ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୪ ମେ ଭୋଟ ଗଣନା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି। ଏଥି ମଧ୍ୟରେ ରାଜ୍ୟ ରାଜନୀତି ଏକ ନୂଆ ମୋଡ଼ ନେଇଛି। ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ (ଟିଏମସି) ସିଧା ସୁପ୍ରିମକୋର୍ଟକୁ ପହଞ୍ଚିଛି। ମାମଲା ନିର୍ବାଚନ ଆୟୋଗଙ୍କ ସେହି ନିଷ୍ପତ୍ତି ସମ୍ପର୍କିତ ଯେଉଁଥିରେ ବେଙ୍ଗଲ ଭୋଟଗଣନା କାଳରେ ପ୍ରତ୍ୟେକ କାଉଣ୍ଟିଂ ଟେବୁଲରେ ସୁପଭାଇଜର ବା ଆସିଷ୍ଟାଣ୍ଟଙ୍କ ମଧ୍ୟରୁ ଅନୁନ୍ୟ ଜଣେ କର୍ମଚାରୀ ପବ୍ଲିକ୍ ସେକ୍ଟର ଅର୍ଥାତ ପିୟୁଏସର ରହିବେ। ନିର୍ବାଚନ ଆୟୋଗଙ୍କ ଏହି ନିୟମ ଟିଏମସିକୁ ଉଚିତ ଲାଗୁ ନାହିଁ। ଏଣୁ ପାର୍ଟି ଆୟୋଗଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

ଏହି ପୁରା ପ୍ରକରଣରେ ଭାରତର ପ୍ରଧାନ ନ୍ୟାୟାଧୀଶ (ସିଜେଆଇ)ଙ୍କ ନିର୍ଦ୍ଦେଶ ପରେ ପିଟିସନକୁ ଯଥାଶୀଘ୍ର ଶୁଣାଣି ନିମନ୍ତେ ସୂଚୀବଦ୍ଧ କରାଯାଇଛି। ଶନିବାର ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ପି.ଏସ. ନରସିମହା ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ପୀଠ ଏହି ପିଟିଶନ ଉପରେ ଶୁଣାଣି କରିବେ। ଯେହେତୁ ମାମଲା ଭୋଟ ଗ୍ରହଣ ସମ୍ପର୍କିତ ତେଣୁ ପିଟିସନକୁ ପ୍ରାଥମିକତା ଆଧାରରେ ଶୁଣାଣି କରାଯିବ। ଏହି ପୁରା ବିବାଦ ସେତେବେଳେ ଆରମ୍ଭ ହେଲା ଯେତେବେଳେ ବେଙ୍ଗଲ ଚିଫ ଇଲେକ୍ଟୋରାଲ ଅଫିସର ଏକ ଆଦେଶ ଜାରି କରି କାଉଣ୍ଟିଂ ଟେବୁଲରେ ସୁପଭାଇଜର ଅଥବା ଆସିଷ୍ଟାଣ୍ଟ ମଧ୍ୟରୁ କେହି ଜଣେ କର୍ମଚାରୀ କେନ୍ଦ୍ର ସରକାରଙ୍କ ପିଏସୟୁର ରହିବା ଆବଶ୍ୟକ ବୋଲି କହିଲେ।

ଟିଏମସି କହିଛି ଯେ ଏପରି ଆଦେଶ କେବଳ ମୁଖ୍ୟ ନିର୍ବାଚନ କମିସନର ହିଁ ଜାରି କରିପାରନ୍ତି। ଆଡିସନାଲ ସିଇଓ ସ୍ତରରେ ଏହି ନିଷ୍ପତ୍ତି ନିଆଯାଇ ପାରିବନି। ପାର୍ଟି ଏହା ବି ତର୍କ କରୁଛି ଯେ ନିର୍ବାଚନ ଆୟୋଗଙ୍କ ନିଜ ଗାଇଡ ବୁକ୍ ରେ କେଉଁଠି ହେଲେ ଏପରି ପ୍ରାବଧାନ ନାହିଁ। କୋର୍ଟରେ ନିଜର ଆଶଙ୍କା ପ୍ରକାଶ କରି ମମତାଙ୍କ ଟିଏମସି କହିଛି ଯେ ଏହି ନିଷ୍ପତ୍ତି ଯୋଗୁ ଭୋଟ ଗଣନାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିପାରେ। ପାର୍ଟିର ତର୍କ ହେଉଛି କେନ୍ଦ୍ର ସରକାର ଏକ ରାଜନୈତିକ ଦଳ ଅଧୀନରେ ରହୁଛି, ଏଣୁ ଏପରି କର୍ମଚାରୀଙ୍କ ମୁତୟନ ନିରପେକ୍ଷତାର ମାହୋଲକୁ ବିଗାଡି ପାରେ। ତୃଣମୂଳର ଡର ରହୁଛି ଏହି ପୁରା ପ୍ରକ୍ରିୟାରେ କୌଣସି ଠାରେ ଯେପରି ପକ୍ଷପାତ ନ ହୁଏ।

ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ପୂର୍ବରୁ ମମତାଙ୍କ ପାର୍ଟି ଅଭିଯୋଗ ନେଇ କୋଲକାତା ହାଇକୋର୍ଟକୁ ପହଞ୍ଚିଥିଲା। ହେଲେ ସେଠାରୁ କୌଣସି ଆଶ୍ୱସ୍ତି ମିଳି ପାରିନଥିଲା। ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ କାଉଣ୍ଟିଂ ଷ୍ଟାଫ ନିଯୁକ୍ତି ସମ୍ପୂର୍ଣ୍ଣ ନିର୍ବାଚନ ଆୟୋଗ ଅଧିକାର କ୍ଷେତ୍ର ଅନ୍ତର୍ଗତ ଓ ଗାଇଡଲାଇନ ଅନୁସାରେ ଷ୍ଟାଫଙ୍କୁ କେନ୍ଦ୍ର ଅଥବା ରାଜ୍ୟ ଉଭୟ ସ୍ଥାନରୁ ନିଆଯାଇପାରେ। କୋର୍ଟ ଏହା ବି ଭରସା ଦେଇଥିଲେ ଯେ ଭୋଟଗଣନା ପ୍ରକ୍ରିୟାରେ ପୂର୍ବରୁ ଅନେକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯେପରି ସିସିଟିଭି, ମାଇକ୍ରୋ ଅବଜର୍ଭର ଓ ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟ ବି ରହିବେ। ଏଣୁ ହାଇକୋର୍ଟ କହିଛନ୍ତି ଯେ କେବଳ ଆଶଙ୍କା ଅଥବା ସନ୍ଦେହ ଆଧାରରେ ଏହି ପୁରା ପ୍ରକ୍ରିୟାରେ ଦଖଲ ଦେବାର ଆବଶ୍ୟକତା ନାହିଁ।