ସୋର: ଜୀବନ ଜିଇଁବାର ଇଚ୍ଛା ଥିଲା, ହେଲେ ଶରୀର ସହ ଲଢ଼ୁଥିଲା ଅସହ୍ୟ ଯନ୍ତ୍ରଣା। ପ୍ରତିଦିନ ରୋଗ ସହ ସଂଘର୍ଷ କରି କରି ଶେଷରେ ହାରିଗଲେ ଜୀବନ ଯୁଦ୍ଧରେ। ଆଖିରେ ଥିଲା ଅନେକ ସ୍ୱପ୍ନ, ହେଲେ ରୋଗର ଯନ୍ତ୍ରଣା ଯେମିତି ସବୁକିଛି ଛଡ଼ାଇ ନେଲା। ଏକ ଅଭାବନୀୟ ଘଟଣାକୁ ନେଇ ଏବେ ପରିବାରରେ ଖେଳିଯାଇଛି ଗଭୀର ଶୋକର ଛାୟା। ରୋଗ ଯନ୍ତ୍ରଣା ଅସହ୍ୟ ହେବାରୁ ଜୀବନ ହାରିଲେ ଯୁବକ। କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିବା ଜଣେ ଯୁବକ ଆଜି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଏଭଳି ଦୁଃଖଦ ଘଟଣା ଘଟିଛି ସୋର ପୌରପାଳିକାର ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ମେଘମାଧବ ଗ୍ରାମରେ। ମୃତ ଯୁବକ ଜଣକ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୋତ ଗ୍ରାମର ୩୨ ବର୍ଷୀୟ ନରେଶ ମହାକୁଡ଼ ବୋଲି ଜଣାପଡ଼ିଛି l

ରବିବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ନରେଶ ଭିଣୋଇ ସଞ୍ଜୟ ଘର ଭିତରେ ଏକ ବାଉଁଶରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପରିବାର ପକ୍ଷରୁ କୁହାଯାଇଛି , ରୋଗ ଯନ୍ତ୍ରଣା ସହି ନପାରି ଯୁବକ ନରେଶ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।