ଭୁବନେଶ୍ୱର ୨୯।୧୦ : ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ରେଳ ଚଳାଚଳକୁ ନେଇ ସୃଷ୍ଟି ହୋଇଛି ସମସ୍ୟା । ଗଞ୍ଜାମ ଜିଲ୍ଲାର ବାଘଲତି ଡ୍ୟାମ୍ରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିବା ବେଳେ, ଇଚ୍ଛାପୁରମ୍ ରେଳ ଓଭରବ୍ରିଜ୍ ଉପରେ ମଧ୍ୟ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ କେତେକ ରେଳ ଟ୍ରାକ୍ରେ ଚଳାଚଳ ବନ୍ଦ ରଖାଯାଇଛି । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସିପିଆରଓ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବାତ୍ୟା ଓ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଲାସାକୁ ଯାଉଥିବା ୩ଟି ଟ୍ରେନ୍ ବାତିଲ କରାଯାଇଛି । ୪ଟି ଟ୍ରେନ୍କୁ ପଲାସା ପର୍ଯ୍ୟନ୍ତ ନନେଇ ମଝି ରାସ୍ତାରେ ଯାତ୍ରା ସମାପ୍ତ କରାଯାଇଛି । ଏହାସହ ୮ଟି ଟ୍ରେନ୍ର ଗତିପଥ ନିୟନ୍ତ୍ରଣ କରାଯାଇଥିବା ବେଳେ ୬ଟି ଟ୍ରେନ୍ର ଦିଗ ପରିବର୍ତ୍ତନ କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହ ସମନ୍ୱୟ ରଖାଯାଇଛି । ଟ୍ରେନରେ ଫସି ରହିଥିବା ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ କରାଯାଇଛନ୍ତି । ଆବଶ୍ୟକ ସ୍ଥଳେ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।

Also Read:-ଅର୍ଣ୍ଣବର ତାଣ୍ଡବ: ଅନନ୍ତଗିରି ଘାଟିରେ ଭୂସ୍ଖଳନ, ଲମତାପୁଟ-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ

ଟ୍ରେନର ଦିଗ ପରିବର୍ତ୍ତନ ହେଲେ ବିଜୟନଗରମ୍, ଟିଟିଲାଗଡ଼, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ବଲପୁର ଭଳି ବିକଳ୍ପ ରୁଟ୍ ଦେଇ ଟ୍ରେନ୍ ଚଳାଚଳ କରିପାରିବ । ଏଥିସହ ସୋସିଆଲ୍ ମିଡିଆ ଓ ଅନଲାଇନ୍ ମାଧ୍ୟମରେ ଯାତ୍ରୀଙ୍କ ଅଭିଯୋଗ ଗ୍ରହଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରେଳବାଇର ବିଶେଷ କ୍ଷୟକ୍ଷତି ହୋଇନାହିଁ। କିନ୍ତୁ ଟ୍ରାକ୍ ଉପରେ ଜଳସ୍ତର ଅଧିକ ଥିବାରୁ ସୁରକ୍ଷା ଦୃଷ୍ଟିରୁ ରେଳ ଚଳାଚଳ ବନ୍ଦ ରଖାଯାଇଛି ।

ଆଜି ସନ୍ଧ୍ୟା ସୁଦ୍ଧା ଜଳସ୍ତର ହ୍ରାସ ପାଇଲେ ରେଳ ଚଳାଚଳ ସ୍ୱାଭାବିକ ହେବାର ସମ୍ଭାବନା ରହିଛି । ତେବେ ପରିସ୍ଥିତିର ସମୀକ୍ଷା ପରେ ହିଁ ଟ୍ରେନ୍ ଚଳାଚଳ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଯାତ୍ରୀଙ୍କ ସୁରକ୍ଷା ଇଷ୍ଟକୋଷ୍ଟ ରେଲୱେର ସର୍ବୋଚ୍ଚ ପ୍ରାଥମିକତା ବୋଲି ସିପିଆରଓ ସ୍ପଷ୍ଟ କରିଛନ୍ତି ।

Watch Video:-