ପୁରୀ ୦୨।୦୯ : ବୁଧବାର ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୨ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବଡ଼ଦେଉଳରେ ବନ୍ଦ ରହିବ ସାଧାରଣ ଦର୍ଶନ  । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେପ୍ଟେମ୍ବର ୨ ତାରିଖ, ବୁଧବାର,ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖାଲାଗି ନୀତି ଅନୁଷ୍ଠିତ ହେବ ।ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଅର୍ଥାତ୍ ରେଖାପଞ୍ଚମୀ ଦିନ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତ ମାନେ ଗୋଷ୍ଠିଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ । ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତୀଙ୍କୁ ଲାଗି କରାଯିବ ।

Also Read:-ନନ୍ଦନକାନନରେ ଅଘଟଣ : ଆକ୍ରମଣ କଲା ବାଘ, ଯୁବକଙ୍କୁ ମାରିଲା ପଞ୍ଝା

ବିଗ୍ରହ ମାନଙ୍କର ଶ୍ରୀମୁଖରେ  ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁ ରେଖା କୁହାଯାଏ । ଗୋପାଳବଲ୍ଲଭ ଭୋଗ ବଢିବା ପରେ ତଢ଼ାଉ କରଣ ଓ ଦେଉଳକରଣ ଭଣ୍ଡାର ମେକାପଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିଥାନ୍ତି। ବେହେରଣ ଦ୍ୱାର ନିକଟରେ ଥିବା ଶ୍ରୀମନ୍ଦିର ବଣିଆ ସେବକ ଉକ୍ତ ରାହୁରେଖାକୁ ମାଜି ସଫା କରିଥାନ୍ତି।

ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ସେବକ ଓ ଦଇତାପତି ସେବକ ମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ରାହୁ ରେଖା ଲାଗି କରିଥାନ୍ତି  । ତେଣୁ ଆଜି ଭୋଗମଣ୍ଡପ ପରେ ରାହୁରେଖା ଲାଗି ନୀତି ହେବାରୁ ପ୍ରାୟ ୪ ଘଣ୍ଟାର ବନ୍ଦ ରହିବ ସାଧାରଣ ଦର୍ଶନ ।