ନୂଆଦିଲ୍ଲୀ: ଭାରତର ପ୍ରାୟ ଏକ-ତୃତୀୟାଂଶ କୋଇଲାରେ ଚାଲୁଥିବା ବିଜୁଳି ପ୍ଲାଣ୍ଟଗୁଡ଼ିକରେ ଇନ୍ଧନର ଷ୍ଟକ୍ ବହୁତ କମ୍ ଅଛି । ସରକାର ଯୋଗାଣ ବଢ଼ାଇବା ଚେଷ୍ଟାରେ ଲାଗିଛନ୍ତି । ଦୀର୍ଘ ସମୟ ଧରି ଗରମ ରହିବା ଯୋଗୁ ବିଜୁଳିର ଚାହିଦା ଅଧିକ ରହିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ କହିଛି ଯେ ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି ।

ଭାରତରେ ବିଜୁଳିର ପିକ୍ ଡିମାଣ୍ଡ (ସବୁଠାରୁ ଅଧିକ ଦରକାର) ମେ ମାସରେ ରେକର୍ଡ ୨୭୦.୭୦ ଗିଗାୱାଟ୍ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଏବେ ବି ତାହା ସେହି ଆଖପାଖରେ ରହିଛି । ଏଲ୍-ନିନୋ ପାଣିପାଗ ପ୍ୟାଟର୍ଣ୍ଣ କାରଣରୁ କୁଲିଂର ଆବଶ୍ୟକତା ବଢ଼ିଯାଇଛି । ଗତ କିଛି ଦିନ ହେଲା ବିଜୁଳିର ଚାହିଦା କ୍ରମାଗତ ଭାବେ ପ୍ରାୟ ୨୬୭ ଗିଗାୱାଟ୍ ପର୍ଯ୍ୟନ୍ତ ରହିଛି ।

ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ଅଥରିଟିର ତଥ୍ୟ ଅନୁସାରେ, କୋଇଲା ଦ୍ୱାରା ପରିଚାଳିତ ବିଜୁଳି ପ୍ଲାଣ୍ଟ ସଂଖ୍ୟା, ଅଗଷ୍ଟ ଶେଷରେ ୪୫ ଥିଲା ଯାହା ସେପ୍ଟେମ୍ବର ୯ ସୁଦ୍ଧା ବଢ଼ି ୫୯ ହୋଇଗଲାଣି । ସେଣ୍ଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ କ୍ଲିନ୍ ଏୟାରର ଆନାଲିଷ୍ଟ ମନୋଜ କୁମାର କହିଛନ୍ତି, 'କମ୍ କୋଇଲା ଥିବା ବିଜୁଳି ପ୍ଲାଣ୍ଟଗୁଡ଼ିକର ବଢ଼ୁଥିବା ସଂଖ୍ୟା ଚିନ୍ତାର ବିଷୟ ।'

ବିଶେଷଜ୍ଞଙ୍କ କହିବା କଥା ଯେ ସ୍ୱଚ୍ଛ ଶକ୍ତି, ମୁଖ୍ୟ ଭାବେ ସୌର ଶକ୍ତି, ଦିନ ସମୟରେ ବିଜୁଳିର ଅଧିକାଂଶ ଦାବିକୁ ପୂରଣ କରୁଛି । କିନ୍ତୁ, ବ୍ୟାଟେରୀ ଷ୍ଟୋରେଜର ଅଭାବ ଏବଂ ଜଳାଶୟଗୁଡ଼ିକରେ ପାଣିର କମ୍ ସ୍ତର କୋଇଲାରୁ ବିଜୁଳି କରିବା ଉପରେ ଚାପ ପକାଉଛି । ସେ କହିଛନ୍ତି ଯେ ବର୍ତ୍ତମାନ ଷ୍ଟକର ସାଧାରଣ ସ୍ତର ବଜାୟ ରଖିବା ପାଇଁ ଭାରତକୁ ରେଳ ନେଟୱାର୍କ ଜରିଆରେ ବିଜୁଳି କମ୍ପାନୀଗୁଡ଼ିକୁ କୋଇଲାର ଯୋଗାଣ ବଢ଼ାଇବାକୁ ପଡ଼ିବ ।

ଭାରତ ବିଜୁଳି ପ୍ଲାଣ୍ଟଗୁଡ଼ିକୁ କୋଇଲା ଯୋଗାଣ ବଢ଼ାଇବା ପାଇଁ ସେପ୍ଟେମ୍ବର ୬ରେ ୪୪୪ ଟ୍ରେନ୍ କିମ୍ବା ରେକ୍ ନିୟୋଜିତ କରିଥିଲା । ସେପ୍ଟେମ୍ବର ୩ରେ ଏହି ସଂଖ୍ୟା ୩୭୦ ଥିଲା । କୋଲ୍ ଇଣ୍ଡିଆ ଏବଂ ତାହାର ସହାୟକ କମ୍ପାନୀଗୁଡ଼ିକ ସଡ଼କ ମାର୍ଗରୁ ମଧ୍ୟ କୋଇଲା ପରିବହନ ବଢ଼ାଇଛନ୍ତି । ଦୁନିଆର ସବୁଠାରୁ ବଡ଼ କୋଇଲା ଖନନ କମ୍ପାନୀ କୋଲ୍ ଇଣ୍ଡିଆ କହିଛି ଯେ ତାହାର ପିଟହେଡ୍ସ (ଖାଦାନଗୁଡ଼ିକର ମୁହାଣ)ରେ ଏବେ ବି ପ୍ରାୟ ୭.୬ କୋଟି ଟନ୍ର ପର୍ଯ୍ୟାପ୍ତ ଷ୍ଟକ୍ ମହଜୁଦ୍ ଅଛି ।