କୋଲକାତା: ପଶ୍ଚିମବଙ୍ଗର ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଜିତ୍ ବୋଷଙ୍କୁ ଗିରଫ କରିଛି ଏଜେନ୍ସି। ପ୍ରାୟ ୧୦ ଘଣ୍ଟାର ସାଂଘାତିକ ଜେରା ପରେ ସଲ୍ଟଲେକ୍ ସ୍ଥିତ ସିଜିଓ କମ୍ପ୍ଲେକ୍ସରେ ED ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

୧୫୦ ଜଣଙ୍କ ପାଇଁ କରିଥିଲେ ବେଆଇନ ସୁପାରିଶ !

ସୂଚନା ଅନୁଯାୟୀ, ସାଉଥ୍ ଦମଦମ୍ ମ୍ୟୁନିସିପାଲିଟିରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ସୁଜିତ୍ ପ୍ରାୟ ୧୫୦ ଜଣଙ୍କ ପାଇଁ ବେଆଇନ ସୁପାରିଶ କରିଥିଲେ ଏବଂ ଏହାର ବଦଳରେ ସେମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇଥିବା ଅଭିଯୋଗ ହୋଇଛି। ସୋମବାର ସକାଳ ୧୦ଟା ୩୦ ମିନିଟ୍ରେ ସୁଜିତ୍ ନିଜ ପୁଅ ସମୁଦ୍ର ବୋଷଙ୍କ ସହ ED କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଦୀର୍ଘ ସମୟର ଜେରା ପରେ ତାଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଏଜେନ୍ସି ଏହି ଗିରଫଦାରୀ କରିଛି।

ତଦନ୍ତରୁ ମିଳିଲା ବିପୁଳ ସମ୍ପତ୍ତି ଓ ନଗଦ ଟଙ୍କାର ସୁରାକ୍

EDର ତଦନ୍ତ ସମୟରେ ଜଣାପଡ଼ିଛି ଯେ, ନିଯୁକ୍ତି ବଦଳରେ ମିଳିଥିବା କଳାଟଙ୍କାରେ ସୁଜିତ୍ ବୋଷ ଏକାଧିକ ଫ୍ଲାଟ୍ କିଣିଛନ୍ତି। ଏହା ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକରେ ବହୁ ପରିମାଣର ନଗଦ ଟଙ୍କା ଜମା ହୋଇଥିବାର ପ୍ରମାଣ ମଧ୍ୟ ହସ୍ତଗତ ହୋଇଛି। ଏହି କ୍ୟାଶ୍ ମ୍ୟାନେଜମେଣ୍ଟ ଗୌତମ ନାମକ ଜଣେ ବ୍ୟକ୍ତି ଦେଖୁଥିଲେ, ଯାହାଙ୍କ ପାଖରୁ ପୂର୍ବରୁ ୩ କୋଟି ଟଙ୍କା ଜବତ କରାଯାଇଥିଲା।

ଅଡୁଆରେ ଅନ୍ୟ ନେତା

ଏହି ମାମଲାରେ ED ପକ୍ଷରୁ ବର୍ତ୍ତମାନର ଟିଏମସି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରତିନ ଘୋଷଙ୍କୁ ମଧ୍ୟ ସମନ କରାଯାଇଥିଲା, କିନ୍ତୁ ସେ ଜେରାରେ ସାମିଲ ହୋଇନାହାନ୍ତି। ଗିରଫ ସୁଜିତ୍ ବୋଷଙ୍କୁ ଆସନ୍ତାକାଲି (ମଙ୍ଗଳବାର) ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ। ପଶ୍ଚିମବଙ୍ଗର ଏହି ନିଯୁକ୍ତି ସ୍କାମ୍ରେ ଆହୁରି ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।