ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରର ଏକ ଶୌଚାଳୟରେ ଲୁଚାଇ ରଖାଯାଇଥିବା ୪୦,୦୦୦ ଟଙ୍କା ମିଳିବାରୁ ଆରମ୍ଭ ହୋଇଥିଲା ଖୋଲତାଡ଼, ଯାହା ଏବେ ଦାନ ଚୋରିର କଥିତ ଯାଞ୍ଚରେ ପରିବର୍ତ୍ତିତ ହୋଇଛି। ଏହି ଘଟଣା ନା କେବଳ ଗହନ ଯାଞ୍ଚକୁ ପ୍ରୋତ୍ସାହିତ କରିଛି ବରଂ ମନ୍ଦିର ଦାନ ସଂଗ୍ରହ ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ମଧ୍ୟ ଆଣିଛି। ତଦନ୍ତ ସମ୍ପର୍କିତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମନ୍ଦିର ଦାନ ଚୋରି ଘଟଣା ମେ ଶେଷ ସପ୍ତାହରେ ନିର୍ଣ୍ଣାୟକ ମୋଡ଼କୁ ପହଞ୍ଚିଥିଲା ଯେତେବେଳେ ଜଣେ ସତର୍କ ସୁରକ୍ଷା କର୍ମୀ ମନ୍ଦିର ୱାସ୍ ରୁମରେ ଲୁଚାଇ ରଖାଯାଇଥିବା ନଗଦ ବଣ୍ଡଲ ଦେଖି ଏହାର ସୂଚନା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଜଣେ ନ୍ୟାସୀଙ୍କୁ ଜଣାଇଲା।

ସୂଚନା ମିଳିବାମାତ୍ରେ ଟ୍ରଷ୍ଟର ବରିଷ୍ଠ ପଦାଧିକାରୀ ତୁରନ୍ତ ମନ୍ଦିରକୁ ପହଞ୍ଚିଥିଲେ ଓ ରାଶିକୁ ଜବତ କରିଥିଲେ। ଏହିଥିରୁ ହିଁ ଉପୁଜିଲା ସନ୍ଦେହ ଲୋକେ ଦେଉଥିବା ଦାନର ଦୂରୁପଯୋଗ ହେଉନିତ? ତେବେ ଏ ନେଇ ପୋଲିସରେ ଅଭିଯୋଗ ପୂର୍ବରୁ ଅନ୍ତରୀଣ ଯାଞ୍ଚ ଆରମ୍ଭ କରାଯାଇଥିଲା। ଏହାପରେ ଜୁନ ୪ ତାରିଖ ଦିନ ଟ୍ରଷ୍ଟ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲା। ଏହା ପରେ ପୋଲିସ ଦାନ ଗଣନା କେନ୍ଦ୍ର ସହ ସମ୍ପର୍କିକ କର୍ମଚାରୀଙ୍କୁ ପଚରା ଉଚରା କରିବା ସହ ବିଭିନ୍ନ ସ୍ଥାନରେ ଚଢଉ ଅଭିଯାନ ଚଳାଇ ମାମଲାର ତଦନ୍ତ ଆରମ୍ଭ କରିଥିଲା।

ସୂତ୍ର ଅନୁସାରେ ସମ୍ପୃକ୍ତି ସନ୍ଦେହରେ କର୍ମଚାରୀଙ୍କୁ ପ୍ରଥମେ ଟ୍ରଷ୍ଟର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପଚରାଉଚରା କରାଯାଇଥିଲା। ଏହି ପଚରାଉଚରାରୁ ମିଳିଥିବା ସୁରାଗକୁ ନେଇ ଯାଞ୍ଚ ଆଗେଇଥିଲା ଓ ସମନ୍ୱିତ ଚଢଉର ଶୃଙ୍ଖଳା ଆରମ୍ଭ ହୋଇଥିଲା। ଅଭିଯୋଗ ରୁଜୁ ହେବାର ୧୭ ଘଣ୍ଟା ମଧ୍ୟରେ ଟ୍ରଷ୍ଟ ପ୍ରତିନିଧିଙ୍କ ସହ ପୋଲିସ ଟିମ୍ ଅଯୋଧ୍ୟା ଓ ଉତ୍ତରପ୍ରଦେଶର କେତେକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପାଖାପାଖି ୮୦ଲକ୍ଷ ନଗଦ ଟଙ୍କା ଜବତ କରିଥିଲେ। ଏହି ମାମଲାର ଯାଞ୍ଚ ଏବେ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ଦ୍ୱାରା କରାଯାଉଛି, ଯାହା କଥିତ ଦାନ ହଡ଼ପର ଉପାୟ ବୁଝିବା ଲାଗି ଘଟଣାକ୍ରମର ବିଶ୍ଲେଷଣ କରୁଛି ।

ଏଥି ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିର କଥିତ ଦାନ ଚୋରିର ଯାଞ୍ଚ କରୁଥିବା ଏସଆଇଟି ଖୁବ୍ ଶୀଘ୍ର ଉତ୍ତରପ୍ରଦେଶ ସରକାରଙ୍କୁ ତାଙ୍କ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିପାରନ୍ତି। ରିପୋର୍ଟର ନିଷ୍କର୍ସ ଆଧାରରେ ମନ୍ଦିର ପ୍ରଶାସନ ଓ ଦାନଗଣନା ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ କରାଯାଇ ପାରେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନୁରୋଧରେ ଉତ୍ତରପ୍ରଦେଶ ସରକାର ଜୁନ ୧୩ ତାରିଖରେ ୩ ସଦସୀୟ ଏସଆଇଟି ଗଠନ କରିଥିଲେ। ପ୍ରଥମେ ଯାଞ୍ଚ ଶେଷ କରିବାକୁ ୧୫ ଦିନ ସମୟ ଦିଆଯାଇଥିଲା। ତେବେ ଜୁଲାଇ ୧ ତାରିଖରେ ଏସଆଇଟି ସମୟସୀମା ଆଉ ୧୫ ଦିନ ଲାଗି ବଢାଯାଇଛି।

ଯଦି ସରକାର ଏସଆଇଟି ଯାଞ୍ଚ ସମୟସୀମା ଆଉ ନ ବଢାନ୍ତି ତେବେ ଏସଆଇଟି ଖୁବ୍ ଶୀଘ୍ର ରିପୋର୍ଟ ଉପସ୍ଥାପନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ମାମଲା ସହ ସମ୍ପର୍କିତ ଏକ ସୂତ୍ର ଅନୁସାରେ ସରକାରଙ୍କୁ ଏହି ରିପୋର୍ଟ ଖୁବ୍ ଶୀଘ୍ର ମିଳିଯିବ। ହୁଏତ ୧୭ ଜୁଲାଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସରକାରଙ୍କୁ ଏସଆଇଟି ତଦନ୍ତ ରିପୋର୍ଟ ପ୍ରଦାନ କରିପାରେ। ଏଣୁ ଏଥିରୁ ସଂକେତ ମିଳୁଛି ଏସଆଇଟି କାର୍ଯ୍ୟକାଳରେ ଆଉ ଏକ ସମ୍ପ୍ରସାରଣର ଆବଶ୍ୟକତା ପଡି ନ ପାରେ।