ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇ ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେଲା ଭାଇରାଲ ଜ୍ୱର ବ୍ୟାପିବାରେ ଲାଗିଛି ଓ କେତେକ ସ୍ଥାନରେ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାର ଚିହ୍ନଟ ହେଉଛନ୍ତି। ଏଣୁ ଡାକ୍ତର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ଲୋକଙ୍କୁ ସମୟରେ ଚିକିତ୍ସା ସେବା ଉପଲବ୍ଧ କରିବା ଓ ଘର ଆଖପାଖରେ ଯେପରି ପାଣି ନ ଜମେ ତାହା ସୁନିଶ୍ଚିତ କରିବାକୁ କୁହାଯାଉଛି। ଗତ ୧୦ ଦିନରେ ସହର ଓ ଏହାର ଆଖପାଖ ଅଞ୍ଚଳରେ ୨ ହଜାରରୁ ଅଧିକ ଲୋକଙ୍କଠାରେ ଜ୍ୱରର ଲକ୍ଷଣ ଦେଖାଯାଇଛି।

ଆକ୍ରାନ୍ତ ଲୋକଙ୍କ ମଧ୍ୟରୁ ୧୪୦ ଜଣଙ୍କ ଠାରେ ଡେଙ୍ଗୁ ପୁଷ୍ଟି ହେବା ଏବେ ଆତଙ୍କର କାରଣ ପାଲଟିଛି। ଏଥିରୁ ସହରରେ ଡେଙ୍ଗୁ ବ୍ୟାପୁଥିବା ପୁଷ୍ଟି ହୋଇଥିବା ବେଳେ ଜ୍ୱର ହେଲେ ଲୋକଙ୍କୁ ଅବହହେଳା ନ କରିବାକୁ ପରାମର୍ଶ ଦିଆଯାଉଛି। ଗତ ଅଗଷ୍ଟ ମାସରେ ବିଭିନ୍ନ ହସ୍ପିଟାଲରେ ୪୫୦୦ ରୁ ଅଧିକ ଲୋକେ ଜ୍ୱର ଅଭିଯୋଗ ନେଇ ଆସିଥିଲେ। ଏଥିରୁ ୧୬୦ ଜଣଙ୍କ ଠାରେ ଡେଙ୍ଗୁ ଠାବ ହୋଇଥିଲା। ତେବେ ଚଳିତମାସର ତଥ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି। କାରଣ ମାତ୍ର ସ୍ୱଳ୍ପ ଅବଧିରେ ଚିହ୍ନଟ ହୋଇଥିବା ଡେଙ୍ଗୁ ମାମଲା ଗତ ମାସରେ ରେକର୍ଡ ହୋଇଥିବା ମାମଲା ପାଖାପାଖି ପହଞ୍ଚିଗଲାଣି।

ଅଡ୍ଡୟାର, ଆନ୍ନା ନଗର ଓ ଭଲସରଭକମ ଜୋନ ସେହି ଅଞ୍ଚଳରେ ସାମିଲ ଯେଉଁଠି ଅଧିକ ଜ୍ୱର ଅଭିଯୋଗ ହେଉଛି। ସ୍ୱାସ୍ଥ୍ୟ ଅଧିକାରୀ ଓ ମେଡିକାଲ ଟିମ୍ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। କାରଣ ସରକାରୀ ଓ ଘରୋଇ ହସ୍ପିଟାଲରେ ଜ୍ୱର,ଶରୀରରେ ଯନ୍ତ୍ରଣା, କାସ ଓ ଅନ୍ୟ ସମ୍ବଦ୍ଧିତ ଲକ୍ଷଣ ଥିବା ରୋଗୀ ଲଗାତାର ଆସୁଛନ୍ତି। ଡାକ୍ତର କହିଛନ୍ତି ଯେ ସହରରେ ଅନେକ ପ୍ରକାରର ରେସ୍ପିରେଟରୀ (ନିଶ୍ୱାସ ପ୍ରଶ୍ୱାସ ସମ୍ପର୍କିତ) ଭୂତାଣୁ ବ୍ୟପୁଛି। ଏଥିରେ ଇନଫ୍ଲୁଏଞ୍ଜା-ଏ, ରାଇନୋଭାଇରସ ଓ ଆରଏସଭି ଭୂତାଣୁ ଥିବା ଡାକ୍ତର କହୁଛନ୍ତି। ଭାଇରାଲ ଜ୍ୱର ପରିବାର ସଦସ୍ୟଙ୍କ ମଧ୍ୟରେ ଦ୍ରୁତ ପ୍ରସରୁଛି। ଖାସ କରି ଅଧିକ ଲୋକ ରହୁଥିବା ଘରେ ସଂକ୍ରମିତ ବ୍ୟକ୍ତି ଜରୁରି ସାବଧାନତା ଅବଲମ୍ବନ ନକଲେ ଜ୍ୱର ସମସ୍ତଙ୍କୁ ବ୍ୟାପୁଛି।

ଏଣୁ ଜ୍ୱର ଆକ୍ରାନ୍ତ ଲୋକଙ୍କୁ ନିଜେ ନିଜକୁ ଔଷଧ ନ ନେଇ ଡାକ୍ତରଙ୍କ ପରାମର୍ଶରେ ଔଷଧ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି, ଯାହା ଦ୍ୱାରା ଜ୍ୱରର ଯାଞ୍ଚ ହୋଇ ପାରିବ। ଡାକ୍ତରମାନେ ଚିକିତ୍ସାରେ ବିଳମ୍ବ ଅଥବା ବିନା ଡାକ୍ତରୀ ପରାମର୍ଶରେ ଔଷଧ ଖାଇଲେ ଖାସ କରି ଡେଙ୍ଗୁ ମାମଲାରେ ପରିସ୍ଥିତି ଜଟିଳ ହୋଇପାରେ ବୋଲି ସାବଧାନ କରିଛନ୍ତି। ଏଥିରେ ଯଦି କାହାକୁ ଜ୍ୱର ଛାଡୁ ନଥାଏ, ଶରୀରରେ ଭୀଷଣ ଯନ୍ତ୍ରଣା, ବାନ୍ତି ହେବା, ଅସ୍ୱଭାବିକ ଥକ୍କା ଅନୁଭବ କରିବା ଓ ରକ୍ତସ୍ରାବ ଭଳି ଲକ୍ଷଣ ଦେଖା ଦେଲେ ବିଳମ୍ବ ନ କରି ତୁରନ୍ତ ହସ୍ପିଟାଲ ଆସିବାକୁ କୁହାଯାଇଛି।