ଭୁବନେଶ୍ୱର : ନାଚ କେବଳ ମନୋରଞ୍ଜନ ନୁହେଁ...ଏହା ହୋଇପାରେ ଆପଣଙ୍କ ଶରୀର ଓ ମନକୁ ସୁସ୍ଥ ରଖିବାର ଏକ ଉପାୟ। ଆଜିକାଲି ଚାପ, ଚିନ୍ତା ଏବଂ ମାନସିକ ଥକାପଣ ଭଳି ସମସ୍ୟା ଅନେକଙ୍କ ଜୀବନର ଅଂଶ ପାଲଟିଛି। ଏଭଳି ସମୟରେ ଡାନ୍ସ ଥେରାପି ଏକ ଆକର୍ଷଣୀୟ ଏବଂ ସୃଜନଶୀଳ ଥେରାପି ପଦ୍ଧତି ଭାବେ ଚର୍ଚ୍ଚାରେ ରହିଛି। ତେବେ କ’ଣ ଏହି ଡାନ୍ସ ଥେରାପି ? କେମିତି କାମ କରେ ? ଏବଂ ଏହା କେବଳ ଶାରୀରିକ ସ୍ୱାସ୍ଥ୍ୟ ନା ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ?

ଡାନ୍ସ ଥେରାପି କ’ଣ ?

ଡାନ୍ସ ଥେରାପି ବା Dance Movement Therapy ହେଉଛି ଏକ ଥେରାପି ପଦ୍ଧତି, ଯେଉଁଥିରେ ଶରୀରର ଗତିବିଧି, ନୃତ୍ୟ ଏବଂ ନିଜକୁ ପ୍ରକାଶ କରିବାର ମାଧ୍ୟମକୁ ଥେରାପିର ଅଂଶ କରାଯାଏ। ଏଠାରେ ନୃତ୍ୟ ଶିଖିବା କିମ୍ବା ଭଲ ନାଚିବା ହିଁ ମୁଖ୍ୟ ଲକ୍ଷ୍ୟ ନୁହେଁ। ବରଂ ଶରୀରର ଗତିବିଧି ମାଧ୍ୟମରେ ନିଜର ଭାବନା, ଅନୁଭୂତି ଏବଂ ଚାପକୁ ବୁଝିବା ଓ ପ୍ରକାଶ କରିବା ଏହାର ଏକ ମୁଖ୍ୟ ଅଂଶ।

ମାନସିକ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ?

ଡାନ୍ସ ଥେରାପି ମାଧ୍ୟମରେ ଜଣେ ବ୍ୟକ୍ତି ନିଜ ଭାବନାକୁ ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରନ୍ତି। ନିୟମିତ ଶାରୀରିକ ଗତିବିଧି ମନକୁ ସକାରାତ୍ମକ ରଖିବାରେ ସହାୟକ ହୋଇପାରେ। ଏହା ଚାପ ଓ ଉଦ୍ବେଗର ଅନୁଭୂତି କମାଇବା, ମନୋଭାବକୁ ଭଲ କରିବା ଏବଂ ଆତ୍ମବିଶ୍ୱାସ ବଢ଼ାଇବାରେ ସହାୟକ ହୋଇପାରେ। ନୃତ୍ୟ ଏକ ପ୍ରକାର ଶାରୀରିକ ବ୍ୟାୟାମ। ଏହା ଶରୀରକୁ ସକ୍ରିୟ ରଖିବା ସହ ଫ୍ଲେକ୍ସିବିଲିଟି, ବାଲାନ୍ସ, କୋଅର୍ଡିନେସନ୍ ଏବଂ ଶାରୀରିକ ଫିଟନେସ୍ ବୃଦ୍ଧିରେ ସହାୟକ ହୋଇପାରେ। ଏହା ସହ ଶରୀରରେ ଚଳପ୍ରଚଳ ବଢ଼ିବାରୁ ଦୈନନ୍ଦିନ ଜୀବନରେ ଅଧିକ ସକ୍ରିୟ ରହିବାର ପ୍ରେରଣା ମିଳିପାରେ। ଡାନ୍ସ ଥେରାପି ବିଭିନ୍ନ ବୟସର ଲୋକଙ୍କ ପାଇଁ ଥେରାପିର ଏକ ସହାୟକ ମାଧ୍ୟମ ହୋଇପାରେ।

ବିଶେଷକରି ଚାପ, ଏକାକୀପଣ, ଭାବନା ପ୍ରକାଶରେ ଅସୁବିଧା କିମ୍ବା ନିଜ ଶରୀର ସହ ଭଲ ସମ୍ପର୍କ ଗଢ଼ିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଉପକାରୀ ହୋଇପାରେ। ତେବେ ମନେ ରଖନ୍ତୁ, ଡାନ୍ସ ଥେରାପି ଡାକ୍ତରୀ ଚିକିତ୍ସାର ବିକଳ୍ପ ନୁହେଁ। ଗୁରୁତର ମାନସିକ କିମ୍ବା ଶାରୀରିକ ସମସ୍ୟା ଥିଲେ ଯୋଗ୍ୟ ଡାକ୍ତର କିମ୍ବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ତେଣୁ ନାଚ କେବଳ ତାଳ ଓ ଲୟରେ ଶରୀରକୁ ହଲାଇବା ନୁହେଁ...ଏହା ଆମକୁ ନିଜ ଶରୀରକୁ ଅନୁଭବ କରିବା, ଭାବନାକୁ ପ୍ରକାଶ କରିବା ଏବଂ ମନକୁ ହାଲୁକା କରିବାର ଏକ ସୁନ୍ଦର ମାଧ୍ୟମ ମଧ୍ୟ ହୋଇପାରେ। ସୁସ୍ଥ ଶରୀର ସହ ସୁସ୍ଥ ମନ ପାଇଁ ନାଚିବା ଏକ ଭଲ ଥେରାପି ହୋଇପାରେ ।