ସମ୍ବଲପୁର ୧୮।୯: ସମ୍ବଲପୁର ସାଇବର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଫେସବୁକରେ ଫେକ୍ ଆଇଡି ଖୋଲି ଉଚ୍ଚ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ୨୫ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ଝାରସୁଗୁଡ଼ା ଅଞ୍ଚଳର ତିନି ଭାଇ-ଭଉଣୀ ଝରଣା ବାଦୀ, ରାଜେଶ ବାଦୀ ଓ ରାଜକୁମାରୀ ବାଦୀ ବୋଲି ଜଣାପଡ଼ିଛି ।

'ଦିଶା ଅଗ୍ରୱାଲ' ନାମରେ ଏକ ନକଲି ଫେସବୁକ୍ ଆଇଡି ପ୍ରସ୍ତୁତ କରି ଅଭିଯୁକ୍ତ ମାନେ ଟଙ୍କା ଦୁଇଗୁଣ କରିଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ । ସମ୍ବଲପୁରର ଲିପକ କୁମାର ପ୍ରଧାନଙ୍କୁ ଏହି ଜାଲରେ ଫସାଇ ଉଚ୍ଚ ଆର୍ଥିକ ରିଟର୍ଣ୍ଣ ଆଶା ଦେଖାଇ ୨୫ ଲକ୍ଷ ଟଙ୍କା ଠକି ନେଇଥିଲେ । ଏନେଇ ଅଭିଯୋଗ ହେବା ପରେ ସମ୍ବଲପୁର ସାଇବର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଠାରୁ ୧୫ ଲକ୍ଷ ୫୦ ହଜାର ଟଙ୍କା, ୧୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା, ୨୦ଟି ମୋବାଇଲ ଫୋନ୍, କେତେକ ନକଲି ଆଧାର କାର୍ଡ ଜବତ ହୋଇଛି ।

Also Read:- ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର, ୱାର୍ଡ ସୀମା ଓ ସଂରକ୍ଷଣର ସଂଶୋଧିତ ସମୟସୂଚୀ ଜାରି

କେବଳ ସମ୍ବଲପୁର ନୁହେଁ, ରାଉରକେଲାରେ ମଧ୍ୟ ଏହି ଗ୍ୟାଙ୍ଗ ଅନେକ ଲୋକଙ୍କୁ ଠକିଥିବା ସୂଚନା ମିଳିଛି । ସାଇବର ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଏହି ଠକେଇ ରାକେଟ୍‌ରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ।

Watch Video: