, ୦୨/୦୯: ଏଆଇରେ ବନାଇଥିଲେ କୁମ୍ଭୀର ଫଟୋ । ନଦୀରେ ବୁଲୁଛି କହି ଭାଇରାଲ କରୁଥିଲେ । ଗାଁ ଲୋକଙ୍କୁ ଡରାଉଥିଲେ । ହେଲେ ଜଣା ପଡିଗଲା ସବୁ ସତ । ଶେଷରେ ବନ୍ଧା ହେଲେ ଦୁଇ ଯୁବକ । ଏବେ ଜେଲରେ କଟିବ ଦିନ । ଏପରି କିଛି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ । 

ରିପୋର୍ଟ ଅନୁସାରେ, କୋରାପୁଟ ଜିଲ୍ଲା ଜୟପୁର ସଦର ବୃକ ଜୟନ୍ତୀଗିରି ପଞ୍ଚାୟତ ମାଲଦା ଦେଇ ବହି ଯାଇଥିବା ବଡ଼ପଡ଼ା ନଦୀରେ କୁମ୍ଭୀର ବୁଲୁଥିବା ଖବର ଆସିଥିଲା। ଏହାର ଆକାର ପ୍ରାୟ ୧୦ ଫୁଟ ହେବ । ମାଲଦାର କେତେକ ବ୍ୟକ୍ତି ଏହାକୁ ଦେଖି ଗାଁ ଲୋକଙ୍କୁ ସୂଚନା ଦେଇଥିଲେ। ଏହାକୁ ନେଇ ନଦୀକୂଳିଆ ମଲଦା, ବଡ଼ପଡ଼ା ଲୋକ ଓ ଚାଷୀମାନେ ଆତଙ୍କିତ ହୋଇପଡ଼ିଥିଲେ ।

Also Read  :- ମହାପ୍ରଭୁଙ୍କ ରାହୁରେଖାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

କୁହାଯାଉଥିଲା କି, ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଲଦାର ଜଣେ ଚାଷୀ ସ୍ପ୍ରେ କରିବା ଲାଗି ଜମିକୁ ଯାଉଥିଲେ। ଗାଁ ପାଖ ଦେଇ ବହି ଯାଇଥିବା ବଡ଼ପଡ଼ା ନଦୀ ଭିତର ସାମାନ୍ୟ ଉଚ୍ଚ ସ୍ଥାନରେ ଦେଖିଥିଲେ ଏକ ବିରାଟ କୁମ୍ଭୀର। ପ୍ରଥମ ଥର ଲାଗି ନଦୀରେ କୁମ୍ଭୀର ଦେଖି ଡରି ଯାଇଥିଲେ। ନିଜ ମୋବାଇଲରେ ଫଟୋ ଉଠାଇଥିଲେ। ଏ ସମ୍ପର୍କରେ ଅନ୍ୟ ମାନଙ୍କୁ ଖବର ଦେଇଥିଲେ। ହଠାତ୍ କୁମ୍ଭୀରଟି ପାଣି ଭିତରେ ଲୁଚି ଯାଇଥିଲା। ଖବରପାଇ ଗାଁର ଅନ୍ୟମାନେ ନଦୀ ପଠାରେ ପହଞ୍ଚିଥିଲେ। ପ୍ରବଳ ପାଣି ଯୋଗୁ କୁମ୍ଭୀରକୁ ଆଉ ଠାବ କରିପାରି ନଥିଲେ। ଏହାପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ନଦୀକୁ ଯିବା ବେଳେ ସତର୍କ ରହିବାକୁ ଗାଁରେ କୁହାଯାଇଥିଲା।

କିନ୍ତୁ ଏହା ଏଆଇ ଫଟୋ ବୋଲି ଜଣାପଡିଛି । ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର ଥିବା AI ଫଟୋ କରି ଲୋକଙ୍କୁ ଭୟଭୀତ କରିବା ଘଟଣାର ପର୍ଦ୍ଦାଫାସ କରିଛି ବନ ବିଭାଗ। ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ AI ପ୍ରସ୍ତୁତି ନକଲି ଫଟୋ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ଏହି ମିଥ୍ୟା ଫଟୋ ଜରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇବା ଅଭିଯୋଗରେ ବୋରିଗୁମ୍ମା ବନ ବିଭାଗ ବଡ଼ପଡ଼ା ଗାଁର ୨ ଭାଇ ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ଗିରଫ କରିଛି।