କଟକ: କଟକ ସିଡିଏ ସେକ୍ଟର ୧୩ ନମ୍ବର୍ ବସ୍ତିରେ ମହିଳାଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳର ଫୁଲ କୁମାର । ସେକ୍ଟର ୧୨ ଅଞ୍ଚଳରେ ଫୁଲ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ରବିବାର ମଧ୍ୟାହ୍ନ ସମୟରେ ସେକ୍ଟର ୧୩ ବସ୍ତିରେ ଫୁଲଙ୍କୁ ହତ୍ୟା କରାଯାଇଥିବା ବେଳେ ଫୁଲଙ୍କ ଝିଅ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ ପଠାଇଛନ୍ତି । ଏହି ଘଟଣାରେ ସିଡିଏ ସେକ୍ଟର ୧୨ ବସ୍ତିରେ ରହୁଥିବା ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ବୋଲି ଜୋନ-୩ ଏସିପି ଅନନ୍ୟା ଆୱସ୍ତି କହିଛନ୍ତି । ସେହିଭଳି ଆଜି ଫୁଲ ଓ ଅଟକ ଥିବା ଯୁବକଙ୍କୁ ଏକା ସାଙ୍ଗରେ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ହତ୍ୟାକାଣ୍ଡ ଘଟିଥିବା ଘରେ ଦୁହେଁ ପାଲ ଚିରି ପଶିଥିବା କଥା କହିଛନ୍ତି ସ୍ଥାନୀୟ ବାସିନ୍ଦା ।