ଭୁବନେଶ୍ୱର: ମହାଷ୍ଟମୀରେ ଦର୍ଶନ ଦେଉଛନ୍ତି ମା’ । ଜଗତଜନନୀଙ୍କ ଦିବ୍ୟ ସ୍ୱରୂପ ଦର୍ଶନ ପାଇଁ ସକାଳୁ ସକାଳୁ ଭିଡ଼, ଦିନ ତମାମ ଗହଳି ଆଉ ରାତିରେ ଚକା ଜାମ୍ । ପୂଜା ମଣ୍ଡପରୁ ନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଭକ୍ତଙ୍କର ଲାଗିଛି ଲମ୍ବା ଧାଡ଼ି । କାହିଁ କେତେ ଦୂରଦୂରାନ୍ତରରୁ ଆସିଛନ୍ତି ଭକ୍ତ । ସମସ୍ତଙ୍କ ମନରେ ଭିନ୍ନ ଏକ ଖୁସି ଓ ଆନନ୍ଦ ।

ମାଆଙ୍କ ମହାଷ୍ଟମୀ । ଆଜି ଦିନଟି ଅନେକ ମହତ୍ତ୍ୱ ବହନ କରେ । ଧାର୍ମିକ କିମ୍ବଦନ୍ତୀ ଅନୁଯାୟୀ, ମହିଷାସୁରର ଅତ୍ୟାଚାରରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଦେବତା ଓ ମାନବ। ତା’ର ସଂହାର ପାଇଁ ଦେବୀ ଦୁର୍ଗା ନଅ ଦିନ ଧରି ଯୁଦ୍ଧ କରିଥିଲେ । ଅଷ୍ଟମୀ ଓ ନବମୀର ସନ୍ଧି କ୍ଷଣରେ ଦେବୀ ମହିଷାସୁରର ବଧ କରିଥିବା ବିଶ୍ୱାସ ରହିଛି । ତେଣୁ ଏହି ପର୍ବକୁ ଅଧର୍ମ ଉପରେ ଧର୍ମର ଓ ଅଶୁଭ ଶକ୍ତି ଉପରେ ଶୁଭ ଶକ୍ତିର ବିଜୟ ଭାବେ ପାଳନ କରାଯାଏ ।

Also Read: ବିଜୟାଦଶମୀରେ କିଣନ୍ତୁ ଏହି ସବୁ ସାମଗ୍ରୀ, ଚମକିବ ଭାଗ୍ୟ ଓ ଘରକୁ ଆସିବ ସୁଖ-ସମୃଦ୍ଧି

ମା’ଙ୍କ ଆରାଧନାରେ ମଗ୍ନ ଶ୍ରଦ୍ଧାଳୁ । ଭକ୍ତି, ଆସ୍ଥା ଓ ଉତ୍ସବର ରଙ୍ଗରେ ରଙ୍ଗାୟିତ ସମସ୍ତେ । ମହାଅଷ୍ଟମୀ ଓ ମହାନବମୀ ପୂଜାରେ ମା’ଙ୍କ ଦର୍ଶନ ପାଇଁ ମଣ୍ଡପରୁ ପୀଠ ପର୍ଯ୍ୟନ୍ତ ସମସ୍ତେ ହୋଇଛନ୍ତି ଏକାକାର । ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହେଉଛି ପରିବେଶ । ମା’ଙ୍କ ଆଶୀର୍ବାଦ ଲାଭ ସହ ଅଧର୍ମ ଉପରେ ଧର୍ମର ବିଜୟ କାମନା କରୁଛନ୍ତି ଶ୍ରଦ୍ଧାଳୁ। ଭକ୍ତି ଓ ଆସ୍ଥାର ଏହି ମହାପର୍ବରେ ଚାରିଆଡ଼େ ଗୁଞ୍ଜରିତ ହେଉଛି ମା’ ଦୁର୍ଗାଙ୍କ ଜୟଧ୍ୱନି ।