ନୂଆଦିଲ୍ଲୀ, ୦୩/୦୫: ନୂଆଦିଲ୍ଲୀରେ ଜଣେ ଯୁବ ବିଚାରପତି ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ଖୁବ୍ କମ୍ ବୟସରେ ସେ ଚରମ ନିଷ୍ପତ୍ତି ନେଇଛନ୍ତି । ଗାଧୁଆ ଘରୁ ତାଙ୍କର ମୃତଦେହକୁ ପୋଲିସ ଉଦ୍ଧାର କରିଛି । ତେବେ ପ୍ରାଣ ହରାଇଥିବା ବିଚାରପତି ଅମନ କୁମାର ଶର୍ମାଙ୍କ ମୃତ୍ୟୁକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା । ତେଣୁ ସେ ଆତ୍ମହତ୍ୟୀ କରିବାକୁ ବାଧ୍ୟ ହେଲେ ବୋଲି ଅମନଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଘଟଣାକୁ ନେଇ ସଫଦରଜଙ୍ଗ ପୋଲିସ କହିଛି ଯେ, ସେମାନଙ୍କୁ ଅମନଙ୍କ ମୃତ୍ୟୁ ବାବଦରେ ସୂଚନା ମିଳିଥିଲା । ଅମନଙ୍କ ଶାଳକ ଶିବମ୍ ପ୍ରଥମେ ଏନେଇ ସୂଚନା ଦେଇଥିଲେ । ତୁରନ୍ତ ପୋଲିସ ତାଙ୍କ ବାସଭବନରେ ପହଁଚିଥିଲା । ଏହାସହ ମୃତଦେହ ଉଦ୍ଧାର କରିଥିଲା । ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି । ସମସ୍ତ ଦିଗରୁ ତଦନ୍ତ ଚାଲିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ପରିବାର ଲୋକଙ୍କ ଅଭିଯୋଗ

ଅମନଙ୍କ ସମ୍ପର୍କୀୟ ରାଜେଶ ଶର୍ମା କହିଛନ୍ତି ଯେ, ଅମନଙ୍କ ପିତା ପ୍ରେମ୍ ଶର୍ମା ପୁଅର ଏପରି ଖବର ଶୁଣି ଭାଙ୍ଗି ପଡିଛନ୍ତି । ତାଙ୍କର କାନ୍ଦ ବନ୍ଦ ହେଉନି । ରାତି ୧ଟା ୩୦ରେ ତାଙ୍କୁ ପୁଅର ମୃତ୍ୟୁ ଖବର ମିଳିଥିଲା ରାତି ୧୦ଟାରେ ଅମନ ପିତା ପ୍ରେମ୍ ଶର୍ମାଙ୍କୁ କଲ୍ କରିଥିଲେ । ଫୋନରେ ବହୁତ ସମସ୍ୟାରେ ଥିବା ପ୍ରକାଶ କରିଥିଲେ । ସବୁକିଛି ତାଙ୍କ ପାଇଁ ଅଧିକ ଅସୁବିଧା କରୁଥିବା ପ୍ରକାଶ କରିଥିଲେ । ଦୁଇ ମାସ ହେଲା ସେ ନିର୍ଯାତନାର ଶିକାର ହେଉଥିବା ଫୋନରେ କହିଥିଲେ ।

Also Read :-ଯୁବ ବିଚାରପତିଙ୍କ ଆତ୍ମହତ୍ୟା, ଗାଧୁଆ ଘରୁ ମିଳିଲା ମୃତଦେହ

ଏହାପରେ ମଧ୍ୟରାତ୍ରରେ ବାପା ପ୍ରେମ୍ ଶର୍ମା ଘରେ ପହଁଚିବା ପରେ ତାଙ୍କୁ ଅମନ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବାବଦରେ କୁହାଯାଇଥିଲା । ଅମନଙ୍କ ପତ୍ନୀ ମଧ୍ୟ ଜଣେ ବିଚାରପତି ଅଟନ୍ତି । ପତ୍ନୀଙ୍କ ଭଉଣୀ ଆଇଏଏସ ଅଫିସର ଥିବା ବେଳେ ଜମ୍ମୁରେ ପୋଷ୍ଟିଂ ଅଛନ୍ତି ।

ଆହୁରି ମଧ୍ୟ ଜଣାପଡିଛି ଯେ, ରାତିରେ ଅମନଙ୍କୁ ପତ୍ନୀ ଖୁବ୍ ଜୋରରେ ପାଟି କରିଥିଲେ । ଉଭୟଙ୍କ ମଧ୍ୟରେ ଖୁବ୍ ଝଗଡା ହୋଇଥିଲା । ଏହାପରେ ଅମନ ଖୁବ୍ କାନ୍ଦିଥିଲେ । ଶେଷରେ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଥିଲା ।