ନୂଆଦିଲ୍ଲୀ: ବିନା ଡାଟାବାଲା ମୋବାଇଲ ରିଚାର୍ଜ ପ୍ଲାନ ଶସ୍ତା ହୋଇପାରେ। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (TRAI) ଏହା ଉପରେ କାମ ଆରମ୍ଭ କରିଛି। ଏଥିପାଇଁ ଟ୍ରାଇ ଦୂରସଞ୍ଚାର ଉପଭୋକ୍ତା ସୁରକ୍ଷା ବିନିୟମ, ୨୦୨୬’ର ଏକ ନୂଆ ଖସଡ଼ା ପ୍ରକାଶ କରିଛି। ଯଦି ଗ୍ରାହକଙ୍କୁ ଡାଟା ଦରକାର ନାହିଁ, ତେବେ ସେ ଡାଟା ପାଇଁ କାହିଁକି ଟଙ୍କା ଦେବେ ? ଏହା ହିଁ ଏହି ଖସଡାର ମୂଳ ଉଦ୍ଦେଶ୍ୟ। ଏହି ପ୍ରସ୍ତାବ ଉପରେ TRAI ସମସ୍ତ ସମ୍ପୃକ୍ତ ପକ୍ଷଙ୍କଠାରୁ ମତାମତ ଓ ପରାମର୍ଶ ଆହ୍ୱାନ କରିଛି। ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ।

ନୂଆ ପ୍ରସ୍ତାବରେ କ'ଣ ରହିଛି?

ବର୍ତ୍ତମାନ ଟେଲିକମ କମ୍ପାନିମାନେ ସୀମିତ ସମୟ ପାଇଁ ମାତ୍ର ‘କେବଳ କଲ୍ ଓ ଏସଏମଏସ’ ପ୍ଲାନ ଉପଲବ୍ଧ କରାଉଛନ୍ତି। ଫଳରେ ଅନେକ ଗ୍ରାହକ ବାଧ୍ୟ ହୋଇ ଡାଟାଥିବା ଦାମୀ ରିଚାର୍ଜ ପ୍ଲାନ କିଣୁଛନ୍ତି। ହେଲେ ଟ୍ରାଇର ନୂଆ ପ୍ରସ୍ତାବ ଅନୁସାରେ, ଟେଲିକମ କମ୍ପାନିମାନେ ଯେତେ ଦିନର ବୈଧତା ସହ ଡାଟା ପ୍ଲାନ ଦେଉଛନ୍ତି, ସେହି ସମାନ ଅବଧି ଯଥା ୭ ଦିନ, ୨୮ ଦିନ, ୫୬ ଦିନ କିମ୍ବା ୮୪ ଦିନ ପାଇଁ ସେମାନେ କେବଳ କଲ୍ ଓ ଏସଏମଏସ ସୁବିଧା ଥିବା ଅଲଗା ପ୍ଲାନ ଆଣିବେ।

କେତେ କମିପାରେ ରିଚାର୍ଜ ମୂଲ୍ୟ?

ମୋବାଇଲ ରିଚାର୍ଜ ପ୍ଲାନର ମୋଟ ଖର୍ଚ୍ଚର ୫୦ରୁ ୭୦ ପ୍ରତିଶତ ଅଂଶ ଡାଟା ସେବା ପାଇଁ ହୋଇଥାଏ। ତେଣୁ ନୂଆ ନିୟମ ଲାଗୁ ହେଲେ କେବଳ କଲ୍ ଓ ଏସଏମଏସ ଥିବା ପ୍ଲାନର ଦାମ ବର୍ତ୍ତମାନ ତୁଳନାରେ ଅଧାରୁ ମଧ୍ୟ କମ୍ ହୋଇପାରେ। ଉଦାହରଣ ସ୍ୱରୂପ, ବର୍ତ୍ତମାନ ୩୦୦ ଟଙ୍କାରେ ମିଳୁଥିବା ଏକ ପ୍ଲାନ ନୂଆ ବ୍ୟବସ୍ଥାରେ ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ଉପଲବ୍ଧ ହୋଇପାରେ। ତେଣୁ ଏତିରେ ଗ୍ରାହକଙ୍କର ପୂରା ୧୫୦ ଟଙ୍କା ଶସ୍ତା ହେବ।

ନୂଆ ପ୍ରସ୍ତାବ ଲାଗୁ ହେଲେ ବିଭିନ୍ନ ବର୍ଗର ଗ୍ରାହକଙ୍କୁ ବିଭିନ୍ନ କ୍ଷେତ୍ରରେ ଲାଭ ହେବ। ଯେଉଁ ଗ୍ରାହକମାନେ କେବଳ ଫିଚର ଫୋନ ବ୍ୟବହରା କରୁଛନ୍ତି ସେମାନେ ଏଥିରେ ଲାଭବାନ ହେବେ। ସେହିପରି ବୟସ୍କ ନାଗରିକ, ଯେଉଁମାନେ ଡାଟା ବ୍ୟବହାର କରୁନାହାନ୍ତି ସେମାନଙ୍କୁ ଏହି କଲ୍ ପ୍ଲାନ୍ ବେଶ୍ ସୁହାଇବ। ବଡ଼ କଥା ହେଲା ଯେଉଁମାନେ ନିଜର ଦ୍ୱିତୀୟ ସିମକୁ କେବଳ କଲ୍ ପାଇଁ ବ୍ୟବହାର କରୁଛନ୍ତି କମ୍ବା ଆକ୍ଟିଭ ରଖିବା ପାଇଁ ଚାହୁଁଛନ୍ତି ସେମାନେ ମଧ୍ୟ ଏଥିରେ ଉପକୃତ ହେବେ। ଯେଉଁ ପରିବାରରେ ୱାଇ-ଫାଇ ସୁବିଧା ରହିଛି ଏବଂ ମୋବାଇଲ ଡାଟାର ଆବଶ୍ୟକତା କମ୍ ସେମାନଙ୍କ ପଇସା ବି ବଞ୍ଚିବ।

