ଢେଙ୍କାନାଳ ୧୩।୯: ମହିମା ଗାଦିରେ ନବାନ୍ନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହିମା ଧର୍ମର ପରମ୍ପରା ମୁତାବକ ପ୍ରଭୁ ଶୂନ୍ୟଦେହୀ ନିରାକାରଙ୍କ ନିକଟରେ ଲାଗି କରାଯାଇଛି ନବାନ୍ନ । ଏଥିପାଇଁ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ଜୋରନ୍ଦା ମହିମା ଗାଦି ଆଜି ବେଶ ଚଳଚଞ୍ଚଳ ହୋଇଉଠିଛି । ହଜାର ହଜାର ସଂଖ୍ୟାରେ ସାଧୁ ଓ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ନବାନ୍ନ ପ୍ରସାଦ ସେବନ କରିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରୁ ମହିମା ଗାଦିକୁ ଛୁଟି ଆସିଛନ୍ତି ସାଧୁ ଓ ଶ୍ରଦ୍ଧାଳୁ ।

ମହିମା ପରମ୍ପରା ଅନୁସାରେ ବର୍ଷର ଅମଳ ପ୍ରଥମ ଧାନରୁ ସ୍ୱତନ୍ତ୍ର ଭାବେ ଚୁଡା ପ୍ରସ୍ତୁତ ହୋଇଥାଏ । ଏହି ଚୁଡାରେ ନଡ଼ିଆ, କଦଳୀ, ପିଜୁଳି, ସେଓ, ଅଙ୍ଗୁର, ନାସପାତି ଓ କମଳା ଆଦି ବିଭିନ୍ନ କିସମର ଫଳମୂଳ ଓ ଦୁଗ୍ଧ ଦହି ଛେନା, ଗୁଡ, ମହୁ ଘିଅ ଗୁଜୁରାତି, ଅଳେଇଚ ଆଦି ମିଶାଇ ଗାଦୀ ପୀଠର ଅମହୋଣିଆ ମଣ୍ଡପରେ ସ୍ୱତନ୍ତ୍ର ଭାବେ ଏହି ନବାନ୍ନ ପ୍ରସ୍ତୁତ କରାଯାଇଛି । ଭୋର ୪ଟାରୁ ୫ଟା ମଧ୍ୟରେ ପରଂବ୍ରହ୍ମ ମହିମା ଆଲେଖଙ୍କ ଉଦ୍ଦେଶ୍ୟରେ ଏହି ନବାନ୍ନ ସମର୍ପଣ କରିଥାନ୍ତି ମହିମା ସାଧୁ ।

ଏହି ନବାନ୍ନ ପ୍ରସାଦ ସେବନ ପାଇଁ ଗାଦି ପୀଠରେ ହଜାର ହଜାର ସଂଖ୍ୟାରେ ମହିମା ସାଧୁ ସନ୍ୟାସୀଙ୍କ ଭିଡ଼ ଜମିଥାଏ। ଆଠଗଡ଼ ଓ ଯାଜପୁର ର ନଦୀକୂଳରେ ଅମଳ ହେଉଥିବା ବର୍ଷର ପ୍ରଥମ ଶସ୍ୟରୁ ପ୍ରସ୍ତୁତ ଚୁଡାରେ ହିଁ ଏହି ନବାନ୍ନ ପ୍ରସ୍ତୁତର ସ୍ୱତନ୍ତ୍ର ପରମ୍ପରା ରହିଛି । ଯାହାକି ମହିମା ଗୋସାଇଁଙ୍କ ନିକଟରେ ଲାଗି କରାଯାଇଛି ।