ମୁମ୍ବାଇ, ୧୯/୧୦: ଟାଇଗର୍ ଶ୍ରଫଙ୍କ ଉପରେ ଆକ୍ରମଣ କରିଥିବା ଚାରି ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରାଜସ୍ଥାନର କୋଟା ଓ ମହାରାଷ୍ଟ୍ର-ଗୁଜୁରାଟ ସୀମାରୁ ସେମାନଙ୍କୁ ପୋଲିସ ଧରିଛି । ତିନି ଜଣ କୋଟା ରେଲଓ୍ୱେ କଲୋନୀ ଥାନା ନିକଟରେ  ଧରା ପଡିଛନ୍ତି । ଅନ୍ୟ ଜଣଙ୍କୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି । ତେବେ କୋଟା ସହର ପୋଲିସ ଗିରଫଦାରୀ ବାବଦରେ କିଛି ସ୍ପଷ୍ଟ କରିନାହିଁ । ୧୬ ଘଣ୍ଟା ମଧ୍ୟରେ ଚାରି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

କୁହାଯାଉଛି ଯେ, ଅଭିଯୁକ୍ତମାନେ ଗୁଳିକାଣ୍ଡ ପରେ ଟ୍ରେନରେ ରାଜସ୍ଥାନ ଚାଲି ଯାଇଥିଲେ । ପୁଣେ-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନରେ ସେମାନେ ଥିବା ନେଇ ସୂଚନା ମିଳିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିହାରର ରିତିକ୍ କୁମାର ବୋଲି ଜଣା ପଡିଛି । ଏତତ୍ ବ୍ୟତୀତ, ଅନ୍ୟ ଦୁଇ ଜଣ ଅଭିଯୁକ୍ତ ହରିୟାଣାର ଫୁଲ୍ ସିଂ ଓ ରେହାନ ବୋଲି ସୂଚନା ମିଳିଛି ।

କେମିତି ହୋଇଥିଲା ଆକ୍ରମଣ ?

ସୂଚନା ଅନୁସାରେ, ଟାଇଗର ଶ୍ରଫ୍ ରବିବାର ସନ୍ଧ୍ୟାରେ ମୁମ୍ବାଇର ଏକ ଫୁଟବଲ୍ ଗ୍ରାଉଣ୍ଡରୁ ନିଜ କାରରେ ଘରକୁ ଫେରୁଥିଲେ। ସେହି ସମୟରେ ବାଇକରେ ଆସିଥିବା ତିନି ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ତାଙ୍କ କାରକୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ। ଗୁଳିମାଡ଼ରେ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭରଙ୍କ ଶରୀରରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି।

Also Read :- ମୁମ୍ବାଇର ଜୁହୁରେ ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା

ଏହି ଆକ୍ରମଣ ପରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଥିଲା । ଏଥିରେ ଜଣେ ବ୍ୟକ୍ତି ନିଜକୁ 'ଅନିଲ ପଣ୍ଡିତ' ବୋଲି ପରିଚୟ ଦେଇଛି ଏବଂ ସେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଥିଲେ।