ନୂଆଦିଲ୍ଲୀ: ଫ୍ରାନ୍ସରେ G7 ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ହୋଇଥିଲା । ସେହି ସାକ୍ଷାତକାର ସମୟରେ ହୋଇଥିବା ସାମ୍ୱାଦିକ ସମ୍ମିଳନୀ ଉପରେ ଆମେରିକୀୟ ରାଷ୍ଟ୍ରଦୂତଙ୍କ ବୟାନକୁ ନେଇ ଦେଶରେ ଆଲୋଚନା ଜୋର ଧରିଛି । ଏହାରି ଭିତରେ ଏବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି । ଏଏନଆଇ ରିପୋର୍ଟ ଅନୁସାରେ, VVIPମାନଙ୍କ ଗସ୍ତ ସହ ଜଡ଼ିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ଏବଂ କାର୍ଯ୍ୟସୂଚୀ ଓ ପ୍ରକ୍ରିୟାର ସ୍ପଷ୍ଟତା ନିଶ୍ଚିତ କରିବା ପାଇଁ ଅନ୍ୟ ପକ୍ଷକୁ ସୂଚନା ଦେବା ଏକ ସାଧାରଣ ପ୍ରକ୍ରିୟା । ସରକାରୀ ସୂତ୍ରକୁ ନେଇ ଏଏନଆଇ ନିଜ ରିପୋର୍ଟରେ ଏହା କହିଛି ।

ଫ୍ରାନ୍ସର ଏଭିଆନ-ଲେସ-ବେନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ଏକ ସଂକ୍ଷିପ୍ତ ଫଟୋ-ଅପ୍ ହଠାତ୍ ଏକ ଅଲିଖିତ, ୪୫ ମିନିଟର ସାମ୍ବାଦିକ ସମ୍ମିଳନୀରେ ପରିଣତ ହେବା ବିଷୟରେ ରାଷ୍ଟ୍ରଦୂତ ଗୋରଙ୍କ ବୟାନ ପରେ ଏହି ବିବୃତ୍ତି ଦିଆଯାଇଛି । ରାଷ୍ଟ୍ରଦୂତ ଗୋର ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ଅଧିବେଶନ ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଅନୁରୋଧ କରିଥିଲା । ପ୍ରାରମ୍ଭିକ ବିବୃତ୍ତି ପାଇଁ ଗଣମାଧ୍ୟମର ଉପସ୍ଥିତିକୁ ଅନୁମତି ଦିଅନ୍ତୁ, କିନ୍ତୁ ପୂର୍ଣ୍ଣ ପ୍ରଶ୍ନୋତ୍ତର ସାମ୍ବାଦିକ ସମ୍ମିଳନୀ କରିବାରୁ ନିବୃତ୍ତ ରୁହନ୍ତୁ ।

ସର୍ଗିଓ ଗୋର କହିଥିଲେ ଯେ ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ପୂର୍ବରୁ, ଗଣମାଧ୍ୟମ ସହ କୌଣସି ଆଲୋଚନା ନ କରିବାକୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା । ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା ସମୟରେ ସମସ୍ତ ପ୍ରତିନିଧିମଣ୍ଡଳୀ ପ୍ରାୟତଃ ତାଙ୍କର "ଅନିଶ୍ଚିତ ବ୍ୟବହାର"କୁ ନେଇ ସତର୍କ ଥାଆନ୍ତି । ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ତାଙ୍କର କଥାବାର୍ତ୍ତା ସମୟରେ ବି ତାଙ୍କ ସେହି ବିଚିତ୍ର ରୂପ ଦେଖିବାକୁ ମିଳିଥିଲା । ଏହି କାରଣରୁ ଭାରତ ଏକ ସତର୍କତାମୂଳକ ପଦକ୍ଷେପ ନେଇଥିଲା ବୋଲି ସୂତ୍ରରୁ ପ୍ରକାଶ ।

ଗୋର୍ ଏକ ମିଡିଆ କାର୍ଯ୍ୟକ୍ରମରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ହେବା ପୂର୍ବରୁ ସେ ଭାରତର ଏହି ଅନୁରୋଧ ବିଷୟରେ ଟ୍ରମ୍ପଙ୍କୁ ବୁଝାଇଥିଲେ । କିନ୍ତୁ ଶେଷରେ ଟ୍ରମ୍ପ ସେଠାରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ପ୍ରଶ୍ନ ପାଇଁ ଆମନ୍ତ୍ରଣ କରି କହିଥିଲେ, "କିଛି ପ୍ରଶ୍ନ ଅଛି କି ?"

ଗୋର କହିଥିଲେ, "ଆମେ ପରଦା ପଛରେ, ଷ୍ଟେଜ୍ ପଛରେ ଥିଲୁ ଏବଂ ଗୋଟିଏ ସମୟରେ କେବଳ ରାଷ୍ଟ୍ରପତି ଓ ମୁଁ ଥିଲୁ । ସେ ମୋତେ ପଚାରିଥିଲେ ଯେ ଭାରତୀୟମାନେ କେଉଁ ବିଷୟ ଉଠାଇବାକୁ ଯାଉଛନ୍ତି । ଆମେ କେତେକ ପ୍ରସଙ୍ଗ ଉପରେ ଆଲୋଚନା କଲୁ । ତା’ପରେ ସେ ପଚାରିଲେ, 'ସେମାନଙ୍କର କିଛି ପ୍ରଶ୍ନ ଅଛି କି ?' ବୈଦେଶିକ ମନ୍ତ୍ରାଳୟର ଗୋଟିଏ ଅଛି । ମୁଁ ରାଷ୍ଟ୍ରପତିଙ୍କୁ କହିଲି ଯେ ଭାରତୀୟ ପକ୍ଷ କୌଣସି ପ୍ରଶ୍ନୋତ୍ତର ନ ହେବାକୁ ପସନ୍ଦ କରୁଛନ୍ତି । ସେ କହିଥିଲେ, 'ନିଶ୍ଚୟ, କୌଣସି ଅସୁବିଧା ନାହିଁ' ।" ତଥାପି, ଟ୍ରମ୍ପ ଶେଷରେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ "କିଛି ପ୍ରଶ୍ନ ଅଛି କି" ବୋଲି ପଚାରିଥିଲେ, ଯାହା ଫଳରେ ତାହା ଏକ ବଡ଼ ସାମ୍ୱାଦିକ ସମ୍ମିଳନୀରେ ପରିଣତ ହୋଇଥିଲା ।