୧୬୦୦ ଓ ୧୪୦ ସିରିଜର ଜରୁରୀ କଲକୁ ବ୍ଲକ୍ କରିପାରିବେ ନାହିଁ କଲ୍ ମ୍ୟାନେଜମେଣ୍ଟ ଆପ୍

ଟ୍ରାଇ ସ୍ପଷ୍ଟ କରିଛି ଯେ ଟ୍ରୁକଲର ପରି କଲ୍ ମ୍ୟାନେଜମେଣ୍ଟ ଆପଗୁଡ଼ିକ ୧୬୦୦ ଓ ୧୪୦ ସିରିଜ୍ର ନମ୍ବରରୁ ଆସୁଥିବା କଲ୍‌କୁ ବ୍ଲକ୍ କରିପାରିବେ ନାହିଁ। କାରଣ ୧୬୦୦ ସିରିଜରୁ ବ୍ୟାଙ୍କ, ଆର୍ଥିକ ସଂସ୍ଥା (RBI, SEBI ଆଦି) ଏବଂ ସରକାରୀ କାର୍ଯ୍ୟ ପାଇଁ ଏହି ସିରିଜ୍ ନିର୍ଦ୍ଧାରିତ। ଏହାଦ୍ୱାରା ନାଗରିକମାନେ ଜରୁରୀ ଆର୍ଥିକ କାରବାର କିମ୍ବା ସରକାରୀ ସୂଚନା ସମ୍ବନ୍ଧୀୟ କଲକୁ ସହଜରେ ଚିହ୍ନଟ କରିପାରିବେ।

ସେହିପରି ୧୪୦ ସିରିଜ ନମ୍ବରକୁ କମ୍ପାନିଗୁଡ଼ିକର ପ୍ରଚାରମୂଳକ କଲ୍ ପାଇଁ ନିର୍ଦ୍ଧାରିତ କରାଯାଇଛି। ଗ୍ରାହକମାନେ ଇଚ୍ଛା କଲେ DND (Do Not Disturb) ସେବା ମାଧ୍ୟମରେ ଏହି କଲ୍‌ଗୁଡ଼ିକୁ ବ୍ଲକ୍ କରିପାରିବେ।

ନୂଆ ନିୟମ ଲାଗୁ କରିବାକୁ କମ୍ପାନିମାନଙ୍କୁ ମିଳିବ ସମୟ

ଏହି ପ୍ଲାନଗୁଡ଼ିକର ଅନ୍ତିମ ମୂଲ୍ୟ ଟେଲିକମ କମ୍ପାନିମାନେ ନିଜେ ନିର୍ଦ୍ଧାରଣ କରିବେ। ନିୟମ ଚୂଡ଼ାନ୍ତ ହେବା ପରେ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପାନିମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ। ଏହା ଫଳରେ ଟେଲିକମ କମ୍ପାନିମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ିବ ଏବଂ ଗ୍ରାହକମାନେ ଅଧିକ ଶସ୍ତା ଓ ଉପଯୋଗୀ ରିଚାର୍ଜ ବିକଳ୍ପ ପାଇପାରିବେ।

ସରକାରଙ୍କୁ କାହିଁକି ହସ୍ତକ୍ଷେପ କରିବାକୁ ପଡ଼ିଲା?

TRAIର ଏହି ଖସଡ଼ାରୁ ସ୍ପଷ୍ଟ ହେଉଛି ଯେ ଗ୍ରାହକମାନେ ନିଜ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ରିଚାର୍ଜ ବିକଳ୍ପ ପାଉନଥିଲେ। ସେଥିପାଇଁ ସରକାର ଓ ନିୟାମକ ସଂସ୍ଥାକୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ବର୍ତ୍ତମାନ ଅନେକ ଟେଲିକମ କମ୍ପାନି ଗ୍ରାହକଙ୍କୁ ଦୀର୍ଘ ଅବଧି ଓ ଅଧିକ ଦାମର ଡାଟା ପ୍ଲାନ କିଣିବାକୁ ବାଧ୍ୟ କରୁଥିବା ଅଭିଯୋଗ ରହିଛି। କିନ୍ତୁ ନୂଆ ନିୟମ ଲାଗୁ ହେଲେ ବିଶେଷକରି ବୟସ୍କ ଓ ଗ୍ରାମାଞ୍ଚଳର ଗ୍ରାହକଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ କମିଯିବ। ଟ୍ରାଇ ମଧ୍ୟ କହିଛି ଯେ ନୂଆ ନିୟମ କାର୍ଯ୍ୟକାରୀ ହେବାର ୬ ମାସ ପରେ ଟେଲିକମ କମ୍ପାନିମାନଙ୍କ କାର୍ଯ୍ୟପ୍ରଣାଳୀ ଓ ନିୟମ ପାଳନର ସମୀକ୍ଷା କରାଯିବ।