ବ୍ରହ୍ମପୁର ୨୪।୫: ବ୍ରହ୍ମପୁରରେ ବଡ଼ ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ବୁଡିଗଲେ ଦୁଇ ସାଙ୍ଗ । ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସ୍ଥାନୀୟ ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି ।

ବ୍ରହ୍ମପୁର ଆଙ୍କୁଲି ନିଗମ ନଗରର ପୋଖରୀରେ ଗାଧୋଉଥିଲେ ୪ ଜଣ ସାଙ୍ଗ । ୪ ସାଙ୍ଗଙ୍କ ମଧ୍ୟରୁ ଦୁଇ ଜଣଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ଜଣେ ଗଜପତି ନଗରର ନାବାଳକ ବିଶ୍ୱଜିତ ପଣ୍ଡା ଏବଂ ଅନ୍ୟ ଜଣେ ଖୋଡାସିଙ୍ଗି ଅଞ୍ଚଳରେ ରହୁଥିବା ଅଭିଜତ ମାରାଣ୍ଡି । ଏଭଳି ଦୁଃଖଦ ଖବର ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ଏକ ଘରୋଇ ବିଦ୍ୟାଳୟର ଥିଲେ ୪ ଜଣ ସାଙ୍ଗ । ସ୍ଵର୍ଣ୍ଣବ, ବିଷ୍ଣୁ, ଅଭିଜତ ଓ ବିଶ୍ୱଜିତ ୪ ଜଣ ସାଙ୍ଗ ଦୌଡିବା ପାଇଁ ଯାଇଥିଲେ. ଦୌଡ଼ା ସରିବା ପରେ ଆଙ୍କୁଲି ନିଗମ ନଗର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଅଭିଜତ ଏବଂ ବିଶ୍ୱଜିତ ଦୂରକୁ ପଳେଇଥିଲେ । ଗଭୀର ପାଣିରେ ଦୁଇ ଜଣ ବୁଡିଗଲେ । ଏହା ଦେଖି ଅନ୍ୟ ଜଣେ ସାଙ୍ଗ ବିଷ୍ଣୁ ଉଦ୍ଧାର କରିବାକୁ ଗଲାବେଳେ ବିଷ୍ଣୁ ବି ବୁଡିବାକୁ ଯାଉଥିଲା । ଏତିକି ବେଳେ ଅନ୍ୟ ଜଣେ ସାଙ୍ଗ ସ୍ଵର୍ଣ୍ଣବ ହଠାତ ଯାଇ ବିଷ୍ଣୁକୁ ଉଦ୍ଧାର କଲେ । ହେଲେ ଅନ୍ୟ ଦୁଇ ଜଣ ସାଙ୍ଗ ଗଭୀର ପାଣିରେ ବୁଡିଥିବାରୁ ତାଙ୍କୁ ଆଉ ଉଦ୍ଧାର କରିପାରିଲା ନାହିଁ । ଭଲ ସାଙ୍ଗକୁ ହରାଇ ଭାଙ୍ଗି ପଡ଼ିଛନ୍ତି ।

Also Read:- ଦିନ ୧୧ରୁ ଅପରାହ୍ନ ୩ ଯାଏଁ କାମ କରିବେନି ଶ୍ରମିକ, ପୂର୍ତ୍ତ ବିଭାଗର କଡ଼ା ନିର୍ଦ୍ଦେଶ

ବିଶ୍ୱଜିତ ଡାକ୍ତର ହେବା ଏବଂ ଅଭିଜିତ ଫିସେର କିମ୍ବା କୃଷି ଅଧିକାରୀ ହେବା ଲକ୍ଷ୍ୟ ରଖିଥିବା କହିଥିଲେ । ହେଲେ ସ୍ବପ୍ନ ଅଧୁରା ରହିଗଲା ଏବଂ ସବୁ ସ୍ୱପ୍ନ ପାଣିରେ ମିଳେଇ ଗଲା ବୋଲି କହିଛନ୍ତି ଦୁଇ ବନ୍ଧୁଙ୍କୁ ହରାଇଥିବା ସାଙ୍ଗ ସ୍ଵର୍ଣ୍ଣବ ହୋତା । ଦୁଇ ଜଣ ଛାତ୍ର ଏକା ସମୟରେ ସଲିଳ ସମାଧି ହେବା ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅଞ୍ଚଳବାସୀ ।