ନୂଆଦିଲ୍ଲୀ: ତମିଲଗା ୱିଟ୍ରି କଜଗମ (ଟିଭିକେ) ନେତୃତ୍ୱାଧୀନ ମେଣ୍ଟ ଜୁନ ୧୮ରେ ହେବାକୁ ଥିବା ଦ୍ୱିବାର୍ଷିକ ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜ୍ୟସଭା ସିଟ୍ ନିଜ ସହଯୋଗୀ କଂଗ୍ରେସକୁ ଆବଣ୍ଟିତ କରିଛି। କଂଗ୍ରେସ ସୂତ୍ର ଅନୁସାରେ ଏଆଇସିସି ପଦାଧିକାରୀ ପ୍ରବୀଣ ଚକ୍ରବର୍ତ୍ତୀ ଶୁକ୍ରବାର ଅଥବା ସୋମବାର ଏହି ଆସନରୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି। ମେଣ୍ଟ ଏକ ବୟାନରେ ଘୋଷଣା କରିଛି ଯେ ତାମିଲନାଡୁରୁ ଖାଲି ହୋଇଥିବା ତଥା ଆଗାମୀ ରାଜ୍ୟସଭା ନିର୍ବାଚନରେ ପୂରଣ ହେବାକୁ ଥିବା ଆସନକୁ ଟିଭିକେ ମେଣ୍ଟରେ ହୋଇଥିବା ଆସନ ବଣ୍ଟନ ବ୍ୟବସ୍ଥା ଅନୁସାରେ କଂଗ୍ରେସକୁ ଆବଣ୍ଟିତ କରାଯାଇଛି। ଏଆଇଏଡିଏମକେ ନେତା ସି.ଭେ. ସନମୁଗମଙ୍କ ଇସ୍ତଫା କାରଣରୁ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି।

କଂଗ୍ରେସର ତାମିଲନାଡୁ ନିର୍ବାଚନ ପ୍ରଭାରୀ ଗିରିଶ ଚୋଣ୍ଡକର ବୁଧବାର ସକାଳେ ଏ ନେଇ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସିଟ୍ କଂଗ୍ରେସକୁ ଆବଣ୍ଟିତ କରିବାକୁ ଅନୁରୋଧ କରିଥିଲେ ଓ କହିଥିଲେ ଯେ ଏହା ଦ୍ୱାରା ସଂସଦ ଓ ରାଜ୍ୟସଭାରେ ସହାୟତା ମିଳିବ। ସେ କହିଛନ୍ତି ଯେ ‘ମୋତେ ଲାଗୁଛି ମୁଖ୍ୟମନ୍ତ୍ରୀ ଆମ ନିବେଦନ ଉପରେ ବିଚାର କରିବେ’। ରାଜ୍ୟସଭା ପ୍ରାର୍ଥୀଙ୍କ ନାମ କଂଗ୍ରେସ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଚୂଡ଼ାନ୍ତ କରିବେ। ଏଣୁ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଂକେତ ମିଳିବା ପରେ ଆମେ ନିର୍ବାଚନ କମିଟିଙ୍କୁ ଆମ ପ୍ରାର୍ଥୀ ଚୟନ ନିମନ୍ତେ ଅନୁରୋଧ କରିବୁ। ଏହି ରାଜ୍ୟସଭା ସିଟ୍ ଲାଗି ନିର୍ବାଚନ ଜୁନ ୧୮ ତାରିଖରେ ଅନୁଷ୍ଠିତ ହେବ।