ରେସ ଅଟକି ରହିଥିବା ବେଳେ, ଦେଓଝର ଷ୍ଟେସନରେ ଅଟକିଛି ବଡ଼ବିଲ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍ । ଅନ୍ୟପଟେ ପର୍ଯ୍ୟନପୁରରେ ଅଟକିଛି ପୁରୀ-ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍ । ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ଗୁଡ଼ିକ ଅଟକିବା କାରଣରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Also Read: Maoist Operations: କନ୍ଧମାଳ ଜିଲ୍ଲାରେ ଅଛନ୍ତି ୧୧ ମାଓବାଦୀ, ଧରିବା ପାଇଁ ଚାଲିଛି ବଡ଼ କମ୍ବିଂ ଅପେରସନ

ସେପଟେ ୱାଗନ ଗୁଡ଼ିକୁ ଉଠାଇ ମରାମତି ପାଇଁ ଜୋରସୋରରେ ରେଳବାଇ ଉଦ୍ୟମ ଚଳାଇଛି । ରେଲୱେ ପକ୍ଷରୁ ବନ୍ଦେ ଭାରତ ଏକ୍ସପ୍ରେସର ପାସେଞ୍ଜରଙ୍କୁ ଟାଟା ନଗର ପଠାଇବା ପାଇଁ ସ୍ବତନ୍ତ୍ର ବସ୍ କରାଯାଇ ପଠାଇବା ପାଇଁ ରେଲୱେ ବ୍ୟବସ୍ଥା କରିଛି । ତେବେ କେତେବେଳେ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ଵାଭାବିକ ହେବା ତାହା କିଛି ସ୍ପଷ୍ଟ ସୂଚନା ନାହିଁ । ସେପଟେ ବାଂଶପାଣି ଷ୍ଟେସନ ମ୍ୟାନେଜର କିଛି ଜାଣିନାହିଁ କହିଛନ୍ତି, ବନ୍ଦେ ଭାରତକୁ ଅଟକାଇବା ପାଇଁ ଉପରୁ ନିର୍ଦ୍ଦେଶ ଆସିଥିବା ସେ କହିଛନ୍ତି । ଏଭଳି ପରିସ୍ଥିତିରେ ଟାଟା ନଗର-ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସକୁ ବାତିଲ କରାଯାଇଥିବା କୁହାଯାଉଛି । ଏଭଳି ସ୍ଥିତିରେ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।