ନୂଆଦିଲ୍ଲୀ ୧୬।୩: ନିର୍ବାଚନ ଆୟୋଗଙ୍କ ଦ୍ୱାରା ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ସମେତ ଶୀର୍ଷ ପ୍ରଶାସନିକ ଅଧିକାରୀଙ୍କୁ ହଟାଯିବାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦଙ୍କ ଅସନ୍ତୋଷ ସୋମବାର ରାଜ୍ୟସଭାରେ ଦେଖା ଯାଇଛି। ଏସଆଇଆରକୁ ନେଇ ନିର୍ବାଚନ ଆୟୋଗଙ୍କ ବିରୋଧରେ ପ୍ରଥମରୁ ସଡ଼କରୁ ସଂସଦ ପର୍ଯ୍ୟନ୍ତ ପ୍ରଦର୍ଶନ କରୁଥିବା ଟିଏମସି ସାଂସଦମାନେ ଏହି କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟସଭା କାର୍ଯ୍ୟକ୍ରମକୁ ଦିନତମାମ ବହିଷ୍କାର କରିଛନ୍ତି।

ତେବେ ସରକାର ଏହାକୁ ଅନୁଚିତ କହି ଟିଏମସି ଓ କଂଗ୍ରେସ ଉପରେ ସମ୍ବିଧାନିକ ସଂସ୍ଥାଙ୍କ ଉପରେ ଆକ୍ରମଣ କରୁଥିବା ଆରୋପ ଲଗାଇଛନ୍ତି। ରାଜ୍ୟସଭାରେ ସୋମବାର ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ଟିଏମସି ସାଂସଦ ଡେରେକ ଓ ବ୍ରାୟନ ଛିଡା ହୋଇ ୩ ସେକେଣ୍ଡରେ ନିଜର ବକ୍ତବ୍ୟ ଶେଷ କରିବେ ବୋଲି ଅନୁମତି ମାଗିଥିଲେ। ସେ କହିଥିଲେ ଯେ ନିର୍ବାଚନ ଆୟୋଗ ରାତାରାତ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ହଟାଇ ଦେଇଛନ୍ତି । ଆୟୋଗଙ୍କ ପାଖରେ ବହୁତ ଶକ୍ତି ଅଛି, ଏଣୁ ଟିଏମସି ସଦନର ସମୟ ବରବାଦ ନ କରି କଖ୍ୟତ୍ୟାଗ କରୁଛି ବୋଲି କହିଥିଲେ। ଏହା ସହ ସାଂସଦ ମାନେ ଜଣଜଣ କରି ଗୃହରୁ ବାହାରି ଯାଇଥିଲେ।

ତେବେ ଟିଏମସି ସାଂସଦଙ୍କ ପଦକ୍ଷେପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ଆପତି କରିଥିଲେ। କହିଥିଲେ ଏହି ବିଷୟ ଗୃହର କାର୍ଯ୍ୟକ୍ରମରେ ସୂଚୀବଦ୍ଧ ନଥିଲା। ଏହା ସତ୍ତ୍ୱେ ସାଂସଦମାନେ କକ୍ଷ୍ୟତ୍ୟାଗ କରିଛନ୍ତି, ଏହା ଅନୁଚିତ। ନିର୍ବାଚନ ଆୟୋଗଙ୍କ ବିଷୟ ଏଠାରେ ଉଠାଯାଇଛି, ଯେତେବେଳେ ନିର୍ବାଚନ ଆୟୋଗ ନିଜେ ଏକ ସାମ୍ବିଧାନିକ ସଂସ୍ଥା ଓ ଏହାକୁ ସମ୍ବିଧାନର ଅଧିକାର ମିଳିଛି। ତେବେ ଏହି ବିଷୟ ଉଠାଇବା ପାଇଁ ସଦନର ଦୂରୁପଯୋଗ କରାଯାଉଥିବା ରିଜିଜୁ କହିଥିଲେ। ସେ କହିଥିଲେ ଯେ ନିର୍ବାଚନ ଆୟୋଗ ଓ ନ୍ୟାୟପାଳିକା ଭଳି ସାମ୍ବିଧାନିକ ସଂସ୍ଥାଙ୍କ ଉପରେ ଟିଏମସି ଓ କଂଗ୍ରେସ ସବୁବେଳେ ଆକ୍ରମଣ କରୁଛନ୍ତି।