ମୁମ୍ବାଇ : ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଟିଫାନି ଟ୍ରମ୍ପଙ୍କ ବିଶେଷ ସାକ୍ଷାତ। ସୋସିଆଲ ମିଡିଆରେ ଏବେ ଦୁଇ ଜଣଙ୍କ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଟିଫାନିଙ୍କ ଭାରତୀୟ ଲୁକ୍ ଏହି ସାକ୍ଷାତକୁ କରିଛି ଆହୁରି ଖାସ। ସଞ୍ଜୟ ଦତ୍ତ ଭାରତୀୟ ସିନେମାର ଜଣେ ଚର୍ଚ୍ଚିତ ଅଭିନେତା। ଦୀର୍ଘ କ୍ୟାରିୟରରେ ଅନେକ ସଫଳ ଫିଲ୍ମରେ ଅଭିନୟ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ନିକଟରେ ସଞ୍ଜୟ ଦତ୍ତ ତାଙ୍କ ପୋଷ୍ଟରେ ଟିଫାନି ଟ୍ରମ୍ପ, ମାଇକେଲ ବୋଲୋସ ଏବଂ ଆମେରିକାର ରାଜଦୂତ ସର୍ଜିଓ ଗୋରଙ୍କ ସହ ସାକ୍ଷାତ ହୋଇଥିବା ନେଇ ଖୁସି ପ୍ରକାଶ କରିଛନ୍ତି। ଏହି ସାକ୍ଷାତରେ ରାଜେଶ୍ୱରୀ ସିଂହ ମଧ୍ୟ ଉପସ୍ଥିତ ଥିବା ସେ ଉଲ୍ଲେଖ କରିଛନ୍ତି।

ସାମ୍ନାକୁ ଆସିଥିବା ଫଟୋରେ ସଞ୍ଜୟ ଦତ୍ତଙ୍କୁ ପାରମ୍ପରିକ ଧଳା କୁର୍ତ୍ତା ସହ ହଳଦିଆ ଗାମୁଛା ପିନ୍ଧିଥିବା ଦେଖିବାକୁ ମିଳୁଛି। ତାଙ୍କ ସହ ଟିଫାନି ଟ୍ରମ୍ପ ଗୋଲାପୀ ଓ ସବୁଜ ରଙ୍ଗର ଏକ ସୁନ୍ଦର ଲେହେଙ୍ଗାରେ ନଜର ଆସୁଛନ୍ତି। ଫଟୋରେ ଟିଫାନି ଟ୍ରମ୍ପ ଭାରତୀୟ ଅନ୍ଦାଜରେ ଦେଖିବାକୁ ମିଳିଛି। ତାଙ୍କର ଭାରତୀୟ ପୋଷାକ ଓ ଲୁକ୍କୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ସେହିପରି ମାଇକେଲ ବୋଲୋସଙ୍କୁ କେସରୀ ରଙ୍ଗର ଶେରୱାନୀରେ ଦେଖିବାକୁ ମିଳିଛି। ଆମେରିକାର ରାଜଦୂତ ସର୍ଜିଓ ଗୋର ସୁଟ୍ ପିନ୍ଧିଥିବା ବେଳେ ରାଜେଶ୍ୱରୀ ସିଂହ ମଧ୍ୟ ହଳଦିଆ ଗାମୁଛା ସହ ଫଟୋରେ ଉପସ୍ଥିତ ଅଛନ୍ତି।ଏହି ସାକ୍ଷାତ ସମୟରେ ସଞ୍ଜୟ ଦତ୍ତଙ୍କ ସହ ଟିଫାନିଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି।

ଏହି ଫଟୋଟି କୌଣସି ଏକ ବଡ଼ ହୋଟେଲ କିମ୍ବା ଇଭେଣ୍ଟ ହଲ୍ରେ ଉଠାଯାଇଥିବା ଭଳି ଦେଖାଯାଉଛି। ତେବେ ଏହି ବିଶେଷ ସାକ୍ଷାତକୁ ନେଇ ସଞ୍ଜୟ ଦତ୍ତଙ୍କ ପୋଷ୍ଟ ଏବେ ଫ୍ୟାନ୍ମାନଙ୍କ ଦୃଷ୍ଟି ଆକର୍ଷଣ କରିଛି। ଟିଫାନି ଟ୍ରମ୍ପ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ। ସାର୍ବଜନୀନ ଜୀବନରେ ତାଙ୍କୁ ନେଇ ସମୟ ସମୟରେ ଚର୍ଚ୍ଚା ହୋଇଥାଏ। ଏବେ ସଞ୍ଜୟ ଦତ୍ତଙ୍କ ସହ ତାଙ୍କର ଏହି ଫଟୋ ସାମ୍ନାକୁ ଆସିବା ପରେ ଦୁଇ ଜଣଙ୍କ ସାକ୍ଷାତ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ସାକ୍ଷାତ କେଉଁ ଅବସରରେ ହୋଇଥିଲା , ସେନେଇ ଅଧିକ ତଥ୍ୟ ମିଳିନାହିଁ । କିନ୍ତୁ ଟିଫାନି ଟ୍ରମ୍ପଙ୍କ ପାରମ୍ପରିକ ଭାରତୀୟ ପୋଷାକ ଏବଂ ସଞ୍ଜୟ ଦତ୍ତଙ୍କ ଦେଶୀ ଲୁକ୍ ଫଟୋର ମୁଖ୍ୟ ଆକର୍ଷଣ ପାଲଟିଛି।